ଆଇସିଏମ୍‌ଆର ପୋର୍ଟାଲରେ ଠିକ୍‌ରେ ଅପଲୋଡ୍‌ ହେଉନି ଟେଷ୍ଟିଂ ରେଜଲ୍‌ଟ, ଅପଲୋଡ୍‌ ହୋଇନି ୨.୩୯ଲକ୍ଷ ଟେଷ୍ଟିଂ

ଭୁବନେଶ୍ବର : ରାଜ୍ୟର କିଛି ଜିଲ୍ଲା ଓ ପରୀକ୍ଷାଗାର ଠିକ୍ ସମୟରେ କୋଭିଡ୍ ଟେଷ୍ଟିଂ ଫଳାଫଳକୁ ଆଇସିଏମ୍‌ଆର ପୋର୍ଟାଲରେ ଅପଲୋଡ୍‌ କରୁନାହାନ୍ତି। ଏହି ସଂଖ୍ୟା ଏବେ ୨.୩୯ ଲକ୍ଷରେ ପହଞ୍ଚିଲାଣି। ଏଥିରେ ଏସ୍‌ସିବି ମେଡିକାଲ କଲେଜରେ ହୋଇଥିବା ୧.୮ଲକ୍ଷ କୋଭିଡ୍ ପରୀକ୍ଷା ରହିଛି। ତେଣୁ ଆସନ୍ତା ୨ ସପ୍ତାହ ଭିତରେ ସମସ୍ତ ବଳକା ରେଜଲ୍‌ଟକୁ ଅପଲୋଡ୍‌ କରିବା ଲାଗି କ୍ୟାପିଟାଲ ହସ୍ପିଟାଲ, ଆରଜିଏଚ୍ ରାଉରକେଲାର ନିର୍ଦ୍ଦେଶକ ଓ ସବୁ ସିଡିଏମ୍‌ଓଙ୍କୁ ବିଭାଗ ପକ୍ଷରୁ ଚିଠି କରାଯାଇଛି। ତେବେ କୋଭିଡ୍‌ ପରୀକ୍ଷାର ରେଜଲ୍‌ଟକୁ ସଙ୍ଗେସଙ୍ଗେ ଆଇସିଏମ୍‌ଆର ପୋର୍ଟାଲରେ ଅପଲୋଡ୍‌ କରିବାର ନିୟମ ଥିଲେ ହେଁ ଜିଲ୍ଲା‌ସ୍ତରରେ ଏଭଳି ଅବହେଳା କାହିଁକି ହୋଇଛି। ଏହା ବ୍ୟତୀତ ବଳକା ୨. ୩୯ଲକ୍ଷ ଟେଷ୍ଟିଂ ଫଳାଫଳ ରାଜ୍ୟରେ କୋଭିଡ୍‌ ସଂଖ୍ୟାରେ ପରିବର୍ତ୍ତନ ଆଣିବ କି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବିଭାଗ ପକ୍ଷରୁ କୁହାଯାଇଛି ଯେ ଜିଲ୍ଲାସ୍ତରରେ ଡାଟା ଅପଲୋଡିଂ ପାଇଁ ଜଣେ ନୋଡାଲ ଅଧିକାରୀଙ୍କୁ ଦାୟିତ୍ବ ଦିଆଯିବା ସହିତ ଆଇସିଏମ୍‌ଆର ପୋର୍ଟାଲରେ କିଭଳି ସବୁ ଟେଷ୍ଟ ଅପଲୋଡ୍ ହୋଇପାରିବ, ସେଥିପାଇଁ ପରୀକ୍ଷାଗାର ସହିତ ନିୟମିତ ସଂପର୍କରେ ରହିବାକୁ କୁହାଯାଇଛି। ଜିଲ୍ଲାସ୍ତରରେ ଏହି ଡାଟା ଅପଲୋଡ୍ କରାଯାଇଛି କି ନାହିଁ, ତାହାର ନିରୀକ୍ଷଣ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର