ଯୁକ୍ତ୨ ପରୀକ୍ଷା ଫଳ ପ୍ରକାଶ: ବଢ଼ିଲା ପାସ୍‌ହାର

ବିଜ୍ଞାନରେ ୮୬.୯୩%, ବାଣିଜ୍ୟରେ ୮୨.୨୭%, କଳାରେ ୮୦.୯୫% ପାସ୍‌

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ବିଦ୍ୟାଳୟଗୁଡ଼ିକର ଦ୍ବାଦଶ ଶ୍ରେଣୀ(ଯୁକ୍ତ୨) ପରୀକ୍ଷାଫଳ ପ୍ରକାଶ ପାଇଛି। ଦୀର୍ଘ ୧୫ ବର୍ଷ ପରେ ଗୋଟିଏ ସମୟରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଫଳ ବାହାରିଛି ଏବଂ ପାସ୍‌ହାର ୨୦୨୩ ତୁଳନାରେ ବୃଦ୍ଧି ପାଇଛି। ବିଜ୍ଞାନରେ ପାସ୍‌ହାର ସର୍ବାଧିକ ୮୬.୯୩% ହୋଇଥିବା ବେଳେ ବାଣିଜ୍ୟରେ ୮୨.୨୭%, କଳାରେ ୮୦.୯୫% ଓ ଧନ୍ଦାମୂଳକ ବିଭାଗରେ ୬୮.୦୨% ରହିଛି। ଏଥର ବି ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଉନ୍ନତ ପ୍ରଦର୍ଶନ କରିଛନ୍ତି। କଳା ବିଭାଗରେ ୨ଲକ୍ଷ ୩୫ହଜାର ୨୧୮ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧ଲକ୍ଷ ୯୦ ହଜାର ୪୨୯ ଜଣ କୃତକାର୍ଯ୍ୟ ହୋଇଛନ୍ତି। ପରୀକ୍ଷା ଦେଇଥିବା ୧ଲକ୍ଷ ୪ହଜାର ୪୪୭ ଜଣ ଛାତ୍ରଙ୍କ ମଧ୍ୟରୁ ୭୫ହଜାର ୯୧୩ ଜଣ ଏବଂ ୧ଲକ୍ଷ ୩୦ହଜାର ୭୭୧ ଜଣ ଛାତ୍ରୀଙ୍କ ମଧ୍ୟରୁ ୧ଲକ୍ଷ ୧୪ହଜାର ୫୧୬ ଜଣ ପାସ୍‌ କରିଛନ୍ତି। ଛାତ୍ରଙ୍କ ପାସ୍‌ହାର ୭୨.୬୮% ଥିବା ବେଳେ ଛାତ୍ରୀଙ୍କର ୮୭.୫୬% ହୋଇଛି। ଏହି ବିଭାଗରେ ୨୧ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପରୀକ୍ଷା ଫଳ ଶତପ୍ରତିଶତ ହୋଇଛି। ବାଣିଜ୍ୟ ବିଭାଗରେ ପରୀକ୍ଷା ଦେଇଥିବା ୨୫ହଜାର ୮୯୭ ଜଣଙ୍କ ମଧ୍ୟରୁ ୨୧ ହଜାର ୩୦୮ ଜଣ କୃତକାର୍ଯ୍ୟ ହୋଇଛନ୍ତି। ୧୬ ହଜାର ୪୬୬ ଜଣ ଛାତ୍ରଙ୍କ ମଧ୍ୟରୁ ୧୩ ହଜାର ୨୩୯ ଜଣ ଓ ୯ହଜାର ୪୩୧ ଜଣ ଛାତ୍ରୀଙ୍କ ମଧ୍ୟରୁ ୮ହଜାର ୬୯ ଜଣ ପାସ୍‌ କରିଛନ୍ତି। ଛାତ୍ର/ଛାତ୍ରୀଙ୍କ ପାସ୍‌ହାର ଯଥାକ୍ରମେ ୮୦.୪୦% ଓ ୮୫.୫୫% ରହିଛି। ଏହି ବିଭାଗରେ ୯୨ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପାସ୍‌ହାର ଶତପ୍ରତିଶତ ହୋଇଛି।

ବିଜ୍ଞାନରେ ୮୬.୯୩%, ବାଣିଜ୍ୟରେ ୮୨.୨୭%, କଳାରେ ୮୦.୯୫% ପାସ୍‌
୧୫ ବର୍ଷ ପରେ ଏକ ସମୟରେ ସମସ୍ତ ବିଭାଗ ଫଳ

ବିଜ୍ଞାନ ବିଭାଗରେ ପରୀକ୍ଷା ଦେଇଥିବା ୧ଲକ୍ଷ ୧୫ ହଜାର ୮୯୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧ଲକ୍ଷ ୭୫୭ ଜଣ କୃତକାର୍ଯ୍ୟ ହୋଇଛନ୍ତି। ୬୦ ହଜାର ୯୭୩ ଜଣ ଛାତ୍ରଙ୍କ ମଧ୍ୟରୁ ୫୨ହଜାର ୫୬୭ ଜଣ ଓ ୫୪ହଜାର ୯୨୨ ଛାତ୍ରୀଙ୍କ ମଧ୍ୟରୁ ୪୮ହଜାର ୧୯୦ ଜଣ ପାସ୍‌ କରିଛନ୍ତି। ଛାତ୍ରଙ୍କ ପାସ୍‌ହାର ୮୬.୨୧% ଓ ଛାତ୍ରୀଙ୍କ ପାସ୍‌ହ‌ାର ୮୭.୭୪% ହୋଇଛି। ବିଜ୍ଞାନ ବିଭାଗରେ ୨୯୨ଟି କଲେଜର ସମସ୍ତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଧନ୍ଦାମୂଳକ ବିଭାଗରେ ୫ହଜାର ୬୩୬ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩ହଜାର ୮୩୪ ଜଣ କୃତକାର୍ଯ୍ୟ ହୋଇଛନ୍ତି। ପରୀକ୍ଷା ଦେଇଥିବା ୨,୮୩୧ ଛାତ୍ରଙ୍କ ମଧ୍ୟରୁ ୧୮୩୧ଜଣ ପାସ୍‌ କରିଛନ୍ତି। ପାସ୍‌ ପ୍ରତିଶତ ୬୪.୬୭% ହୋଇଛି। ସେହିପରି ୨,୮୦୫ ଛାତ୍ରୀଙ୍କ ମଧ୍ୟରୁ ୨,୦୦୩ ଜଣ ପାସ୍‌ କରିଛନ୍ତି ଏବଂ
ପାସ୍‌ହାର ୭୧.୪୦% ହୋଇଛି। କୌଣସି ଗୋଟିଏ ବି କଲେଜର ପାସ୍‌ହାର ଶତ ପ୍ରତିଶତ ହୋଇ ନ ଥିବା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

ପରିଷଦ କାର୍ଯ୍ୟାଳୟରେ ଆଜି ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ତଥା ଅତିରିକ୍ତ ଶାସନ ସଚିବ ଅଶ୍ୱିନୀ କୁମାର ମିଶ୍ର ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଥିଲେ। କୃତକାର୍ଯ୍ୟ ହୋଇଥିବା ବିଦ୍ୟାର୍ଥୀଙ୍କୁ ଶ୍ରୀ ମିଶ୍ର ଶୁଭେଚ୍ଛା ଜଣାଇବା ସହ ପରୀକ୍ଷାର ଉପଯୁକ୍ତ ପରିଚାଳନା ଓ ଠିକ୍‌ ସମୟରେ ଫଳ ପ୍ରକାଶ ନିମନ୍ତେ ପରିଷଦ କର୍ମକର୍ତ୍ତା ଓ କର୍ମଚାରୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ପରୀକ୍ଷାର୍ଥୀ www.orissaresults.nic.in ଏବଂ https://results.digilocker.gov.in ମାଧ୍ୟମରେ ପରୀକ୍ଷା ଫଳ ଜାଣିପାରିବା ସହ ମାର୍କସିଟ୍‌ ଡାଉନ୍‌ଲୋଡ଼୍‌ କରିପାରିବେ। ଏହି ପରୀକ୍ଷା ଫଳ ପ୍ରତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସାମ୍‌ସ ଇ-ସ୍ପେସ୍‌ରେ ମଧ୍ୟ ଉପଲବ୍ଧ ହେଉଛି। ଏଥିସହ ହେଲପ୍‌ଲାଇନ୍‌ ନଂ-୯୯୩୭୯୪୧୧୪୮, ୯୭୭୬୨୧୬୬୨୪, ୯୮୬୧୦୯୭୭୩୮ ଏବଂ ୯୯୩୭୩୯୦୮୭୮ରୁ ଆବଶ୍ୟକୀୟ ସୂଚନା ପାଇପାରିବେ ବୋଲି ପରିଷଦ କର୍ତ୍ତୃପକ୍ଷ କହିଛନ୍ତି।
ଏହି କାର୍ଯ୍ୟକ୍ରମରେ ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଶୁଭଶ୍ରୀ ନନ୍ଦ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରଘୁରାମ୍‌ ଆର୍‌. ଆୟାର, ପରିଷଦର ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ନାୟକ, ଉପପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ପରିଡ଼ା, ସଚିବ ଶୁଭ୍ରା ବେହେରାଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର