ବଲାଙ୍ଗୀର : କରୋନା ମହାମାରୀକୁ ମାତ ଦେବା ପାଇଁ ଜୋର୍ସୋର୍ରେ ଚାଲିଛି ଭେକ୍ସିନ୍ ଟିକାକରଣ କାମ। କିନ୍ତୁ ଦୁଇ ଦୁଇ ଥର ଭେକ୍ସିନ୍ ନେଇ ସାରିବା ପରେ ଜଣେ ସରକାରୀ କର୍ମଚାରୀ କୋଭିଡ ପଜିଟିଭ୍ ଚିହ୍ନଟ ହେବା ଭଳି ଏକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲାରେ।
ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜଣେ କିରାଣି ଗତ ୧୦ ତାରିଖରେ କୋଭିଡ ଭେକ୍ସିନ୍ର ଦୁଇ ନମ୍ୱର ଡୋଜ୍ ନେଇଥିଲେ। ତାପରେ ତାଙ୍କୁ ଜ୍ୱର ହୋଇଥିଲା। ସାଧାରଣ ଔଷଧ ଖାଇବା ପରେ ଜ୍ୱର ଛାଡ଼ିନଥିଲା। ପରେ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ନେଇଥିଲେ। ଡାକ୍ତର କୋଭିଡ ପରୀକ୍ଷା କରିବା ପାଇଁ କହିଥିଲେ। ଆର୍ଟିପିସିଆର୍ ଟେଷ୍ଟ କରିବା ପରେ ସେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ। ବର୍ତ୍ତମାନ ତାଙ୍କୁ ଭୀମ ଭୋଇ ମେଡିକାଲ କଲେଜ ହସପିଟାଲର କୋଭିଡ ୱାର୍ଡରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।
ଦ୍ୱିତୀୟ ଥର ଭେକ୍ସିନ ନେବା ପରେ କେମିତି ପଜିଟିଭ ଚିହ୍ନଟ ହେଲେ, ସେ ଉପରେ ତଦନ୍ତ କରିବା ପାଇଁ ପରିବାର ଲୋକେ ଦାବି କରିଛନ୍ତି। ହସପିଟାଲ ଅଧୀକ୍ଷକ ଛୁଟିରେ ଥିବାରୁ ଏ ସଂର୍ପକରେ ତାଙ୍କ ମତାମତ ମିଳିପାରିନାହିଁ।