ଓଡ଼ିଶା ଉପରେ ଆତଙ୍କବାଦୀଙ୍କ ନଜର: ୨୦୧୯ରେ ସତର୍କ କରିଥିଲା ଏନ୍‌ଆଇଏ

ଓଡ଼ିଶାକୁ ସୁରକ୍ଷିତ ସ୍ଥାନ ମଣୁଛନ୍ତି ଆତଙ୍କବାଦୀ: ସଂଜୀବ ମାରିକ

କଟକ : ଓଡ଼ିଶାରେ ସାଂପ୍ରଦାୟିକ ଭେଦଭାବ ଅଥବା ହିଂସା ନାହିଁ। ତେଣୁ ଓଡ଼ିଶାରେ ଆସି ଲୁଚିବାକୁ ଆତଙ୍କାବଦୀ ସୁରକ୍ଷିତ ମନେକରୁଛନ୍ତି। ଏଭଳି ତଥ୍ୟ ରଖିଛନ୍ତି ପୂର୍ବତନ ପୁଲିସ ଡିଜି ସଂଜୀବ ମାରିକ। ଶ୍ରୀ ମାରିକ କହିଛନ୍ତି ଯେ କଟକ, କେନ୍ଦ୍ରାପଡ଼ା, ବାଲେଶ୍ବର, ଭଦ୍ରକ ଓ ରାଉରକେଲା ଅଞ୍ଚଳରେ ଆତଙ୍କବାଦୀ ଆଶ୍ରୟ ନେଉଛନ୍ତି। ଓଡ଼ିଶାର ଏହି ସବୁ ଅଞ୍ଚଳରେ ଏଭଳି ୧୫ରୁ ୨୦ ଆତଙ୍କବାଦୀ ଆଶ୍ରୟ ନେଇଛନ୍ତି। ଓଡ଼ିଶାରେ ଆଇଏସ୍‌ଆଇ, ଲସ୍କର-ଏ-ତୋଏବା, ସିମି, ଜେଏମ୍‌ବିର ସଦସ୍ୟ ରହିଛନ୍ତି। ସେମାନେ ଏକ କଭର ନେଇରୁହନ୍ତି। ଧରା ନ ପଡ଼ିବା ପାଇଁ ବ୍ୟବସାୟୀ, ମିସ୍ତ୍ରି ଭାବେ କାମ କରନ୍ତି। ଏବେ ଓଡ଼ିଶା ପୁଲିସ ଉଭୟ ଏନ୍‌ଆଇଏ ଏବଂ ପଶ୍ଚିମବଙ୍ଗ ପୁଲିସ ସହଯୋଗରେ ଆତଙ୍କବାଦୀଙ୍କୁ ଓଡ଼ିଶା ଦୃଷ୍ଟିକୋଣରୁ ପଚରାଉଚରା କରିବା ଆବଶ୍ୟକ ବୋଲି ଶ୍ରୀ ମାରିକ କହିଛନ୍ତି।

ଅନ୍ୟପଟେ ଜମାତ-ଉଲ୍-ମୁଜାହିଦ୍ଦିନ ବାଙ୍ଗଲାଦେଶ (ଜେଏମବି)ର ସଦସ୍ୟ ଓଡ଼ିଶାରେ ସକ୍ରିୟ ଥିବା ସଂପର୍କରେ ୨୦୧୯ରେ ଏନ୍‌ଆଇଏ (ଜାତୀୟ ତଦନ୍ତକାରୀ ସଂସ୍ଥା)ର ନିର୍ଦ୍ଦେଶକ ଯୋଗେଶ ଚନ୍ଦ୍ର ମୋଦି ଓଡ଼ିଶା ପୁଲିସ ବିଭାଗକୁ ସତର୍କ କରାଇଥିଲା। ଜେଏମ୍‌ବିର ୧୨୫ ଜଣ ସଦସ୍ୟ ଓଡ଼ିଶା ସମେତ ଆସାମ, ଝାଡ଼ଖଣ୍ଡରେ ଥିବା ତାଲିକା ମଧ୍ୟ ସେତେବେଳେ ଦିଆଯାଇଥିଲା। ଗଲା ରବିବାର କଲିକତା ପୁଲିସର ଏସ୍‌ଟିଏଫ୍ ହାତରେ ଧରାପଡ଼ିଥିବା ୩ ଜଣ ଜେଏମ୍‌ବି ସଦସ୍ୟଙ୍କ ଅନ୍ୟ ୧୦ ସହଯୋଗୀଙ୍କ ମଧ୍ୟରୁ କେତେଜଣ ଓଡ଼ିଶାକୁ ଆସିଥିବା ସଂପର୍କିତ ଖବର ସାଙ୍ଗକୁ ପୂର୍ବତନ ଡିଜି ଏବଂ ଏନ୍‌ଆଇଏର ପୂର୍ବ ସୂଚନା ଓଡ଼ିଶାକୁ ଅଧିକ ସମ୍ବେଦନଶୀଳ ଅଞ୍ଚଳରେ ପରିଣତ କରିଛି।

ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଓଡ଼ିଶାରେ ଆତଙ୍କବାଦୀ ଗୋଷ୍ଠୀ ମୁଖ୍ୟତଃ କଟକର ଓଡ଼ିଆ ବଜାର, କେନ୍ଦ୍ରାପଡ଼ା ଟାଉନ, ଜଗତ୍‌ସିଂହପୁରର କୁଜଙ୍ଗ, ପାରାଦୀପ, ଭଦ୍ରକର ନଙ୍ଗାମହଲା, ବାଲେଶ୍ବର ଜିଲ୍ଲାର ଚାନ୍ଦିପୁର ସମୁଦ୍ର କୂଳ, କଶାଫଳ, ଅରଡ଼ ବଜାର, ସୁନାହାଟ, ରାଉରକେଲାର ନାଲାରୋଡ ଇତ୍ୟାଦି ଅଞ୍ଚଳକୁ ଆଶ୍ରୟ ପାଇଁ ସୁରକ୍ଷିତ ସ୍ଥାନ ଧରି ନେଇଛନ୍ତି। ସରକାରୀ ଭାବେ ରାଜ୍ୟରେ ମୋଟ ୩ ହଜାର ୯୮୭ ବାଂଲାଦେଶୀ ରହୁଥିବା ବେଳେ ସର୍ବାଧିକ କେନ୍ଦ୍ରାପଡ଼ାରେ ୧୬୪୯ ଏବଂ ଜଗତ୍‌ସିଂହପୁରରେ ୧୧୧୨ ବାଂଲାଦେଶୀ ଆଶ୍ରୟ ନେଇଛନ୍ତି। କିନ୍ତୁ ବେସରକାରୀ ଭାବେ ଏହି ସଂଖ୍ୟା ରାଜ୍ୟରେ ଲକ୍ଷାଧିକ ହେବ ବୋଲି କୁହାଯାଉଛି।

ପୂର୍ବରୁ ଅଲ୍-କାଏଦାର ସହଯୋଗୀ ଜଗତପୁରର ଅବଦୁଲ ରହେମାନ ୫ ଆତଙ୍କବାଦୀଙ୍କୁ କଟକର ଓଡ଼ିଆ ବଜାର, କୁଜଙ୍ଗ ଓ କେନ୍ଦ୍ରାପଡ଼ାରେ ଭଡ଼ାରେ ରଖିଥିଲା। ସିମି ଆତଙ୍କବାଦୀ ଗୋଷ୍ଠୀର ୫ ସଦସ୍ୟ ପ୍ରଥମେ ଭଦ୍ରକ ନଙ୍ଗାମହଲାରେ ସାର କମ୍ପାନି କର୍ମଚାରୀ ପରିଚୟରେ ଓ ପରେ ରାଉରକେଲା କ୍ବେରେସି ମହଲ୍ଲାରେ ବ୍ୟବସାୟୀ ପରିଚୟରେ ଭଡ଼ାରେ ରହୁଥିଲେ। ସେହିଭଳି ଲସ୍କର-ଏ-ତୋଇବାର ସଦସ୍ୟ କେନ୍ଦ୍ରାପଡ଼ାର ହବିବୁର ରହେମାନର ସହଯୋଗୀ ଶେଖ ଅବଦୁଲ ନଇମ୍ ଓରଫ ନୋମିକୁ ଓଡ଼ିଆ ବଜାରରେ ଭଡ଼ାରେ ରଖିଥିବାର ତଥ୍ୟ ରହିଛି।

ସମ୍ବନ୍ଧିତ ଖବର