ଖୋର୍ଦ୍ଧା/ନିରାକାରପୁର: ଖୋର୍ଦ୍ଧା ଜିଲ୍ଲାରେ ପୁଣି ଆରମ୍ଭ ହୋଇଛି ଖଣି ମାଫିଆଙ୍କ ଦୌରାତ୍ମ୍ୟ। ଦିନ ଦ୍ବିପ୍ରହରରେ ୫ ଜଣ ସରକାରୀ ଅଧିକାରୀଙ୍କୁ ଗୋଡ଼େଇ ପିଟିବା ସହିତ ସେମାନଙ୍କ ଗାଡ଼ିକୁ ଭଙ୍ଗାରୁଜା କରିଛନ୍ତି। ନିରାକାରପୁର ଥାନା ଅଧୀନ ବଡ଼ପୋଖରିଆରେ ଘଟିଥିବା ଏହି ଘଟଣା ପ୍ରଶାସନିକସ୍ତରରେ ଚାଞ୍ଚଲ୍ୟ ଖେଳାଇଦେଇଛି। ଖୋର୍ଦ୍ଧା ଖଣି ଅଧିକାରୀ ଜଗନ ବେହେରାଙ୍କ କହିବା ମୁତାବକ, ଜିଲ୍ଲାରେ ନୂଆ ଖଣି ଚିହ୍ନଟ ପାଇଁ ଗତ କିଛି ଦିନ ହେଲା ପାଞ୍ଚ ବିଭାଗର ଅଧିକାରୀଙ୍କୁ ନେଇ ଯାଞ୍ଚ ଚାଲିଛି। ଆଜି ବଡ଼ପୋଖରିଆ ଗାଁକୁ ଯାଞ୍ଚ ଟିମ୍ ଯାଇଥିଲା। ଟିମ୍ରେ ଜଙ୍ଗଲ ବିଭାଗର ଏସିଏଫ୍ ସୁଶାନ୍ତ କୁମାର ବନ୍ଧ, ଭୂତତ୍ତ୍ବ ବିଜ୍ଞାନୀ ସୁଶାନ୍ତ ବେହେରା, ପରିବେଶ ବିଜ୍ଞାନୀ ସ୍ମୃତିରଞ୍ଜନ ପ୍ରଧାନ, ସର୍ଭେୟର ମାନସରଂଜନ ମହାନ୍ତ ଓ ରାଜସ୍ବ ସୁପରଭାଇଜର ଟୁଟୁ ସ୍ବାଇଁ ଯାଇଥିଲେ। ସର୍ଭେ ସରିବା ପରେ ଏହି ପାଞ୍ଚ ବିଭାଗର ଅଧିକାରୀ ଦୁଇଟି ଗାଡ଼ିରେ ଗାଁରୁ ଫେରୁଥିଲେ। ଅପରାହ୍ଣ ପ୍ରାୟ ୩ଟା ସମୟରେ ବଡ଼ପୋଖରିଆ ଶଅର ସାହି ନିକଟରେ ହଠାତ୍ ଦଳେ ଲୋକ ସଂଘବଦ୍ଧ ହୋଇ ଗାଡ଼ିକୁ ଅଟକାଇବା ସହିତ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରିଥିଲେ।
ଟେକାପଥର ମାରି ଦୁଇ ଗାଡ଼ିକୁ ଭଙ୍ଗାରୁଜା କରିବା ସହ ଉଭୟ ଗାଡ଼ିର ଡ୍ରାଇଭର, ମାଇନିଂ ଅଫିସର, ରାଜସ୍ବ ସୁପରଭାଇଜରଙ୍କୁ ନିର୍ଘାତ ମାଡ଼ ମାରିଥିଲେ। ଖଣି ଅଧିକାରୀ ଶ୍ରୀ ବେହେରାଙ୍କ ମୋବାଇଲ୍ ଛଡ଼ାଇ ନେଇ ଦୁର୍ବୃତ୍ତମାନେ ଫଟୋ ଡିଲିଟ୍ କରି ଦେଇଛନ୍ତି। ଏ ସଂପର୍କରେ ଖଣି ଅଧିକାରୀ ଶ୍ରୀ ବେହେରା କହିଛନ୍ତି ଯେ ସେ ନିରାକାରପୁର ଥାନାରେ ଅନଲାଇନରେ ୧୭ ଜଣଙ୍କ ନାମରେ ଏତଲା ଦେଇଛନ୍ତି। ଖଣି ବିଭାଗର ଡେପୁଟି ଡାଇରେକ୍ଟରଙ୍କ କହିବା କଥା ହେଲା ଜିଲ୍ଲାବ୍ୟାପି ଖଣି ସର୍ଭେ ଚାଲିଛି। ଆଜି ସର୍ଭେ ପାଇଁ ଯାଇଥିବା ବେଳେ ଖଣି ଅଧିକାରୀ, ବନ ବଭାଗ ଅଧିକାରୀଙ୍କୁ ଦଳେ ଲୋକ ମାଡ଼ ମାରିବା ସହିତ ଗାଡ଼ି ଭଙ୍ଗାରୁଜା କରିଛନ୍ତି। ବିଭାଗ ପକ୍ଷରୁ ୧୭ ଜଣଙ୍କ ନାମରେ ଏତଲା ଦିଆଯାଇଥିବା ସେ ସ୍ପଷ୍ଟ କରିଛନ୍ତି।
ଏନେଇ ନିରାକାରପୁର ଥାନା ଅଧିକାରୀ ବିଶ୍ବଜିତ ରାଉତରାୟଙ୍କୁ ପଚାରିବାରେ ସେ କହିଥିଲେ ଯେ ଯଦିଓ ବର୍ତ୍ତମାନ ସୁଦ୍ଧା ଆମ ପାଖରେ କୌଣସି ଅଭିଯୋଗ ହୋଇନାହିଁ। ଏଭଳି ଖବର ପାଇ ପୁଲିସ ଘଟଣା ସ୍ଥଳକୁ ଯାଇଥିଲା। ଘଟଣା ସ୍ଥଳରେ କେହି ନଥିବା ବେଳେ ଗାଡ଼ିର ଭଙ୍ଗା କାଚ ସେଠାରେ ପଡ଼ିଥିବା ଦେଖିବାକୁ ମିଳିଥିଲା ବୋଲି ସେ ସୂଚନା ଦେଇଛନ୍ତି। ଚଳିତବର୍ଷ ଖଣି ବିଭାଗ ଉପରେ ଏହା ଦ୍ବିତୀୟଥର ଆକ୍ରମଣ। ଜାନୁଆରି ୧୪ ତାରିଖରେ ଖୋର୍ଦ୍ଧା ଟାଉନ୍ ଥାନା ଅଞ୍ଚଳର ଏକ ଖଣି ଭିତରେ ଖଣି ଅଧିକାରୀ ଶ୍ରୀ ବେହେରାଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ଆଜି ଖଣି ବିଭାଗ ସହିତ ଅନ୍ୟ ବିଭାଗର ଅଧିକାରୀଙ୍କୁ ଗାଁ ଭିତରେ ସଂଘବଦ୍ଧ ଆକ୍ରମଣ ସରକାରୀ ଅଧିକାରୀ ମହଲରେ ଆତଙ୍କ ଖେଳାଇ ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/hgdjgjddjgg.jpg)