ରାଜ୍ୟରେ ମୁକାବିଲା ପାଇଁ ପ୍ରସ୍ତୁତି, ଓଡ଼ିଶାରେ ଟେଷ୍ଟ ପଜିଟିଭ୍ ରେଟ୍‌ କମ୍

ପହିଲାରୁ ଦୈନିକ ୨ଲକ୍ଷ ଲୋକଙ୍କୁ ଟିକା

ଭୁବନେଶ୍ବର: ଆସନ୍ତା ଏପ୍ରିଲ ପହିଲାରୁ ରାଜ୍ୟରେ ୪୫ବର୍ଷ ଓ ଏହାର ଅଧିକ ବୟସର ଲୋକଙ୍କୁ ଟିକା ଦିଆଯିବ। ଏଥିପାଇଁ ଦୈନିକ ୨ଲକ୍ଷ ଲୋକଙ୍କୁ ଟିକା ଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଟିକାକରଣକୁ ବଢ଼ାଇବା ଓ ସୁପର ସ୍ପ୍ରେଡର ଆଶଙ୍କାକୁ ଦୂରେଇବା ଲାଗି ସ୍ବାସ୍ଥ୍ୟ ବିଭାଗ ସମ୍ବେଦନଶୀଳ ଗ୍ରୁପ୍‌ର ତାଲିକା ପ୍ରକାଶ କରିଛି। ଏସବୁ ଲୋକଙ୍କ ତାଲିକା ପ୍ରସ୍ତୁତ କରିବା ସହିତ ନିର୍ଦ୍ଦିଷ୍ଟ ସମୟ ଭିତରେ ଟିକା ପ୍ରଦାନ କରିବା ଲାଗି ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର।

ରାଜ୍ୟରେ ଏବେ ଦୈନିକ ୧ଲକ୍ଷ ଲୋକଙ୍କୁ ଟିକା ଦିଆଯାଉଛି। ଆସନ୍ତା ଏପ୍ରିଲ ୧ ଓ ୨ ତାରିଖ ଛୁଟିଦିନ ହେବା ସତ୍ତ୍ବେ ଟିକାକରଣ କରାଯିବ। ଦୈନିକ ୨ଲକ୍ଷ ଲୋକଙ୍କୁ ଟିକା ଦେବା ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଲାଗି କୁହାଯାଇଛି। ଅପରପକ୍ଷ‌ରେ ଠେଲା ବ୍ୟବସାୟୀ, ମାଂସ/ମାଛ ଦୋକାନୀ, ଅଟୋ/ବସ୍ ଡ୍ରାଇଭର, ସ୍କୁଲ/କଲେଜ ଶିକ୍ଷକ, ସେଲୁନ କର୍ମଚାରୀ, ସୁରକ୍ଷା କର୍ମୀ, ରେସ୍ତୋରାଁ କର୍ମଚାରୀ, ମନ୍ଦିର/ଚର୍ଚ୍ଚ/ମସଜିଦ୍‌ର ପୂଜକମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯିବାକୁ କୁହାଯାଇଛି। ଏହାସହ କୋଭିଡ୍‌ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ସହିତ ଯେଉଁ ଦୋକାନୀମାନେ ନିୟମର ଉଲ୍ଲଂଘନ କରୁଛନ୍ତି ସେସବୁ ସିଲ୍‌ କରିବା ଲାଗି କୁହାଯାଉଛି।

ଅପରପକ୍ଷରେ ଦୈନିକ ୨ଲକ୍ଷ ଲୋକଙ୍କୁ ଟିକା ଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିବା ପରେ ଜିଲ୍ଲାମାନଙ୍କୁ କେତେ ସଂଖ୍ୟକ ଲୋକଙ୍କୁ ଟିକା ଦିଆଯିବା ତାହାର ତାଲିକା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଗଞ୍ଜାମରେ ସର୍ବାଧିକ ୧୬,୮୨୫, କଟକ ୧୨,୫୧୩, ମୟୂରଭଞ୍ଜ ୧୨,୦୧୩, ବାଲେଶ୍ବର ୧୧,୦୬୩, ସୁନ୍ଦରଗଡ଼ ୯୯୮୧, ପୁରୀ ୮୦୯୯ ଓ ଭୁବନେଶ୍ବରରେ ୬ହଜାର ଲୋକଙ୍କୁ ଟିକା ଦେବାକୁ କୁହାଯାଇଛି। ରାଜ୍ୟରେ ଟିକାଦାନ ସଂଖ୍ୟା ୨୩ଲକ୍ଷ ଟିପିଛି। ଆଜି ୯୦,୨୯୯ ଲୋକଙ୍କୁ ଟିକା ଦିଆଯିବା ପରେ ମୋଟ ଟିକା ନେଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୨୩ଲକ୍ଷ ୨୬ହଜାର ୯୧୪କୁ ବୃଦ୍ଧି ପାଇଛି। ୬୦ବର୍ଷରୁ ଅଧିକ ୭୫,୨୨୫ଜଣଙ୍କୁ ପ୍ରଥମ ଡୋଜ୍, ୫୨୪୧ଜଣଙ୍କୁ ଦ୍ବିତୀୟ ଡୋଜ୍, ୪୨୫ ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଓ ୧୮୮୨ଙ୍କୁ ଦ୍ବିତୀୟ ଡୋଜ୍, ଆଗଧାଡ଼ିର ଯୋଦ୍ଧାଙ୍କ ମଧ୍ୟରୁ ୫୦୪ଜଣଙ୍କୁ ପ୍ରଥମ ଡୋଜ୍ ଓ ୧୮୫୧ଜଣଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଥିଲା। କୌଣସି ବ୍ୟକ୍ତିଙ୍କ ନିକଟରେ ଟିକାର ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ। ରାଜ୍ୟରେ ୬୦ବର୍ଷରୁ ଅଧିକ ୧୩ଲକ୍ଷ ୪୧ହଜାର ୪୫୭ଜଣ ପ୍ରଥମ ଡୋଜ୍ ଟିକା ନେଇ ସାରିଲେଣି। ସେହିପରି ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ ୯୩.୬ ପ୍ରତିଶତ ପ୍ରଥମ ଡୋଜ୍ ଓ ୮୨.୨ ପ୍ରତିଶତ ଆଗଧାଡ଼ିର ଯୋଦ୍ଧା ପ୍ରଥମ ଡୋଜ୍ ଟିକା ନେଇ ସାରିଲେଣି।

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣର ଟେଷ୍ଟ ପଜିଟିଭ୍ ରେଟ୍ ବା ଟିପିଆର ଅନ୍ୟ ରାଜ୍ୟ ତୁଳନାରେ ଅପେକ୍ଷାକୃତ କମ୍ ରହିଛି। ଯେଉଁ ସମୟରେ ଦେଶର ଅନ୍ୟ ରାଜ୍ୟଗୁଡ଼ିକ ସଂକ୍ରମଣ ଦ୍ବିତୀୟ ଲହରୀରେ ଥରୁଛନ୍ତି, ଓଡ଼ିଶା ଅନ୍ୟ ରାଜ୍ୟମାନଙ୍କ ତୁଳନାରେ କମ୍ ବିପଜ୍ଜନକ ସ୍ଥିତିରେ ରହିଛି। ଗତ ସପ୍ତାହର ଟିପିଆରକୁ ଅନୁଶୀଳନ କଲେ ଏଭଳି ସ୍ଥିତି ସଂପର୍କରେ ତଥ୍ୟ ସାମ୍ନାକୁ ଆସୁଛି। ଏ ସମୟରେ ରାଜ୍ୟର ଟିପିଆର ୦.୭୩ ପ୍ରତିଶତ ରହିଥିବା ବେଳେ ମହାରାଷ୍ଟ୍ରରେ ଟିପିଆର ୨୩ ପ୍ରତିଶତ, ପଞ୍ଜାବ ୮.୮୨, ଛତିଶଗଡ଼ ୮, ମଧ୍ୟପ୍ରଦେଶ ୭.୮୨,
ତାମିଲନାଡ଼ୁ ୨.୫, କର୍ଣ୍ଣାଟକ ୨.୪୫, ଗୁଜୁରାଟ ୨.୨ ଓ ଦିଲ୍ଲୀରେ ୨.୦୪ ପ୍ରତିଶତ ରହିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଅପରପକ୍ଷରେ ଗତ ୨୪ଘଣ୍ଟାରେ ରାଜ୍ୟରେ ୨୧୮ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସଂକ୍ରମଣର ପଜିଟିଭ୍ ରେଟ୍‌ ୧ ଛୁଇଁଛି। ଗୋଟିଏ ଦିନରେ ରାଜ୍ୟରେ ୨୧, ୬୪୮ ନମୁନା ପରୀକ୍ଷା କରାଯାଇଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ସମୁଦାୟ ୯୦ଲକ୍ଷ ୨୩ହଜାର ୯୮ ନମୁନା ପରୀକ୍ଷା‌ ହୋଇ ସାରିଲାଣି। ରାଜ୍ୟରେ କରୋନା ସଂକ୍ରମଣର ଟିପିଆର ଯେ କୌଣସି ସମୟରେ ବଢ଼ି ଯାଇପାରେ ଏ ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ତେଣୁ ପୂର୍ବଭଳି କୋଭିଡ୍‌ ନିୟମାବଳୀକୁ କଡ଼ାକଡ଼ି ପାଳନ କରିବା ସହିତ ଲୋକମାନେ ସତର୍କ ‌ରହିବା ଲାଗି ବିଶେଷଜ୍ଞମାନେ ମତ ରଖିଛନ୍ତି।

ବରିଷ୍ଠ ଚିକିତ୍ସକ ଡା.ନିରଜ ମିଶ୍ର କହିଛନ୍ତି ଯେ ଓଡ଼ିଶାରେ ଟିପିଆର କମ୍ ହେବା ପଛରେ ଅନେକ କାରଣ ରହିଛି। ଯେଉଁ ଲୋକମାନଙ୍କଠାରେ ଲକ୍ଷଣ ପ୍ରକାଶ ପାଉଛି ସେମାନେ ପରୀକ୍ଷା ପାଇଁ ଆସିବା ସ୍ବାଭାବିକ। ହେଲେ ଯେଉଁମାନଙ୍କଠାରେ ଆଦୌ ଲକ୍ଷଣ ଦେଖିବାକୁ ମିଳୁନାହିଁ, ସେମାନଙ୍କୁ ଚିହ୍ନଟ କରିବା କଷ୍ଟକର। ଏହାସହ ଓଡ଼ିଶାରେ ମହାରାଷ୍ଟ୍ର ଭଳି କରୋନାର ମ୍ୟୁଟାଣ୍ଟ‌ ଷ୍ଟ୍ରେନ୍‌ ଦେଖିବାକୁ ମିଳିନାହିଁ। ମହାରାଷ୍ଟ୍ରରେ ଯେଉଁ ଦୁଇଟି ମ୍ୟୁଟାଣ୍ଟ ଷ୍ଟ୍ରେନ୍‌ ଚିହ୍ନଟ ହୋଇଛି, ସେହି କାରଣରୁ ସେଠାରେ ଦ୍ରୁତ ଗତିରେ ସଂକ୍ରମଣ ବ୍ୟାପୁଛି। ସେହିପରି ଭୁବନେଶ୍ବର, କଟକ ଭଳି ସହରରେ ଥିବା ଲୋକଙ୍କଠାରେ ଆଣ୍ଟିବଡି ଯୋଗୁଁ ମଧ୍ୟ ସଂକ୍ରମଣର ଆଶଙ୍କା କମ୍। ଏଭଳି ପରିସ୍ଥିତିରେ ମ୍ୟୁଟାଣ୍ଟ ଷ୍ଟ୍ରେନ୍‌କୁ ନିୟନ୍ତ୍ରଣ କରିବାକୁ ହେଲେ ଆକ୍ରମଣାତ୍ମକ ଢଙ୍ଗରେ ପରୀକ୍ଷା କରାଯିବା ସହିତ ଯେଉଁମାନେ ପଜିଟିଭ୍ ଚିହ୍ନଟ ହେବେ ସେମାନଙ୍କୁ ସୁସ୍ଥ ହେବା ପରେ ମଧ୍ୟ ସଙ୍ଗରୋଧରେ ରହିବା ଲାଗି ନିର୍ଦେଶ ଦିଆଯାଉଛି। ଯାହାଫଳରେ ଅନ୍ୟମାନେ ସଂକ୍ରମିତ ଆଶଙ୍କା କମ୍ ହୋଇପାରିବ ବୋଲି ଡା.ମିଶ୍ର କହିଛନ୍ତି।
ରାଜ୍ୟରେ ଗତ ୨୪ଘଣ୍ଟାରେ ନୂତନ ୨୧୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବରଗଡ଼ରେ ସର୍ବାଧିକ ୩୪ଜଣ ଚିହ୍ନଟ ହୋଇଥିବା ବେଳେ ନୂଆପଡ଼ା ୨୯, ସୁନ୍ଦରଗଡ଼ ୨୬ ଓ ଖୋର୍ଧାରୁ ୨୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୪୦ହଜାର ୬୨୦କୁ ବୃଦ୍ଧି ପାଇଛି। ସେହିପରି ୧୨୧ଜଣ ଆକ୍ରାନ୍ତ ସୁସ୍ଥ ହେବା ପରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩ଲକ୍ଷ ୩୬ହଜାର ୯୩୦ରେ ପହଞ୍ଚିଛି। ରାଜ୍ୟରେ ଏବେ ୧୭୧୬ଜଣ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ଏହାସହ କରୋନା ମୃତ୍ୟୁ ସଂଖ୍ୟା ୧୯୨୧ରେ ସ୍ଥିର ରହିଛି। ଛତିଶଗଡ଼ ଯୋଗୁଁ ପଶ୍ଚିମ ଓଡ଼ିଶାରେ ଏବଂ ବିଶେଷ କରି ନୂଆପଡ଼ା ଓ ବରଗଡ଼ରେ କ‌େରାନା ସଂକ୍ରମଣ ବୃଦ୍ଧି ପାଉଛି। ତେଣୁ ଏହାକୁ କିପରି ରୋକାଯାଇପାରିବ ସେ ସଂପର୍କରେ ଆସନ୍ତାକାଲି ଛତିଶଗଡ଼ ଅଧିକାରୀମାନଙ୍କ ସହ ଆଲୋଚନା ହେଉଥିବାର ଖବର ମିଳିଛି।

ସମ୍ବନ୍ଧିତ ଖବର