‘କେବିଏନ୍‌’ ପରେ ‘ପବ୍ଲିକ୍ ଷଣ୍ଢ’; ହାତରେ ବନ୍ଧୁକ, ଖଣ୍ତା ଧରି ଆତଙ୍କ

କରିତ୍‌କର୍ମାକୁ ଟେକିନେଲା ମାଲଗୋଦାମ ପୁଲିସ
ବନ୍ଧୁକ ଜବତ, ଅନ୍ୟମାନଙ୍କୁ ଖୋଜୁଛି

କଟକ : ‘ଆଜିକାଲି କିଛି ଛୁଆ ନୂଆ ନୂଆ ମାର୍କେଟ୍‌ ଆସି କହୁଛନ୍ତି ଷଣ୍ଢ ଆମ ପାଦର ଧୂଳି…ବାବାରେ ଖାଣ୍ଟି କଟକ ଛୁଆ…ଆମ ସହିତ ଲାଗିବୁ…ଖାଲି ଦେଖିବୁ ବନ୍ଧୁକ ଆଉ ଗୁଳି..’. ୧୦ରୁ ଅଧିକ ଯୁବକଙ୍କ ଏଭଳି ଆତଙ୍କିତ କଲାଭଳି ଇନ୍‌ଷ୍ଟାଗ୍ରାମରେ ଧମକପୂର୍ଣ୍ଣ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ନିର୍ଦ୍ଦିଷ୍ଟ ଭାବେ କାହାକୁ ଧମକ ଦେଉଛନ୍ତି, ସେ ନେଇ କିଛି କହୁ ନାହାନ୍ତି। ଭୁବନେଶ୍ବରରେ କେବିଏନ୍‌ ଗ୍ରୁପ୍‌ର ଯୁବକମାନେ ରାଜଧାନୀରେ ହୁଲସ୍ତୁଲ କରୁଥିବା ବେଳେ କଟକର ସମାନ ଶୈଳୀରେ କିଛି ଯୁବଗୋଷ୍ଠୀ ହାତରେ ବନ୍ଧୁକ ଓ ଖଣ୍ତା ଧରି ଧମକାଉଥିବା ଭିଡିଓ ମାଲଗୋଦାମ ଥାନା ପୁଲିସର ହସ୍ତଗତ ହୋଇଛି। ପୁଲିସ ଏହି ଭିଡିଓ ପଛର କାର୍ପଟଦାର କୁହାଯାଉଥିବା ବନ୍ଧୁକଧାରୀ ଯୁବକ ଯୋବ୍ରା ମାଟିଆ ମଙ୍ଗଳାସାହିର କାଦୁଅ ଓରଫ ଦେବଜ୍ୟୋତି ସି˚ହ ବେହେରା(୨୨)କୁ ଥାନାକୁ ଉଠାଇ ଆଣିଛି। କାଦୁଅ ଯୋବ୍ରାରେ ମାଛ ବ୍ୟବସାୟ କରୁଥିବା ବେଳେ ଇନ୍‌ଷ୍ଟାଗ୍ରାମରେ ଅନ୍ୟ ଯୁବକ ଯୁବତୀଙ୍କ ସହିତ ମିଶି ଉତ୍ପାତ କରୁଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି।

ସୂଚନା ଅନୁଯାୟୀ, ଏବେ ଇନ୍‌ଷ୍ଟାଗ୍ରାମରେ ଅପଲୋଡ୍‌ ହୋଇଥିବା ୧୦ଟି ଭିଡିଓ ଭାଇରାଲ୍‌ ହେଉଛି। ପ୍ରଥମ ଭିଡିଓଟି ୨୦ ସେକେଣ୍ତ୍‌ର। ‘ପବ୍ଲିକ ଷଣ୍ଢ’ ନାଁରେ ଏହି ଭିଡିଓ ଅପଲୋଡ୍‌ ହୋଇଛି। ୫ ଜଣ ଯୁବକ ଏକ ଅର୍ଦ୍ଧନିର୍ମିତ କୋଠା ସାମ୍‌ନାରେ ଛିଡ଼ା ହୋଇ ଅଶ୍ଳୀଳ ଧମକ ଦେଉଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ହାତରେ ଠେଙ୍ଗା ଧରିଛି। ପାଖରେ ଥିବା ଏକ କ˚କ୍ରିଟ୍‌ ମିକ୍ସଚର‌୍‌ ମେସିନ ଉପରେ ବି ୩ ଜଣ ଯୁବକ ବସିଛନ୍ତି। ସେହିଭଳି ଦ୍ବିତୀୟ ଭିଡିଓଟି ୨୩ ସେକେଣ୍ତ୍‌ର। ଯୋବ୍ରା ନିକଟ ନଦୀବାଲିରେ ସୁଟି˚ ହୋଇଥିବା ଅନୁମାନ କରାଯାଉଛି। ଦୁଇଜଣ ଯୁବକ ହାତରେ ଖଣ୍ତା ଧରିଥିବା ବେଳେ ଜଣେ ଧମକ ଦେଉଛି। ତୃତୀୟ ଭିଡିଓଟି ଯୋବ୍ରାରୁ ରାଣୀହାଟ କେନାଲ ଯାଏ ତାଳଦଣ୍ତା କେନାଲ ପାର୍ଶ୍ବରେ ସୁଟି˚ ହୋଇଥିବା ଜଣାପଡ଼ିଛି। ୨୫ ସେକେଣ୍ତର ଏହି ଭିଡିଓରେ ଜଣେ ଯୁବକ ହାତରେ ବନ୍ଧୁକ ଧରି ଧମକ ଦେଉଥିବା ଦେଖିବାକୁ ମିଳିଛି। ଏହି ବନ୍ଧୁକଟି ଜର୍ମାନୀ ତିଆରି ଭଳି ଦେଖିବାକୁ ଲାଗୁଛି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ମାଲଗୋଦାମ ଥାନା ପୁଲିସ ବନ୍ଧୁକକୁ କାଦୁଅ ନିକଟରୁ ଜବତ କରିଛି। ଏହା ଅସଲି ନୁହେଁ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଅବଶିଷ୍ଟ ୭ଟି ଭିଡିଓ ବି ଯୋବ୍ରା ତାଳଦଣ୍ତା କେନାଲ ରାସ୍ତାରେ ‘ଆଇ ଲଭ୍‌ କଟକ’ ଲେଖା ଥିବା ପାର୍କ ନିକଟରେ ରେକର୍ଡ ହୋଇଥିବା ଜଣାପଡ଼ିଛି।

ଡିସିପି ପ୍ରତୀକ ସି˚ହ କହିଛନ୍ତି, ଭିଡିଓ କରିଥିବା ଯୁବକଙ୍କୁ ଠାବ କରିବାକୁ ପୁଲିସକୁ କୁହାଯାଇଛି। ଯେଉଁ ସୋସିଆଲ୍‌ ମିଡିଆରେ ଏହି ଭିଡିଓ ପଡ଼ିଛି, ଉକ୍ତ ଲିଙ୍କ୍‌ ମାଧ୍ୟମରେ ସେମାନଙ୍କ ପରିଚୟ ବି ଠାବ କରିବାକୁ ଉଦ୍ୟମ ଚଳାଯାଇଥିବା ଶ୍ରୀ ସି˚ହ କହିଛନ୍ତି।

ସମ୍ବନ୍ଧିତ ଖବର