ଗଞ୍ଜାମ : ବାଲି ମାଫିଆଙ୍କ ଆକ୍ରମଣରେ ଗଞ୍ଜାମ ଅତିରିକ୍ତ ତହସିଲଦାର ଶୁଭ‌େନ୍ଦୁ କୁମାର ଜେନା ଓ ୨ ଜଣ ଆର୍‌ଆଇ (ରାଜସ୍ବ ନିରୀକ୍ଷକ) ଗୁରୁତର ଆହତ ହୋଇଛନ୍ତି। ୨ ଜଣ ଆର୍‌ଆଇ ‌ହେଲେ; ସୀତାରାମ ସାହୁ ଓ ସୁଶାନ୍ତ କୁମାର ବେହେରା। ଅନ୍ୟଜଣେ ଆର୍‌ଆଇ ଭାସ୍କର ସାହୁ ଆକ୍ରମଣରୁ ରକ୍ଷା ପାଇଯାଇଛନ୍ତି। ଅତିରିକ୍ତ ତହସିଲଦାର ଶ୍ରୀ ସାହୁଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ୍ ଓ ଥାନା ଅଧୀନ କାଇଞ୍ଚପୁର ପଞ୍ଚାୟତ ମାଳିଜଗନ୍ନାଥପୁର ଗ୍ରାମରେ ଏହିଭଳି ଏକ ଘଟଣା ଘଟିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବାଲିମାଫିଆଙ୍କ ଦୌରାତ୍ମ୍ୟ କିଭଳି ବଢ଼ିଚାଲିଛି, ଏହା ହେଉଛି ତାହାର ଆଉ ଏକ ଉଦାହରଣ। ପୂର୍ବରୁ ଯାଜପୁର ଜିଲ୍ଲ‌ାରେ ବି ସମାନ ଧରଣର ଘଟଣା ଘଟିଥିଲା।

Advertisment

ଗଞ୍ଜାମରେ ଚଢ଼ଉ ବେଳେ ଆକ୍ରମଣ
ସୁନା ଚେନ୍, ମୋବାଇଲ୍ ବି ଛଡ଼ାଇନେଲେ
ବିଭିନ୍ନ ସ୍ଥାନରେ ଚଢ଼ଉ, ୪ ଅଟକ

publive-image The Hans India

ସୂଚନାନୁସାରେ, ମାଳିଜଗନ୍ନାଥପୁର ଗ୍ରାମରୁ ଚାରିଟି ଟିପର୍‌ରେ ଆନ୍ଧ୍ରକୁ ଓ ପାଞ୍ଚଟି ଟ୍ରାକ୍ଟର୍‌ରେ ଗଞ୍ଜାମ ବ୍ଲକ୍‌ର ବିଭିନ୍ନ ଅଞ୍ଚଳକୁ ବାଲି ଚୋରାଚାଲାଣ ହେଉଥିବା ସୂଚନା ମିଳିଥିଲା। ରାତି ୩ଟା ସମୟରେ ଅତିରିକ୍ତ ତହସିଲଦାର ଶ୍ରୀ ଜେନାଙ୍କ ନେତୃତ୍ବରେ ରାଜସ୍ବ ବିଭାଗର ଏକ ଟିମ୍‌ ବାଲି ରାମ୍ପ୍‌ ଉପରେ ଚଢ଼ଉ କରି ଗାଡ଼ି ଜବତ ପାଇଁ ଉଦ୍ୟମ କରୁଥିଲେ। ଏହିସମୟରେ ସେଠାରେ ଲୁଚି ରହିଥିବା ବାଲି ମାଫିଆ ଓ ସମର୍ଥକମାନେ ଅତିର୍କିତ ଆକ୍ରମଣ କରିଥିଲେ। କାଠ ଫାଳିଆ ଓ ଝାଉଁକାଠରେ ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ କରିବାରୁ ସେ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଯାଇଥି‌ଲେ। ଆକ୍ରମଣକାରୀ ତାଙ୍କର ଦୁଇଭରି ଓଜନର ଏକ ସୁନା ଚେନ୍, ଏକ ମୁଦି, ମନିପର୍ସ ସମେତ ତାଙ୍କ‌ ଆଇଫୋନ୍ ମଧ୍ୟ ନେଇଯାଇଥିଲେ। ତଥାପି ଶ୍ରୀ ଜେନା ଜୀବନ ବଞ୍ଚାଇବା ଲାଗି ନଦୀବାଲିରେ ଘୋଷାଡ଼ି ଘୋଷାଡ଼ି ଚାଲି କରପଡ଼ା ଗ୍ରାମରେ ପହଞ୍ଚିଥିଲେ ଏବଂ ସେଠାରେ ଅଚେତ ହୋଇ ପଡ଼ିଯାଇଥିଲେ। ସେହିପରି ଅନ୍ୟ ଦୁଇଜଣ ରାଜସ୍ବ ନିରୀକ୍ଷକ ସୀତାରାମ ସାହୁ ଓ ସୁଶାନ୍ତ ବେହେରାଙ୍କୁ ମଧ୍ୟ କାଠଫାଳିଆ ସମେତ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ ଓ ତାଙ୍କ ସମର୍ଥକ। ଉଭୟ ପ୍ରାଣବିକଳରେ ଅନ୍ଧାରରେ ଦୌଡ଼ି ପଳାଇଥିବାବେଳେ ଆଉ ଜଣେ ରାଜସ୍ବ ନିରୀକ୍ଷକ ଭାସ୍କର ସାହୁ ବୁଦାମୂଳେ ଲୁଚିଯିବାରୁ ରକ୍ଷା ପାଇଯାଇଥିଲେ।

ଏହି ଘଟଣା ପ୍ରଘଟ ହେବା କ୍ଷଣି ଗଞ୍ଜାମ ଥାନାଧିକାରୀ ସ୍ବରୂପ କିଷାନଙ୍କ ନେତୃତ୍ବରେ ଏକ ଟିମ୍ କରପଡ଼ାରେ ପହଞ୍ଚି ଅତିରିକ୍ତ ତହସିଲଦାରଙ୍କୁ ଉଦ୍ଧାର କରିବା ସହ ପ୍ରାଥମିକ ଚିକିତ୍ସା ପାଇଁ ଛତ୍ରପୁର ଡାକ୍ତରଖାନାକୁ ପଠାଇଥିଲା। ସେଠାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ରାଜସ୍ବ ନିରୀକ୍ଷକ ସୀତାରାମ ଓ ସୁଶାନ୍ତ ଛତ୍ରପୁର ଡାକ୍ତରଖାନା ଏବଂ ଭାସ୍କର ଗଞ୍ଜାମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଥିଲେ। ଅନ୍ୟପକ୍ଷରେ, ପୁଲିସ ଏହି ଘଟଣାକୁ ଗୁରୁତ୍ବର ସହ ଗ୍ରହଣ କରି ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଥିଲା। ଖବର ଲେଖାଯିବା ସୁଦ୍ଧା, ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ସେପଟେ ଗଞ୍ଜାମ ଅତିରିକ୍ତ ଏସ୍‌.ପି. ଠାକୁର ପ୍ରସାଦ ପାତ୍ର ଓ ଛତ୍ରପୁର ଏସଡ଼ିପିଓ ଗୌତମ କିଷାନ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି। ଏହି ଘଟଣାପରେ ମାଳିଜଗନ୍ନାଥପୁର ଗ୍ରାମରେ ଆତଙ୍କ ସୃଷ୍ଟି ହୋଇଥିବାବେଳେ ଆକ୍ରମଣକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।