ଜାପାନୀ ଜରକୁ ନେଇ ତନାଘନା

ଭୁବନେଶ୍ୱର: ରାଜ୍ୟରେ ବର୍ଷକ ପରେ ପୁଣିଥରେ ଜାପାନୀ ଜର (ଜେଇ)ରେ ତିନି ଶିଶୁ ଆକ୍ରାନ୍ତ ହେବା ନେଇ ଆଜି ‘ସମ୍ବାଦ’ରେ ରିପୋର୍ଟ ପ୍ରକାଶ ପାଇବା ପରେ ସ୍ୱାସ୍ଥ୍ୟ ବିଭାଗ ତତ୍ପର ହୋଇଉଠିଛି। ଜେଇର ଟିକାକରଣ ସତ୍ତ୍ୱେ କେଉଁ ପରିସ୍ଥିତିରେ ପୁଣିଥିରେ ଜାପାନୀ ଜର ଦେଖାଦେଲା ତାହାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି। ଜାପାନୀ ଜରରେ ପ୍ରାଣ ହରାଇଥିବା ଶିଶୁକନ୍ୟା ମୃତ୍ୟୁର କାରଣ ଖୋଜିବା ପାଇଁ ଏକ ୫ଜଣିଆ ବରିଷ୍ଠ ଡାକ୍ତରୀଦଳ ଗଠନ କରାଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପ୍ରଥମ ଦିନରେ ଏହି ଡାକ୍ତରୀଦଳ ଆକ୍ରାନ୍ତମାନେ ଚିକିତ୍ସିତ ହେଉଥିବା ଘରୋଇ ହସ୍ପିଟାଲକୁ ଯାଇ ତଥ୍ୟ ସଂଗ୍ରହ କରିଥିବା ଜଣାପଡ଼ିଛି। ଏହି ଜର ହଠାତ୍‌ ବ୍ୟାପିଛି କି ପୂର୍ବରୁ ଲୋକଙ୍କ ଦେହରେ ଏହି ଭାଇରସ୍‌ ରହିଥିଲା ତାହା ଜାଣିବା ପାଇଁ ଏହି ଡାକ୍ତରୀଦଳ ଉଦ୍ୟମ କରୁଛନ୍ତି। ଏହାଛଡ଼ା ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ମଧ୍ୟ ସତର୍କ ଦୃଷ୍ଟି ରଖାଯାଇଛି।
ଜାପାନୀ ଜରକୁ ନେଇ ସ୍ୱାସ୍ଥ୍ୟ ବିଭାଗ ତନାଘନା ଆରମ୍ଭ କରିଥିବା ସଂପର୍କରେ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି, ୨୦୧୭ ମସିହାରେ ରାଜ୍ୟରେ ଜଣେ ହେଲେ ବ୍ୟକ୍ତି ଜାପାନୀ ଜରରେ ପ୍ରାଣ ହରାଇ ନ ଥିବା ବେଳେ ଚଳିତବର୍ଷ ୩ଟି ଘଟଣା ନଜରକୁ ଆସିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଅନ୍ୟ ଜଣେ ଚିକିତ୍ସାଧୀନ ରହିଥିବା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ସତର୍କ ଦୃଷ୍ଟି ରଖାଯାଇଛି। ୫ ଜଣିଆ ଡାକ୍ତରୀଦଳ ତଦନ୍ତ ଆରମ୍ଭ କରିଛନ୍ତି ଏବଂ ଖୁବଶୀଘ୍ର ସେମାନେ ରିପୋର୍ଟ ପ୍ରଦାନ କରିବେ। ରାଜ୍ୟର ୧୮ଟି ଜିଲ୍ଲାରେ ଜେଇ ଟିକାକରଣ କରାଯାଇଛି। ତଥାପି କାହିଁକି ଜାପାନୀ ଜର ଦେଖାଦେଲା ତାହାର କାରଣ ଖୋଜାଯାଉଛି। ସ୍ୱାସ୍ଥ୍ୟ ବିଭାଗ ଏ ନେଇ ସଚେତନ ଅଛି ଓ ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖାଯାଇଥିବା ଶ୍ରୀ ଜେନା କହିଛନ୍ତି।

8ଶିଶୁକନ୍ୟା ମୃତ୍ୟୁର ତଦନ୍ତ ପାଇଁ ୫ ଜଣିଆ ଡାକ୍ତରୀଦଳ ଗଠିତ
8ଘରୋଇ ହସ୍ପିଟାଲରେ ଆକ୍ରାନ୍ତଙ୍କ ରେକର୍ଡ ଯାଞ୍ଚ
8ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖାଯାଇଛି: ସ୍ୱାସ୍ଥ୍ୟମନ୍ତ୍ରୀ

ଏହି ୫ଜଣିଆ ବରିଷ୍ଠ ଡାକ୍ତରୀଦଳରେ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଡା.କୈଳାସ ଚନ୍ଦ୍ର ଦାଶ, ଜନସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦେଶକ ଡା.ବିକାଶ ପଟ୍ଟନାୟକ, ଏନ୍‌ଭିବିଡିସିପର ଯୁଗ୍ମ ନିର୍ଦେଶକ ଡା.ମଦନ ମୋହନ ପ୍ରଧାନ, ଆରଏମ୍‌ଆସିର ବୈଜ୍ଞାନିକ ବି.ଦ୍ୱିବେଦୀ ଓ ଶିଶୁରୋଗ ବିଶେଷଜ୍ଞ ଡା.ଆଦିତ୍ୟ ମହାପାତ୍ର ରହିଛନ୍ତି। ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଡା.କେ.ସି ଦାଶ କହିଛନ୍ତି, ଜାପାନୀ ଜରରେ ଆକ୍ରାନ୍ତ ଶିଶୁମାନେ ଚିକିତ୍ସିତ ହୋଇଥିବା ଘରୋଇ ହସ୍ପିଟାଲରେ ପହଞ୍ଚି ୫ ଜଣିଆ ଡାକ୍ତରୀଦଳ ରେକର୍ଡପତ୍ର ଯାଞ୍ଚ କରିଛନ୍ତି। ୨୦୧୬ ମସିହାରେ ଜାପାନୀ ଜର ଯେଉଁ ଭଳି ଗୋଟିଏ ନିର୍ଦିଷ୍ଟ ଅଞ୍ଚଳରେ ବ୍ୟାପିଥିଲା, ଚଳିତବର୍ଷ ସେଭଳି ଘଟଣା ନଜରକୁ ଆସିନାହିଁ। ତେବେ ଏଥିରେ ହୋଇଥିବା ମୃତ୍ୟୁର ଅନୁଧ୍ୟାନ କରାଯାଇ ରିପୋର୍ଟ ପ୍ରଦାନ କରାଯିବ ବୋଲି ଡା.ଦାଶ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ବର୍ଷେ ବ୍ୟବଧାନ ପରେ ରାଜ୍ୟରେ ଜାପାନୀ ଜର ଦେଖା ଦେଇଥିବା ଖବର ଆଜି କେବଳ ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ଏଥିରେ ଖୋର୍ଧା ଜିଲ୍ଲା ଭୂଷଣ୍ଢପୁର ଅଞ୍ଚଳର ଜଣେ ଶିଶୁକନ୍ୟା ଶୁଭଲକ୍ଷ୍ମୀ ବେହେରା(୯) ପ୍ରାଣ ହରାଇଥିବା ବେଳେ ଅନ୍ୟ ଦୁଇ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଡିସଚାର୍ଜ ହୋଇଥିବା ଓ ଅନ୍ୟ ଜଣଙ୍କୁ ଜେଇ ସନ୍ଦେହରେ ଚିକିତ୍ସା କରାଯାଉଥିବା ପ୍ରକାଶ ପାଇଥିଲା। ଗତବର୍ଷ ଡିସେମ୍ବର ମାସ ଶେଷ ସୁଦ୍ଧା ୧୩ଟି ଜିଲ୍ଲାରେ ପ୍ରାୟ ୫୨ଲକ୍ଷ ୪୧ହଜାର ୮୩୨ଜଣଙ୍କୁ ଜେଇ ଟିକା ପ୍ରଦାନ କରାଯାଇଥିବା ସତ୍ତ୍ୱେ ପୁନର୍ବାର ରାଜ୍ୟରେ ଜାପାନୀ ଜର ଦେଖା ଯିବାକୁ ନେଇ ହଇଚଇ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର