ରାଜ୍ୟରେ କୋଭିଡ୍‌ ଟେଷ୍ଟିଂ ୨ କୋଟି ଟପିଲା: ୪୭୭ ପଜିଟିଭ୍, ୪ ମୃତ

ଭୁବନେଶ୍ବର : କରୋନାର ଦ୍ବିତୀୟ ଲହର ରାଜ୍ୟରେ ସଂକ୍ରମଣ ଆହୁରି ନିମ୍ନଗାମୀ ହେବାରେ ଲାଗିଛି। ଏହାସହ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ମଧ୍ୟ କମି କମି ଚାଲିଛି। ଏପରିକି ବୌଦ୍ଧ ଜିଲ୍ଲାରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଶୂନକୁ ଖସି ଆସିଛି। ରାଜ୍ୟର ଏକମାତ୍ର ଜିଲ୍ଲା ଭାବେ ବୌଦ୍ଧରେ ଏବେ ‌ଜଣେ ହେଲେ ବି ଚିକିତ୍ସାଧୀନ ରୋଗୀ ନାହାନ୍ତି। ଗଜପତି, ନୂଆପଡ଼ା, ନବରଙ୍ଗପୁର ଭଳି ଜିଲ୍ଲାରେ ମଧ୍ୟ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୦ରୁ ତଳକୁ ଖସି ଆସିଲାଣି। ତେଣୁ ଆଗାମୀ ଦିନରେ ଏସବୁ ଜିଲ୍ଲାରେ ମଧ୍ୟ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଶୂନକୁ ଖସିପାରେ ବୋଲି ଆଶା କରାଯାଉଛି। ସେହିପରି ରାଜ୍ୟରେ କୋଭିଡ୍‌ ଟେଷ୍ଟିଂ ୨ କୋଟି ଟପିଛି।

ଦୈନିକ ସଂକ୍ରମଣ, ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟାରେ ହ୍ରାସ ସତ୍ବେ ପାର୍ବଣ ସମୟରେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି ହୋଇଛି। ତେଣୁ ପାର୍ବଣ ସମୟରେ ସତର୍କ ରହିବା ଲାଗି ସଚେତନ କରିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର। ଶ୍ରୀ ମହାପାତ୍ର କହିଛନ୍ତି, ପାର୍ବଣରେ ଭିଡ଼ ସଂକ୍ରମଣକୁ ବଢ଼ାଇ ଦେଇପାରେ। ଖୋର୍ଧା ଜିଲ୍ଲାରେ ସଂକ୍ରମଣ କମୁଥିଲେ ହେଁ ଅଧିକ ଭୟ ରହିଛି। ସବୁ ସ୍ବାସ୍ଥ୍ୟ ବିଶେଷଜ୍ଞ ଓ ଆଇସିଏମ୍‌ଆର ନିର୍ଦେଶକ ମଧ୍ୟ ଦେଶବାସୀଙ୍କୁ ପାର୍ବଣ ସମୟରେ ସଜାଗ ରହିବା ଲାଗି ଅନୁରୋଧ କରିଛନ୍ତି। ତେଣୁ ଏହି ସମୟରେ ସମସ୍ତଙ୍କୁ ଅଧିକ ଦାୟିତ୍ବବାନ ହେବାର ଆବଶ୍ୟକତା ରହିଛି।

ସେ ଆହୁରି କହିଛନ୍ତି ଯେ କୋଭିଡ ସଂକ୍ରମଣ ପାଇଁ ଇଣ୍ଟରନାଲ ଇନଫେକସନ୍ ହୋଇଥାଏ। ହାର୍ଟ, ଲଙ୍ଗ୍‌ସ, ବ୍ରେନ୍ ଉପରେ ଅଧିକ ପ୍ରଭାବ ପଡ଼ିଥାଏ। ତେଣୁ ଯେଉଁମାନେ କରୋନା ଟିକା ନେଉଛନ୍ତି ସେମାନଙ୍କର ଟିକା ନେଉ ନ ଥିବା ବ୍ୟକ୍ତିଙ୍କଠାରୁ କମ୍ କ୍ଷତି ହେଉଛି। ଟିକା ନେବା ପରେ ଗୁରୁତର ହେବା ଆଶଙ୍କା ବହୁତ କମ୍ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଗତ ୨୪ଘଣ୍ଟାରେ ରାଜ୍ୟରେ ୪୭୭ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ଖୋର୍ଧାରୁ ୨୦୦, କଟକ ୬୨, ବାଲେଶ୍ବର ୨୬, ଜଗତସିଂହପୁର-ମୟୂରଭଞ୍ଜ ୨୩ ଲେଖାଏ, ଯାଜପୁର ୧୬ ଓ ଅନ୍ୟ ଜିଲ୍ଲା ଗୁଡ଼ିକରେ ସଂକ୍ରମଣ ଦୁଇ ଅଙ୍କ ତଳେ ରହିଛି। ବରଗଡ଼, ବୌଦ୍ଧ, ଗଜପତି, କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଓ ରାୟଗଡ଼ା ଜିଲ୍ଲାରୁ ଜଣେ ହେଲେ ବି ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୨୬ହଜାର ୯୫୩କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଉ ୪ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗରୁ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ କଟକ, ଜଗତସିଂହପୁର, ମୟୂରଭଞ୍ଜ, ନୟାଗଡ଼ରୁ ଜଣେ ଲେଖାଏ ପ୍ରାଣ ହରାଇଛନ୍ତି। ସମୁଦାୟ କୋଭିଡ ମୃତ୍ୟୁ ସଂଖ୍ୟା ୮୨୦୨କୁ ବୃଦ୍ଧି ପାଇଛି। ଆଜି ରାଜ୍ୟରେ ୬୯୧ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଯାହାଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୪୮୬୫କୁ ଖସି ଆସିଛି।

ସମ୍ବନ୍ଧିତ ଖବର