ବାଲେଶ୍ବର: ଭଦ୍ରକ ଧାମରାସ୍ଥିତ ଅବଦୁଲ କଲାମ୍‌ ଦ୍ବୀପରୁ ଶୁକ୍ରବାର ବହୁ ଦୂରଗାମୀ ଯୁଦ୍ଧପୋତ ବିଧ୍ୱଂସକାରୀ କ୍ଷେପଣାସ୍ତ୍ର (ଏଲ୍‌ଆର୍‌ଏଏସ୍‌ଏମ୍‌)ର ସଫଳ ପରୀକ୍ଷଣ ହୋଇଛି। ଡିଆରଡିଓର ବରିଷ୍ଠ ଅଧିକାରୀ ଓ ପ୍ରତିରକ୍ଷା ବୈଜ୍ଞାନିକଙ୍କ ଉପସ୍ଥିତିରେ ପୂର୍ବାହ୍ନ ୧୦ଟାରେ ଏହି କ୍ଷେପଣାସ୍ତ୍ରକୁ ୪ ନମ୍ବର ଲଞ୍ଚ୍‌ପ୍ୟାଡ୍‌ରୁ ଉତ୍‌​କ୍ଷେପଣ କରାଯାଇଥିଲା। ପ୍ରତିରକ୍ଷା ଗବେଷଣା ବିକାଶ ସଂଗଠନ (ଡିଆରଡିଓ) ଦ୍ବାରା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ବିଧ୍ୱଂସକାରୀ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦୀ କ୍ଷମତା ୧୭୦୦ କିଲୋମିଟର ପର୍ଯ୍ୟନ୍ତ ରହିଛି। ସ୍ବଦେଶୀ ଜ୍ଞାନକୌଶଳକୁ ଉପଯୋଗ କରି ଭାରତ ଏହି କ୍ଷେପଣାସ୍ତ୍ର ପ୍ରସ୍ତୁତ କରିଥିବା ବେଳେ ଏହା ପୂର୍ବରୁ ଶବ୍ଦଠାରୁ ୩ ଗୁଣ ବେଗରେ ଗତି କରୁଥିବା ସୁପରସୋନିକ୍‌ କ୍ଷେପଣାସ୍ତ୍ର ‘ବ୍ରହ୍ମୋସ’କୁ ଜଳ, ସ୍ଥଳ ଓ ଆକାଶମାର୍ଗରେ ବ୍ୟବହାର ଉପଯୋଗୀ କରାଯାଇସାରିଛି।

Advertisment

‘ପୃଥିବୀ’, ‘ଆକାଶ’, ‘ଅଗ୍ନି’ ପ୍ରଭୃତି କ୍ଷେପଣାସ୍ତ୍ର ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା ବେଳେ ‘ନାଗ’ ହେଉଛି ଭାରତର ଅତ୍ୟାଧୁନିକ ଟ୍ୟାଙ୍କ୍‌ ବିଧ୍ବଂସକାରୀ କ୍ଷେପଣାସ୍ତ୍ର। ଅତ୍ୟାଧୁନିକ ଏଲ୍‌ଆର୍‌ଏଏସ୍‌ଏମ୍‌ କ୍ଷେପଣାସ୍ତ୍ର। ‘ବ୍ରହ୍ମୋସ୍‌’ ଭଳି ଏହାକୁ ମଧ୍ୟ ଯୁଦ୍ଧପୋତରୁ ନିକ୍ଷେପ କରିହେବ। କହିବାକୁ ଗଲେ ଜଳଭାଗରେ ଏହା ହେଉଛି ପୃଥିବୀର ଦ୍ରୁତତମ କ୍ଷେପଣାସ୍ତ୍ର। ଆମେରିକାର ବହୁଚର୍ଚ୍ଚିତ ହାର୍ପୁନ୍ କ୍ଷେପଣାସ୍ତ୍ର ପରି ଏହା ବିଶାଳ ଯୁଦ୍ଧପୋତ ଓ ବୁଡ଼ାଜାହାଜକୁ ଅଚିରେ ଧ୍ବଂସ କରିବାର କ୍ଷମତା ରଖିଛି। ଏହାଛଡ଼ା ସ୍ଥଳ, ବାୟୁ ଓ ଜଳରୁ ମଧ୍ୟ ଏହାକୁ ଶତ୍ରୁପକ୍ଷ ଉଦ୍ଦେଶ୍ୟରେ ଟାର୍ଗେଟ୍‌ କରାଯାଇପାରିବ ବୋଲି ଜଣାପଡ଼ିଛି।