ବାଲେଶ୍ବର: ମଙ୍ଗଳବାର ଜମ୍ମୁ-କାଶ୍ମୀରର ପହଲଗାମ୍କୁ ବୁଲିବାକୁ ଯାଇଥିବା କିଛି ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ କିଛି ଓଡ଼ିଆ ଥିବା ଜଣାଯାଇଛି। ମୃତକଙ୍କ ମଧ୍ୟରେ ରହିଛନ୍ତି, ବାଲେଶ୍ବର ସହର ଉପକଣ୍ଠ ସଦର ଥାନା ସାରଗାଁ ପଞ୍ଚାୟତ ଇଶାଣି ଗ୍ରାମର ପ୍ରଶାନ୍ତ କୁମାର ଶତପଥୀ(୪୧)। ତେବେ ତାଙ୍କ ପତ୍ନୀ ବାଲେଶ୍ବର ବ୍ଲକ୍ ପ୍ରୋଗ୍ରାମ୍ କୋଅର୍ଡିନେଟର ପ୍ରିୟଦର୍ଶିନୀ ଆଚାର୍ଯ୍ୟ ଓ ପୁଅ ତନୁଜ ସୁରକ୍ଷିତ ଅଛନ୍ତି।
ପ୍ରଶାନ୍ତ ବାଲେଶ୍ବରସ୍ଥିତ ସିପେଟ୍ରେ ଆକାଉଣ୍ଟାଣ୍ଟ୍ ଭାବେ ଚାକିରି କରିଥିଲେ। ଗତ ରବିବାର ଦିନ ପତ୍ନୀ ପ୍ରିୟଦର୍ଶିନୀ ଓ ପୁଅ ତନୁଜଙ୍କୁ ସାଙ୍ଗରେ ନେଇ ଜମ୍ମୁ କଶ୍ମୀର ବୁଲିବାକୁ ଯାଇଥିଲେ। ଆଜିର ଘଟଣା ନେଇ ତାଙ୍କ ବଡ଼ଭାଇ ସୁଶାନ୍ତ କୁମାର ଶତପଥୀଙ୍କୁ ଅପରାହ୍ଣ ପ୍ରାୟ ୨ଟା ୩୦ ବେଳେ ଫୋନ୍ ଆସିଥିଲା। ପ୍ରଶାନ୍ତଙ୍କ ଦେହାନ୍ତ ହୋଇଥିବା ବେଳେ ତାଙ୍କ ପତ୍ନୀ ଓ ପୁଅ ସୁରକ୍ଷିତ ଥିବା ସୂଚନା ମିଳିଥିଲା। ଶ୍ରୀନଗରର ପହଲଗାମ୍କୁ ଅନ୍ୟ ପର୍ଯ୍ୟଟକଙ୍କ ସହ ସେମାନେ ବୁଲିବାକୁ ଯାଇଥିବା ବେଳେ ଆତଙ୍କୀମାନେ ସେମାନଙ୍କ ଧର୍ମ ପଚାରି ଗୁଳିବର୍ଷଣ କରିଥିବା ସୂଚନା ମିଳିଛି। ପ୍ରଶାନ୍ତଙ୍କ ମୃତ୍ୟୁ ଖବର ଶୁଣି ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ତାଙ୍କ ଘରକୁ ଲୋକଙ୍କ ସୁଅ ଛୁଟିଛି। ସେପଟେ ପ୍ରଶାନ୍ତଙ୍କ ମରଶରୀର ସହ ତାଙ୍କ ପତ୍ନୀ ଓ ପୁଅକୁ ସୁରକ୍ଷିତ ଭାବେ ଫେରାଇ ଆଣିବା ଲାଗି ପରିବାରବର୍ଗ ସରକାରଙ୍କୁ ନିବେଦନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/04/23/5jHcPitzJm2Vs98FC27u.jpg)