ରାଜଧାନୀ ରାସ୍ତାରେ ଖଣ୍ଡା ବୁଲାଇ ଆତଙ୍କରାଜ

ଜଣକୁ ମାଡ଼ି ବସିଲେ ବସ୍ତି ମହିଳା

ଭୁବନେଶ୍ୱର : ଶୁକ୍ରବାର ମଧ୍ୟାହ୍ନ। ଭୁବନେଶ୍ବର ବ୍ଲକ୍‌ ପଛପଟ ରାସ୍ତାରେ ହଠାତ୍ ଭୟଙ୍କର ରଡ଼ି ଶୁଣିବାକୁ ମିଳିଲା। ଗୋଟିଏ ବାଇକ୍‌ରେ ବସିଥିବା ୩ ଜଣ ଯୁବକ ଭାରି ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିକରି ଯାଉଥିଲେ। ସେମାନଙ୍କ ବାଇକ୍‌ର ବିକଟାଳ ଶବ୍ଦ ସାଙ୍ଗକୁ ସେମାନଙ୍କ କିଳିକିଳା ରଡ଼ି ଆତଙ୍କ ଖେଳାଇଦେଲା। ପଛରେ ବସିଥିବା ଦୁଇ ଯୁବକଙ୍କ ହାତରେ ଥିଲା ଖଣ୍ଡା। ସେମାନେ ଖଣ୍ଡା ବୁଲାଇ ବୁଲାଇ ପାଟି କରୁଥିଲେ। ଖରାରେ ଚକ୍‌ଚକ୍‌ କରୁଥିବା ଖଣ୍ଡାକୁ ଦେଖି ରାସ୍ତାରେ ଯାତାୟତ କରୁଥିବା ଲୋକେ ଭୟରେ ରାସ୍ତା କଡ଼କୁ ଆଉଜି ପଡ଼ୁଥିଲେ। ସେହି ରାସ୍ତାରେ ଯାଉଥିବା ଅନ୍ୟ ବାଇକ୍‌ ଓ କାର୍ ଚାଳକମାନେ ସେମାନଙ୍କୁ ରାସ୍ତା ଛାଡ଼ି ଦେଉଥିଲେ। ତେବେ ଏକ ବସ୍ତି ନିକଟରେ ଘଟିଲା ବିପରୀତ କଥା। ବସ୍ତିର ମହିଳାମାନେ ଖଣ୍ଡାକୁ ନ ଡରି ସେମାନଙ୍କୁ ପ୍ରତିରୋଧ କଲେ। ମହିଳାମାନଙ୍କ ଅତର୍କିତ ଘେରାଉକୁ ସମ୍ମୁଖୀନ କରିବାକୁ ସେମାନଙ୍କ ଜୁ’ ପାଇଲା ନାହିଁ। ବସ୍ତିରୁ ଖସିଯିବାକୁ ଉଦ୍ୟମ କଲାବେଳେ ପୂରା ପଛରେ ବସିଥିବା ଦୁର୍ବୃତ୍ତ ଜଣକ ବାଇକ୍‌ରୁ ଖସି ପଡ଼ିଲା। ସେ ଦୌଡ଼ି ପଳାଇବାକୁ ଉଦ୍ୟମ କଲାବେଳେ ମହିଳାମାନେ ତାକୁ ମାଡ଼ି ବସି ବହେ ଛେଚି ପକାଇଲେ ଓ ପରେ କ୍ୟାପିଟାଲ ଥାନା ପୁଲିସ ଜିମା ଦେଲେ। ପତିଆରା ଦେଖାଇବାକୁ ଆସି ଛେଚା ଖାଇବା ଘଟଣାଟି ବେଶ୍ ଚର୍ଚ୍ଚାର ବିଷୟ ପାଲଟିଥିଲା। ତେବେ ପୁଲିସ ଅନ୍ୟ ଦୁର୍ବୃତ୍ତ ଦ୍ବୟଙ୍କୁ ଗିରଫ କରି ନ ଥିବାରୁ ମହିଳାମାନେ ସନ୍ଧ୍ୟ‌ାରେ ଥାନା ଘେରାଉ କରିଥିଲେ।

ଦୁର୍ବୃତ୍ତମାନେ ଏଭଳି ଖଣ୍ଡା ବୁଲାଇ ଆତଙ୍କ ସୃଷ୍ଟି କରିବା ଘଟଣା ପଛରେ କି କାରଣ ରହିଛି, ତାହା ସ୍ପଷ୍ଟ ହୋଇନାହିଁ। ମହିଳାମାନଙ୍କ ଦ୍ବାରା କାବୁ ହୋଇଥିବା ଯୁବକକୁ ପୁଲିସ ଥାନାରେ ପଚରାଉଚରା କରୁଛି। ତେବେ ସୂଚନାନୁସାରେ ଏହି ୩ ଯୁବକ ନିକଟସ୍ଥ ଅନ୍ୟ ଏକ ବସ୍ତିର ବାସିନ୍ଦା। ୟୁନିଟ୍‌-୬ ବସ୍ତିର କିଛି ଯୁବକଙ୍କ ସହିତ ଏମାନଙ୍କର ପୂର୍ବ ଶତ୍ରୁତା ରହିଛି। ତେଣୁ ପ୍ରତିପକ୍ଷକୁ ଭୟଭୀତ କରାଇବା ପାଇଁ ସେମାନେ ଖଣ୍ଡା ଧରି ଉକ୍ତ ବସ୍ତିକୁ ଆସିଥିଲେ। ସେମାନେ ବାରମ୍ବାର କହୁଥିଲେ,‘ ପତିଆରା ଦେଖାଇଲେ ହଣା ଖାଇବ’। ତେଣୁ ସେମାନେ ହିଁ ନିଜର ପତିଆରା ପ୍ରଦର୍ଶନ କରିବାକୁ ଆସିଥିବା କୁହାଯାଉଛି। ଥାନା ଘେରାଉ କରିଥିବା ମହିଳାମାନଙ୍କ କହିବା କଥା; ପୁଲିସ ତୁରନ୍ତ ସେମାନଙ୍କୁ ଗିରଫ ନ କଲେ, ପରିସ୍ଥିତି ଭୟାବହ ହେବ। ଦୁଇ ପକ୍ଷ ହଣାହଣି ହୋଇ ମରିବେ। ତେବେ ପୁଲିସ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବ ବୋଲି ପ୍ରତିଶ୍ରୁତି ଦେବା ପରେ ମହିଳାମାନେ ଧାରଣାରୁ ହଟିଛନ୍ତି।

ଆଜିର ଘଟଣା ପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅସାମାଜିକ ତତ୍ବମାନେ ଆଉ କମିସନରେଟ୍‌ ପୁଲିସକୁ ଖାତିର କରୁନାହାନ୍ତି। ବିଧାନସଭା ବସିଥିବାବେଳେ କମିସନରେଟ୍‌ ପୁଲିସ ପକ୍ଷରୁ ରାଜଧାନୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତଥାପି ଦିନ ଦିପହରରେ ରାଜଧାନୀର ରାଜରାସ୍ତାରେ ବୁଲୁଛି ଖଣ୍ଡା। ପୁଣି ୟୁନିଟ୍‌-୬ ଭଳି କ୍ୟାପିଟାଲ ଥାନା ନିକଟ ଅଞ୍ଚଳରେ ଖଣ୍ଡା ବୁଲାଇ ବୁଲାଇ ଆତଙ୍କ ଖେଳାଉଛନ୍ତି ଦୁର୍ବୃତ୍ତମାନେ। ଏଥିରୁ କମିସନରେଟ୍‌ ପୁଲିସର ଦକ୍ଷତା କେତେ ଜଣାପଡ଼ୁଛି ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର