ସୁନ୍ଦରଗଡରେ ବଢ଼ୁଛି ଟେଷ୍ଟିଂ, କମୁଛି ସଂକ୍ରମଣ

୨ ମାସରେ ଟେଷ୍ଟିଂ ୨ଲକ୍ଷ ୭୨ ହଜାର, ସଂକ୍ରମଣ ୩୯,୪୭୫
ଏପ୍ରିଲରେ ସଂକ୍ରମଣ ହାର ୨୦.୨୪%, ମେ’ରେ ୬.୯୪%

ରାଉରକେଲା : ମହାମାରୀ କରୋନା ଦ୍ବିତୀୟ ଲହରେ ବଢ଼ିଥିଲା ସୁନ୍ଦରଗଡ ଜିଲ୍ଲାବାସୀଙ୍କ ଚିନ୍ତା। ଦୈନିକ ସଂକ୍ରମଣ ତାଲିକାରେ ରାଜ୍ୟରେ ସର୍ବଦା ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହୁଥିବା ସୁନ୍ଦରଗଡରେ ଏବେ ତଳ ମୁହାଁ ହୋଇଛି ସଂକ୍ରମଣ। ଚାରିରୁ ଖସି ତିନି ଅଙ୍କକୁ ଖସିଛି। ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ଓ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି)ର ଆଗୁଆ ପଦକ୍ଷେପ ଯୋଗୁଁ ବଢ଼ୁଥିବା ସଂକ୍ରମଣକୁ ରୋକାଯାଇ ପାରିଛି। ସବୁଠୁ ଆଶ୍ବସ୍ତିକର ବିଷୟ, ଜିଲ୍ଲାରେ ଦୈନିକ ଟେଷ୍ଟିଂ ବଢ଼ୁଥିବାବେଳେ ସଂକ୍ରମଣ ହାର୍‌ ଖୁସୁଛି।

ଜିଲ୍ଲା ପ୍ରଶାସନ ପକ୍ଷରୁ ସପ୍ତାହ ଅନୁଯାୟୀ ଟେଷ୍ଟିଂ, ସଂକ୍ରମଣରୁ ଏହା ସ୍ପଷ୍ଟ ହୋଇଛି। ଗତ ୨୦୨୧ ଏପ୍ରିଲ ୧ରୁ ଜୁନ୍‌ ୨ ଦୁଇ ମାସରେ ଜିଲ୍ଲାରେ ୨ ଲକ୍ଷ ୭୨ ହଜାର ୭୯୨ ଜଣଙ୍କୁ ଟେଷ୍ଟିଂ କରାଯାଇଛି। ଏମାନଙ୍କ ମଧ୍ୟରେ ଆକ୍ରାନ୍ତ ସଂଖ୍ୟା ହେଉଛନ୍ତି ୩୯ ହଜାର ୪୭୫। ଗତ ଦୁଇ ମାସ ଅର୍ଥାତ୍‌ ଏପ୍ରିଲ ଓ ମେରେ ଜିଲ୍ଲା ପ୍ରଶାସନ ପକ୍ଷରୁ ହୋଇଥିବା ଟେଷ୍ଟିଂ ଓ ପଜିଟିଭ୍‌ ସଂଖ୍ୟାରୁ ସଂକ୍ରମଣ ହାର ନିମ୍ନଗାମୀ ହେଉଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ ଗତ ୧ ଏପ୍ରିଲରୁ ୭ ଏପ୍ରିଲ ମଧ୍ୟରେ ଟେଷ୍ଟିଂ ସଂଖ୍ୟା ଥିଲା୧୦ ହଜାର ୭୯୧। ସଂକ୍ରମଣ ଚିହ୍ନଟ ‌ହୋଇଥିଲେ ୬୬୪। ସଂକ୍ରମଣ ହାର ଥିଲା ୬.୧୫%। ଏପ୍ରିଲ ୮ରୁ ୧୪ ରେ ଟେଷ୍ଟିଂ ସଂଖ୍ୟା ବୃଦ୍ଧି ପାଇ ପହଞ୍ଚିଥିଲା ୧୭ ହଜାର ୪୨୫। ସଂକ୍ରମଣ ହୋଇଥିଲେ ୨ ହଜାର ୪୯୪ (୧୪.୩୧%)। ଏପ୍ରିଲ ୧୫ରୁ ୨୧ରେ ଟେଷ୍ଟିଂ ସଂଖ୍ୟା ୨୦ ହଜାର ୧୫ ଥିବାବେଳେ ସଂକ୍ରମଣ ସଂଖ୍ୟା ଥିଲା ୩ ହଜାର ୭୨୪। ଏପ୍ରିଲ ୨୨ରୁ ୨୮‌ରେ ଟେଷ୍ଟିଂ ସଂଖ୍ୟା ୨୩ ହଜାର ୨୯୬ରୁ ସଂକ୍ରମଣ ସଂଖ୍ୟା ଥିଲା ୪ ହଜାର ୪୬୯। ଏପ୍ରିଲ ୨୯ରୁ ୫ ମେରେ ୩୦ ହଜାର ୨୯୩ ‌ଟେଷ୍ଟିଂରୁ ସଂକ୍ରମଣ ହୋଇଥିଲେ ୬ ହଜାର ୧୩୧। ମେ ୬ରୁ ୧୨ ମଧ୍ୟରେ ୪୨ ହଜାର ୨୬୬ ଟେଷ୍ଟିଂ ରୁ ସଂକ୍ରମଣ ହୋଇଥିଲେ ସର୍ବାଧିକ ୮ ହଜାର ୫୧୮। ୧୩ ମେରୁ ୧୯ ମଧ୍ୟରେ ସର୍ବାଧିକ ୪୮ ହଜାର ୮୨୩ ଟେଷ୍ଟିଂ ହୋଇଥିଲେ ହେଁ ସଂକ୍ରମଣ ହ୍ରାସ ପାଇ ପହଞ୍ଚିଥିଲା ୬ ହଜାର ୬୯ରେ।

ଅନୁରୂପ ଭାବେ ୨୦ ମେରୁ ୨୬ ମଧ୍ୟରେ ୪୪ ହଜାର ୨୩୦ ଜଣଙ୍କୁ ଟେଷ୍ଟିଂରୁ ସଂକ୍ରମଣ ହୋଇଥିଲେ ୪ ହଜାର ୯୩୧। ୨୭ ମେରୁ ୨ ଜୁନ୍‌ ମଧ୍ୟରେ ୩୫ ହଜାର ୬୫୫ ଜଣଙ୍କୁ ଟେଷ୍ଟିଂ କରାଯାଇଥିଲା। ଏଥି ମଧ୍ୟରୁ ସଂକ୍ରମଣ ହୋଇଥିଲେ ମାତ୍ର ୨ ହଜାର ୪୭୫ ଜଣ। ସେହି ଅନୁପାତରେ ସଂକ୍ରମଣ ହାର ମଧ୍ୟ ସପ୍ତାହ ଅନୁଯାୟୀ ଖସିଥିଲା। ଏପ୍ରିଲ ତୃତୀୟ ସପ୍ତାହ (ଏପ୍ରିଲ ୧୫ରୁ ୨୮)ରେ ସଂକ୍ରମଣ ହାର ଥିଲା ୧୮.୬୧%। ମେ ପ୍ରଥମ ସପ୍ତାହ (ଏପ୍ରିଲ ୨୯ରୁ ମେ ୫)ରେ ଆକ୍ରାନ୍ତ ହାର ବୃଦ୍ଧି ପାଇ ପଞ୍ଚିଥିଲା ୨୦.୨୪%। ମେ ତୃତୀୟ ସପ୍ତାହରେ ସଂକ୍ରମଣ ହାର ହ୍ରାସ ପାଇ ୧୧.୧୫% ଓ ମେ ଶେଷ ସପ୍ତାହ ( ୨୭ ମେରୁ ଜୁନ୍‌ ୨)ରେ ଏହି ସଂଖ୍ୟା ପହଞ୍ଚିଛି ୬.୯୪%।

ସଂକ୍ରମଣ ହାର ହ୍ରାସ ହେବାରୁ ଜିଲ୍ଲା ପ୍ରଶାସନ ରିପୋର୍ଟ ଆଧାରରେ ରାଜ୍ୟ ସରକାର ରାଜ୍ୟର ତିନିଟି ଜିଲ୍ଲା ସୁନ୍ଦରଗଡ, ଗଜପତି ଓ ନୂଆପଡାର ଲକ୍‌ଡାଉନ୍‌ କଟକଣାକୁ କୋହଳ କରିଛନ୍ତି। ମାତ୍ର ଲକ୍‌ଡାଉନ୍‌ କଟକଣାକୁ ନେଇ ଏବେ ସହରବାସୀଙ୍କ ମଧ୍ୟରେ କିଛି ଦ୍ବନ୍ଦ ରହିଛି। ଲକ୍‌ଡାଉନ୍‌ କଟକଣା କୋହଳ ନେଇ ସରକାରଙ୍କ ପକ୍ଷରୁ ଯେଉଁ ନିଷ୍ପତ୍ତି ନିଆଯାଇଛି, ତାହା ଠିକ୍‌ ନୁହେଁ ବୋଲି କିଛି ବୁଦ୍ଧିଜୀବୀ ମତ ଦେଇଛନ୍ତି। ସହରବାସୀଙ୍କ ମଧ୍ୟରେ ଏଭଳି ଦ୍ବନ୍ଦକୁ ଖଣ୍ଡନ କରିଛନ୍ତି ଆର୍‌ଏମ୍‌ସି କମିଶନର ଦିବ୍ୟଜ୍ୟୋତି ପରିଡା। ସେ କହିଛନ୍ତି, କେବଳ ସୁନ୍ଦରଗଡ ନୁହେଁ, ରାଉରକେଲାରେ ଦୈନିକ ଟେଷ୍ଟିଂ ସଂଖ୍ୟା ବଢ଼ିଛି। ସେହି ଅନୁପାତରେ ସଂକ୍ରମଣ କମୁଛି। ଏବେ ଦୈନିକ ୨ରୁ ଅଢ଼େଇ ହଜାର ଟେଷ୍ଟିଂ କରାଯାଉଛି। ଟେଷ୍ଟିଂ ଅନୁପାତରେ ସଂକ୍ରମଣ ହାର ବହୁତ କମିଛି। ସହର ପ୍ରତ୍ୟେକ କୋଭିଡ ହସ୍ପିଟାଲରେ ରୋଗୀ ସଂଖ୍ୟା କମୁଛି। ଆର୍‌ଏମ୍‌ସି ଓ ତା’ର ଟିମ୍‌ର ଆଗୁଆ ପଦକ୍ଷେପ ଯୋଗୁଁ ଏସବୁ ସମ୍ଭବ ହୋଇ ପାରିଛି। ତେବେ ସଂକ୍ରମଣ ହାର କମିବାରୁ ସୁନ୍ଦରଗଡର ଲକ୍‌ଡାଉନ୍‌ କଟକଣାକୁ କୋହଳ କରାଯାଇଛି। ଏଥିରେ ସହରବାସୀଙ୍କ ମଧ୍ୟରେ ଆଦୌ କୌଣସି ଦ୍ବନ୍ଦ ରହିବା ଦରକାର ନାହିଁ।

ସମ୍ବନ୍ଧିତ ଖବର