ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଦ୍ବାରା ପରିଚାଳିତ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା ଶେଷ ହୋଇଛି। ଫେବ୍ରୁଆରି ୧୬ରୁ ଥିଓରି ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ପରୀକ୍ଷା ପରିଚାଳନା ଉପରେ ପରିଷଦ ପକ୍ଷରୁ ଅଧିକ ଗୁରୁତ୍ବାରୋପ କରାଯାଇଛି। ଥିଓରି ପରୀକ୍ଷାରେ କପି ରୋକିବାକୁ ଏଥର ୩ ସ୍ତରୀୟ ସ୍କ୍ବାଡ୍ ନିଯୁକ୍ତ ହେବେ। ଗଣଶିକ୍ଷା ବିଭାଗୀର ଅଧିକାରୀମାନଙ୍କୁ ନେଇ ଗୋଟିଏ ସ୍କ୍ବାଡ୍ ଗଠନ ହେବାକୁ ଥିବା ବେଳେ ଅଧ୍ୟାପକମାନଙ୍କୁ ନେଇ ଦୁଇ ସ୍ତରୀୟ ସ୍କ୍ବାଡ୍ ଯଥା ସେଣ୍ଟ୍ରାଲ ଓ ଜୋନାଲ୍ ଫ୍ଲାଇଂ ସ୍କ୍ବାଡ୍ ପରୀକ୍ଷା କେନ୍ଦ୍ର ଗସ୍ତ କରିବା ସହ ତଦାରଖ କରିବେ। କନିଷ୍ଠ ଅଧ୍ୟାପକ/ପିଜିଟି ରୢାଙ୍କ୍ ଉପରକୁ ଏବଂ ୫ ବର୍ଷ ଶିକ୍ଷାଦାନର ଅଭିଜ୍ଞତା ଥିବା ଅଧ୍ୟାପକମାନେ ଏହି ଦୁଇ ସ୍କ୍ବାଡ୍ରେ ସାମିଲ ହେବେ। କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ସାଢ଼େ ୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ତାହାକୁ ଦୃଷ୍ଟିରେ ରଖି ୭ଟି ଉପ ପରୀକ୍ଷା କେନ୍ଦ୍ର ସହ ୧୧୫୮ଟି ପରୀକ୍ଷା କେନ୍ଦ୍ର ହୋଇଛି। ୪୪୩ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ବିଭିନ୍ନ ପରୀକ୍ଷା କେନ୍ଦ୍ର ଓ ଉପପରୀକ୍ଷା କେନ୍ଦ୍ର ସହ ଟ୍ୟାଗ୍ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ବରର କିସ୍, ନୀଳାଦ୍ରିବିହାର ସରସ୍ବତୀ ଜ୍ଞାନ ମନ୍ଦିର, କିଟ୍ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଆଇଟିଇଆର, ଆଦ୍ୟାନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସମ୍ବଲପୁର ଜିଲ୍ଲାର ଚନ୍ଦ୍ରଶେଖର ବେହେରା ଜିଲ୍ଲା ହାଇସ୍କୁଲ, ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ନୀଳକଣ୍ଠନଗର ସରସ୍ବତୀ ବିଦ୍ୟାମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉପ ପରୀକ୍ଷା କେନ୍ଦ୍ର ହୋଇଛି। ଯୁକ୍ତ୨ ପରୀକ୍ଷା ପରିଚାଳନା କରିବାକୁ ୨୦୨ଟି ହବ୍ ପ୍ରତିଷ୍ଠା ହୋଇଛି। କେଉଁ ହବ୍ ଅଧିନରେ କେତୋଟି ପରୀକ୍ଷା କେନ୍ଦ୍ର ରହିଛି ତାହାର ତାଲିକା ଇତିମଧ୍ୟରେ ପ୍ରକାଶ ପାଇଛି। ହବ୍ ହୋଇଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜର ଅଧ୍ୟକ୍ଷଙ୍କୁ ଏହାର ସୁପରଭାଇଜର ଭାବେ ନିଯୁକ୍ତି ଦିଆଯାଇଛି। ଯଦି କୌଣସି କଲେଜ ଅଧ୍ୟକ୍ଷଙ୍କ ପୁଅ, ଝିଅ, ସ୍ବାମୀ, ସ୍ତ୍ରୀ, ଭାଇ, ଭଉଣୀ, ବାପା, ମା’ ପରୀକ୍ଷା ଦେଉଥିବେ ତାହା ହେଲେ ତାଙ୍କୁ ସୁପରଭାଇଜର ଭାବେ ନିଯୁକ୍ତି ଦିଆଯିବ ନାହିଁ। ତାଙ୍କ ସ୍ଥାନରେ କଲେଜର ବରିଷ୍ଠ ଅଧ୍ୟାପକ ହବ୍ ସୁପରଭାଇଜର ପଦବିରେ ଅଧିଷ୍ଠିତ ହେବେ।
ପରୀକ୍ଷା କେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟଙ୍କ କ୍ଷେତ୍ରରେ ମଧ୍ୟ ସମାନ ନିୟମ ଲାଗୁ ହେବ। ପ୍ରତି ପରୀକ୍ଷା କେନ୍ଦ୍ରରେ ଜଣେ ଲେଖାଏ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ରହିବା ବାଧ୍ୟତାମୂଳକ। ଏହାବ୍ୟତୀତ ପରୀକ୍ଷାର୍ଥୀଙ୍କ ସଂଖ୍ୟାକୁ ନଜରରେ ରଖି ପରୀକ୍ଷା କେନ୍ଦ୍ରରେ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ନିଯୁକ୍ତ ହେବେ। ଜାନୁଆରି ୩୧ ସୁଦ୍ଧା ପରୀକ୍ଷା କେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟଙ୍କ ନାମ ଓ ଯୋଗାଯୋଗ ନମ୍ବର ପଠାଇବାକୁ ପରିଷଦ ପକ୍ଷରୁ କୁହାଯାଇଛି। ହାତରେ ଆଉ ମାତ୍ର ଏକ ମାସ ସମୟ ରହିଥିବାରୁ ହବ୍ ଷ୍ଟଙ୍ଗ୍ ରୁମ୍ରେ ସିସିଟିଭି କ୍ୟାମେରା ଲଗାଇବା ସହ ଏଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ କଲେଜ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କଲେଜର ଅଧ୍ୟାପକଙ୍କ ତଥ୍ୟ ସମ୍ପର୍କରେ ଯେଉଁ ଶିକ୍ଷାନୁଷ୍ଠାନ ଦେଇ ନ ଥିବେ ସେମାନେ ୨୫ ତାରିଖ ସୁଦ୍ଧା ଯୋଗ୍ୟ ଅଧ୍ୟାପକଙ୍କ ତାଲିକା ଭୁବନେଶ୍ବର ମୁଖ୍ୟାଳୟ ସମେତ ବାରିପଦା, ସମ୍ବଲପୁର ଓ ବ୍ରହ୍ମପୁର ଜୋନାଲ୍ କାର୍ଯ୍ୟାଳୟକୁ କଲେଜଗୁଡ଼ିକ ପଠାଇବେ। ସେପଟେ ପ୍ରାକ୍ଟିକାଲ ପରୀକ୍ଷା ଶେଷ ହୋଇଥିବାରୁ ଫର୍ମ ପୂରଣ କରି ପରୀକ୍ଷା ଦେଇ ନ ଥିବା ତଥା ଅନୁପସ୍ଥିତ ପରୀକ୍ଷାର୍ଥୀଙ୍କ ତଥ୍ୟ ପ୍ରଦାନ କରିବାକୁ ସମସ୍ତ କଲେଜ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। କେଉଁ ବିଭାଗ, ବିଷୟ, ରୋଲ୍ ନମ୍ବର ଓ ପଞ୍ଜିକରଣ ନମ୍ବରର ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଛନ୍ତି ସେନେଇ ଜାନୁଆରି ୩୧ ସୁଦ୍ଧା ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି।