ଚାନ୍ଦିପୁର : ସ୍ଥଳ ଭାଗରୁ ସ୍ଥଳ ଭାଗକୁ ନିକ୍ଷେପ କରାଯାଇ ପାରୁଥିବା ସ୍ୱଳ୍ପ ଦୂରଗାମୀ ‘ପୃଥ୍ଵୀ-୨’ କ୍ଷେପଣାସ୍ତ୍ରର ପରୀକ୍ଷଣ ହୋଇଛି। ମିଳିଥିବା ସୂଚନାନୁଯାୟୀ, ବାଲେଶ୍ୱର ଚାନ୍ଦିପୁରସ୍ଥିତ ଆଇଟିଆର ୩ନମ୍ବର ଲଞ୍ଚପ୍ୟାଡ୍ରୁ ଆଜି ରାତି ସାଢ଼େ ୮ଟା ସମୟରେ ‘ପୃଥ୍ଵୀ-୨’ର ପରୀକ୍ଷଣ କରାଯାଇଥିଲା। ଏହି ପରୀକ୍ଷଣକୁ ମିଶାଇଲେ ଚଳିତବର୍ଷ ଏହା ୨ୟ ଥର ପାଇଁ ପରୀକ୍ଷଣ ହୋଇଥିବା ଜଣାପଡ଼ିଛି। ଚଳିତ ମାସ ୭ ତାରିଖରେ ଏହାର ପ୍ରଥମ ପରୀକ୍ଷଣ ହୋଇଥିଲା। ଡିଆରଡିଓ ସହଯୋଗରେ ପ୍ରତିରକ୍ଷା ବାହିନୀର ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡ ଦ୍ୱାରା ‘ପୃଥ୍ଵୀ-୨’ ଏକ ନିୟମିତ ବ୍ୟାବହାରିକ ପରୀକ୍ଷଣ। ଏହା ୧ହଜାର କିଗ୍ରା ପର୍ଯ୍ୟନ୍ତ ପାରମ୍ପରିକ ତଥା ଆଣବିକ ଯୁଦ୍ଧାସ୍ତ୍ର ବହନ କ୍ଷମତା ରଖୁଛି। ୩୫୦ କିଲୋମିଟର ପର୍ଯ୍ୟନ୍ତ ମାରକ କ୍ଷମତା ରହିଥିବା ‘ପୃଥ୍ଵୀ-୨’କୁ ଭାରତୀୟ ସେନାର ୩୩୩-କ୍ଷେପଣାସ୍ତ୍ରରେ ରେଜିମେଣ୍ଟରେ ସାମିଲ କରାଯାଇଛି। ଏହାର ଲମ୍ବ ୮.୫୬ ମିଟର, ମୋଟେଇ ୧୧୦ସେମି ଏବଂ ଓଜନ ୪.୬ଟନ୍ ହୋଇଥିବା ବେଳେ ଏହା ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ। ଏହାକୁ ପ୍ରଥମେ ୧୯୯୬ରେ ପରୀକ୍ଷା କରାଯାଇଥିବା ବେଳେ ୨୦୦୩ରୁ ଭାରତୀୟ ସେନାରେ ସାମିଲ କରାଯାଇଛି। ଏହା ପୂର୍ବରୁ ଗତବର୍ଷ ଜୁନ୍ ୬ତାରିଖରେ ଏହାର ପରୀକ୍ଷଣ କରାଯାଇଥିଲା।
‘ପୃଥ୍ଵୀ-୨’ର ପରୀକ୍ଷଣ
/sambad/media/post_attachments/wp-content/uploads/2018/02/Prithvi-2.jpg)