ବାଲେଶ୍ବର/ଚାନ୍ଦିପୁର : ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇପାରୁଥିବା ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର (ଭିଏଲ୍ଏସ୍ଆର୍-ସାମ୍)ର ଶୁକ୍ରବାର ଦିନ ପରୀକ୍ଷଣ ହୋଇଛି।
ବଙ୍ଗୋପସାଗର ଚାନ୍ଦିପୁର ଉପକୂଳରେ ଶୁକ୍ରବାର ଦିନ ଗୋଟାଏ ୨୮ ମିନିଟ୍ରେ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆର୍ଡିଓ) ଓ ଭାରତୀୟ ନୌସେନାର ମିଳିତ ଉଦ୍ୟମରେ ଏହାର ଆକାଶମାର୍ଗ ପରୀକ୍ଷଣ ସଫଳ ହୋଇଥିଲା। ଭିଏଲ୍ଏସ୍ଆର୍-ସାମ୍ କ୍ଷେପଣାସ୍ତ୍ର ହେଉଛି ସାମୁଦ୍ରିକ ଯୁଦ୍ଧ ଜାହାଜରେ ଖଞ୍ଜା ହେଉଥିବା ଏକ ଅତ୍ୟାଧୁନିକ ଅସ୍ତ୍ର ପ୍ରଣାଳୀ। ଯାହାକି ସମୁଦ୍ର ତଥା ଆକାଶମାର୍ଗରୁ ଆସୁଥିବା ବିଭିନ୍ନ ପ୍ରକାର ବିପଦ ଓ ଯୁଦ୍ଧାସ୍ତ୍ରକୁ ନିମିଷକେ ମଧ୍ୟରେ ଧ୍ବଂସ କରିବାକୁ ସମର୍ଥ। ଆକାଶମାର୍ଗରେ ଏକ ନକଲି ବିମାନ (ଡ୍ରୋନ୍)କୁ ନିର୍ଦ୍ଦିଷ୍ଟ ଉଚ୍ଚତାରେ ଛଡ଼ାଯିବା ପରେ ଏହି କ୍ଷେପଣାସ୍ତ୍ର ପ୍ରଣାଳୀକୁ ଯୁଦ୍ଧପୋତରୁ ଉତ୍କ୍ଷେପଣ କରାଯାଇଥିଲା ଏବଂ ଏହା ସଫଳତାପୂର୍ବକ ନିର୍ଦ୍ଧାରିତ ଲକ୍ଷ୍ୟଭେଦ କରିବାରେ ସକ୍ଷମ ହୋଇଥିଲା। ଚାନ୍ଦିପୁର ସମନ୍ବିତ ପରୀକ୍ଷଣ ଘାଟି (ଆଇଟିଆର୍) ପକ୍ଷରୁ ଏକାଧିକ ଟ୍ରାକିଂ ଉପକରଣ ମାଧ୍ୟମରେ କ୍ଷେପଣାସ୍ତ୍ରର ଗତି, ମାର୍ଗ ସମେତ ସମସ୍ତ କାର୍ଯ୍ୟକ୍ଷମତା ମାପଦଣ୍ଡ ନିରୀକ୍ଷଣ କରାଯାଇଥିଲା। ଡିଆର୍ଡିଓ ଓ ଭାରତୀୟ ନୌସେନାର ବରିଷ୍ଠ ଅଧିକାରୀମାନେ ଏହି କ୍ଷେପଣାସ୍ତ୍ର ପରୀକ୍ଷଣର ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଅନୁଧ୍ୟାନ କରିଥିଲେ।
ଭିଏଲ୍ଏସ୍ଆର୍- ସାମ୍ର ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆରଡିଓ, ଭାରତୀୟ ନୌସେନା ଓ ପ୍ରତିରକ୍ଷା ସହ ଜଡ଼ିତ ଉଦ୍ୟୋଗ ଜଗତକୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ଏହି କ୍ଷେପଣାସ୍ତ୍ର ପ୍ରଣାଳୀ ସାମିଲ ହେବା ଫଳରେ ଆକାଶମାର୍ଗରୁ ଆସୁଥିବା ବିପଦକୁ ଭାରତୀୟ ନୌସେନା ସଫଳତାର ସହ ମୁକାବିଲା କରିବା ସହ ଯୁଦ୍ଧ ଜାହାଜଗୁଡ଼ିକର ମାରକ କ୍ଷମତା ଆହୁରି ବୃଦ୍ଧି ପାଇବ। ନୌସେନା ମୁଖ୍ୟ ଆଡମିରାଲ୍ ଆର.ହରି କୁମାର ଭିଏଲ୍ଏସ୍ଆର ସାମ୍ର ସଫଳ ଫ୍ଲାଇଟ୍ ଟେଷ୍ଟ ପାଇଁ ଭାରତୀୟ ନୌସେନା ଓ ଡିଆରଡିଓକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ସ୍ୱଦେଶୀ କ୍ଷେପଣାସ୍ତ୍ର ପ୍ରଣାଳୀ ବିକଶିତ ହେବା ଦ୍ବାରା ଭାରତୀୟ ନୌସେନାର ପ୍ରତିରକ୍ଷା ସାମର୍ଥ୍ୟ ଅଧିକ ସୁଦୃଢ଼ ହେବ। ଏହି ସଫଳ ଫ୍ଲାଇଟ୍ ଟେଷ୍ଟରେ ସାମିଲ ଥିବା ଟିମ୍କୁ ଡିଆରଡିଓର ଅଧ୍ୟକ୍ଷ ଡକ୍ଟର ଜି. ସତୀଶ ରେଡ୍ଡୀ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି। ନୌସେନାର ଶକ୍ତିବୃଦ୍ଧି ସାଙ୍ଗକୁ ଭାରତ ସରକାରଙ୍କ ‘ଆତ୍ମନିର୍ଭର ଭାରତ’ ସଂକଳ୍ପକୁ ସାକାର କରିବା ଦିଗରେ ଏହା ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ସେ କହିଛନ୍ତି।