ବାତ୍ୟା ପ୍ରଭାବ: ପରୀକ୍ଷା, ସଂକ୍ରମଣ କମିଲା

ପଜିଟିଭ୍‌ ସଂଖ୍ୟା ୬୭୩୬କୁ ହ୍ରାସ, ୩୪ ମୃତ୍ୟୁ
୩ଜିଲ୍ଲାରେ ପରୀକ୍ଷା ବନ୍ଦ, ତଥାପି ବାହାରୁଛନ୍ତି ଆକ୍ରାନ୍ତ
କରୋନା ମୃତ୍ୟୁ ସଂଖ୍ୟା ୨୬ଶହ ଟପିଲା

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ପ୍ରାୟ ୫୦ ପ୍ରତିଶତ ହ୍ରାସ ପାଇଛି। ଉପକୂଳ ଓଡ଼ିଶାରେ ବାତ୍ୟା ଯୋଗୁଁ ୩ଟି ଜିଲ୍ଲାରେ ନମୁନା ପରୀକ୍ଷାକୁ ବନ୍ଦ ରଖାଯାଇଥିଲା। ରାଜ୍ୟରେ ପୂର୍ବରୁ ଯେତିକି ସଂଖ୍ୟକ ନମୁନା ଦୈନିକ ପରୀକ୍ଷା ହେଉଥିଲା, ତହିଁରୁ ସଂଖ୍ୟା ୨୦ ହଜାର କମି ଯାଇଛି। ଫଳରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୭୩୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ନମୁନା ପରୀକ୍ଷା ୪୬,୨୪୧କୁ ମଧ୍ୟ ଖସି ଆସିଛି। ମୟୂରଭଞ୍ଜ, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ ବାତ୍ୟା ପାଇଁ ମଙ୍ଗଳବାରରୁ ଗୁରୁବାର ପର୍ଯ୍ୟନ୍ତ ନମୁନା ପରୀକ୍ଷା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ଏହି ୩ ଜିଲ୍ଲାରୁ ଲଗାତାର ଭାବେ ବହୁ ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛନ୍ତି। ତେଣୁ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ନମୁନା ୩ଦିନ ପୂର୍ବରୁ ସଂଗ୍ରହ କରାଯାଇଥିବା ଅନୁମାନ କରାଯାଉଛି। ତେଣୁ ନମୁନା ରିପୋର୍ଟ ଆସିବାରେ ବିଳମ୍ବ ଏଥିରୁ ଏକପ୍ରକାର ସ୍ପଷ୍ଟ ହୋଇଯାଇଛି।

ଯଦିଓ ସଂକ୍ରମଣ ସଂଖ୍ୟା ଗତ ୨୪ ଘଣ୍ଟାରେ ଅଧାକୁ ଖସି ଆସିଛି, ମାତ୍ର ପଜିଟିଭ୍ ହାରରେ ବିଶେଷ ଫରକ୍‌ ଦେଖିବାକୁ ମିଳି ନାହିଁ। ୨୪ ଘଣ୍ଟାରେ ଚିହ୍ନଟ ଆକ୍ରାନ୍ତଙ୍କ ପଜିଟିଭ୍ ହାର ୧୪.୫ ପ୍ରତିଶତ ରହିଛି। ଏହା ପୂର୍ବରୁ ରାଜ୍ୟରେ ଲଗାତାର ପଜିଟିଭ୍ ହାର ୧୮-୨୦ ଭିତରେ ରହି ଆସୁଥିଲା। ବାତ୍ୟା ପାଇଁ ଲକ୍ଷାଧିକ ଲୋକ ଆଶ୍ରୟସ୍ଥଳୀକୁ ଆସିଥିବାରୁ ଏଥିପାଇଁ ରାଜ୍ୟରେ ପୁଣିଥରେ ସଂକ୍ରମଣ ପୂର୍ବ ସଂଖ୍ୟା ତୁଳନାରେ ଅଧିକ ବଢ଼ିବା ନେଇ ଆଶଙ୍କା ଦେଖା ଦେଇଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏଥିପାଇଁ ୧୨ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଶ୍ରୟସ୍ଥଳୀ ଫେରନ୍ତାଙ୍କ ଉପରେ କଡ଼ା ନଜର ରଖିବାକୁ ନିର୍ଦେଶ ଦିଆଯାଇଛି।

ରାଜ୍ୟ‌ରେ କରୋନା ମୃତ୍ୟୁ ସଂଖ୍ୟା ପୂର୍ବଭଳି ୩୦ ଉପରେ ଜାରି ରହିଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଉ ୩୪ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସୂଚନା ଦିଆଯାଇଛି। ଏଥିରେ ଅନୁଗୁଳରୁ ସର୍ବାଧିକ ୫, କଳାହାଣ୍ଡି ଓ ଖୋର୍ଧାରୁ ୪ଜଣ ଲେଖାଏଁ, ବୌଦ୍ଧ, ନୂଆପଡ଼ା, ସୁନ୍ଦରଗଡ଼ରୁ ୩ଜଣ ଲେଖାଏଁ, ଗଜପତି, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ନବରଙ୍ଗପୁର, ରାୟଗଡ଼ାରୁ ୨ଜଣ ଲେଖାଏଁ, ପୁରୀ, ଢେଙ୍କାନାଳରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୨୬୧୮କୁ ବୃଦ୍ଧି ପାଇଛି। ରାଜ୍ୟରେ ଦୈନିକ ସଂକ୍ରମଣରେ ପ୍ରଥମଥର ଲାଗି ଆଗକୁ ଆସିଛି ଅନୁଗୁଳ ଜିଲ୍ଲା। ଜିଲ୍ଲାରୁ ୭୮୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ସୁନ୍ଦରଗଡ଼ ୭୨୦, ଖୋର୍ଧା ୫୧୭, ବରଗଡ଼ ୪୦୫, ଯାଜପୁର ୩୭୪, କଟକ ୩୬୨, ନବରଙ୍ଗପୁର ୨୮୨, ନୟାଗଡ଼ାରୁ ୨୦୭, ପୁରୀ ୨୬୫, ସମ୍ବଲପୁର ୩୦୯ ଓ ଷ୍ଟେଟ ପୁଲରୁ ୧୦୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭ଲକ୍ଷ ୩୨ହଜାର ୭୩୯କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଜି ୧୧,୫୫୧ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ସଂପର୍କରେ ସ୍ବାସ୍ଥ୍ୟ ବିଭାଗରୁ ସୂଚନା ଦିଆଯାଇଛି। ଫଳରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୬ଲକ୍ଷ ୩୫ହଜାର ୧୭୯କୁ ବୃଦ୍ଧି ପାଇଛି। ରାଜ୍ୟରେ ଏବେ ୯୪,୮୮୯ଜଣ ଚିକିତ୍ସାଧୀନ ଆକ୍ରାନ୍ତ ରହିଛନ୍ତି।

ସମ୍ବନ୍ଧିତ ଖବର