ଭୁବନେଶ୍ବର : ରାଜ୍ୟରେ ନଭେମ୍ବର ୨୬ରୁ ଡିସେମ୍ବର ୩ମଧ୍ୟରେ କୋଭିଡ ଟେଷ୍ଟିଂ କମିବା, ବିଶେଷକରି ଆର୍‌ଟିପିସିଆର୍‌ ଟେଷ୍ଟିଂ ୩୬% ହ୍ରାସ ପାଇବା ପରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖିଥିଲା। ଏପରିକି ରାଜ୍ୟର ୬ଟି ଜିଲ୍ଲା ଢେଙ୍କାନାଳ, କନ୍ଧମାଳ, ନବରଙ୍ଗପୁର, ଅନୁଗୁଳ, କେନ୍ଦୁଝର ଏବଂ ବଲାଙ୍ଗୀରରେ ସଂକ୍ରମଣ ବଢ଼ୁଥିବାବେଳେ କାହିଁକି ଟେଷ୍ଟିଂ କମୁଛି ବୋଲି କହି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାପରେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର ଅଜବ ଯୁକ୍ତି ବାଢ଼ିଛନ୍ତି। ଡା. ମହାପାତ୍ର କହିଛନ୍ତି ଯେ ଜାତୀୟ ହାର ତୁଳନାରେ ରାଜ୍ୟରେ କୋଭିଡ ସଂକ୍ରମଣ ସ୍ଥିତି ଭଲ ଅଛି।

Advertisment

ସନ୍ଦିଗ୍ଧ ସଂକ୍ରମିତଙ୍କ ଟ୍ରାକିଂ ନିୟମିତ ହେଉଛି। ରାଜ୍ୟରେ ଟେଷ୍ଟିଂ ଧାର୍ଯ୍ୟ ଲକ୍ଷ ଅନୁଯାୟୀ ହେଉଛି। ବର୍ଷା କାରଣରୁ କିଛି ପରିମାଣରେ କମିଛି। ନଭେମ୍ବର ମାସରେ ପଜିଟିଭିଟି ରେଟ ଭାରତରେ ୧.୧ ପ୍ରତିଶତ ଥିଲାବେଳେ ରାଜ୍ୟରେ ଏହା ୦.୪% ଥିଲା। ଦେଶରେ ପ୍ରତି ଏକ ଲକ୍ଷରେ କୋଭିଡ ଟେଷ୍ଟିଂ ହାରାହାରି ୨୬୮୫ ଥିବାବେଳେ ଓଡ଼ିଶାରେ ୪୫୪୨ ଅଛି। ସେହିଭଳି ମୃତ୍ୟୁହାର ଜାତୀୟ ସ୍ତରରେ ୧.୩ ପ୍ରତିଶତ ଥିବା‌ବାବେଳେ ରାଜ୍ୟରେ ଏହା ୦.୮ ପ୍ରତିଶତ ରହିଛି। ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବର୍ଷା ଯୋଗୁଁ ଟେଷ୍ଟିଂ କମିଥିବା କହୁଥିବା ବେଳେ ନଭେମ୍ବର ଶେଷ ସପ୍ତାହରେ ଉପରୋକ୍ତ ୬ଟି ଜିଲ୍ଲାରେ ବର୍ଷା ହୋଇନି। ଏବେ ବି ବର୍ଷାର ପ୍ରଭାବ ଏଠାରେ ବିଶେଷ ନାହିଁ। ତେଣୁ ବର୍ଷା ଯୋଗୁଁ କିପରି ଟେଷ୍ଟିଂ କମିଲା ତାହା ଚକିତ କରୁଛି।