ବହୁ ଭାଷାରେ ପରୀକ୍ଷା: ଦ୍ବିତୀୟ ରାଜଭାଷା ଓଡ଼ିଆ ପୁଣି ବାଦ୍ ପଡ଼ିଲା
ଝାଡ଼ଖଣ୍ଡ ପ୍ରାଥମିକ ଶିକ୍ଷକ ପ୍ରଶିକ୍ଷଣ ପରୀକ୍ଷା
ଭୁବନେଶ୍ବର,(ଅରବିନ୍ଦ ଦାସ): ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଓଡ଼ିଶା ବାହାରେ ରହିଯାଇଥିବା ଓଡ଼ିଆ ଭାଷାଭାଷୀ ବିଚ୍ଛିନ୍ନାଞ୍ଚଳ, ପୁଣି ଓଡ଼ିଶାରେ ମିଶିବାର ସମ୍ଭାବନାକୁ ନେଇ ପ୍ରଥମ ୫୦ ବର୍ଷ ରାଜ୍ୟବାସୀଙ୍କ ମନରେ ଯେପରି ଦାମ୍ଭିକତା ରହୁଥିଲା, ଗତ ପ୍ରାୟ ତିନି ଦଶନ୍ଧିରୁ ଊର୍ଦ୍ଧ୍ବ କାଳ ହେଲା ଏହା କ୍ରମଶଃ କ୍ଷୀଣ ହୋଇଚାଲିଛି। ସେହିସବୁ ବିଚ୍ଛିନ୍ନାଞ୍ଚଳକୁ ଓଡ଼ିଶାରେ ପୁଣି ମିଶାଯିବା ସମ୍ଭାବନା ତ ଦୂରର କଥା, ଓଡ଼ିଶାରେ ଥିବା କିଛି ଅଞ୍ଚଳ ଉପରେ ମଧ୍ୟ ପଡ଼ୋଶୀ ରାଜ୍ୟଗୁଡ଼ିକର ଲୋଲୁପ ଦୃଷ୍ଟି ବଢ଼ିଚାଲିଛି। ଆମ ଭୂମି କୋଟିଆକୁ ନିଜର କରି ରଖିବାକୁ ଆନ୍ଧ୍ର ସହ ଏକରକମ ସଂଘର୍ଷ କରିବାକୁ ପଡ଼ୁଥିବା ବେଳେ ମହାନଦୀ ଉପରେ ଛତିଶଗଡ଼ ଦିନକୁ ଦିନ ଏକଚାଟିଆ ଅଧିକାର ସାବ୍ୟସ୍ତ କରିଚାଲିଛି। ଆମ ମାଟିରେ ପଶ୍ଚିମବଙ୍ଗର ଜବରଦଖଲ ରୋକିବା ପାଇଁ ସୀମାରେ ଆମ ଜିଲ୍ଲାପାଳଙ୍କୁ କାନ୍ଥ ନିର୍ମାଣ କରାଇବାକୁ ପଡ଼ୁଥିବା ବେଳେ ଓଡ଼ିଶାର ଅନ୍ୟ ପଡ଼ୋଶୀ ଝାଡ଼ଖଣ୍ଡର କାର୍ଯ୍ୟକଳାପ ମଧ୍ୟ ଓଡ଼ିଶାବାସୀଙ୍କ ପାଇଁ ସନ୍ତୋଷଜନକ ନୁହେଁ। ଝାଡ଼ଖଣ୍ଡରେ ପ୍ରାଥମିକ ଶିକ୍ଷକ ପ୍ରଶିକ୍ଷଣ ପରୀକ୍ଷା ପାଇଁ ନିକଟରେ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗର ଏକାଡେମିକ କାଉନ୍ସିଲ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ସେଠା ଓଡ଼ିଆ ଭାଷାଭାଷୀ ପିଲାଙ୍କ ମଧ୍ୟରେ ନୈରାଶ୍ୟ ସୃଷ୍ଟି କରିଛି। ପିଲାମାନେ ସଂସ୍କୃତ, ବଙ୍ଗଳା, ମୁଣ୍ଡାରୀ, ସାନ୍ତାଳୀ, ହୋ, ଖଡ଼ିଆ, କୁଡୁଖ, ନାଗପୁରୀ, କୁଡୁମାଲି ଆଦି ଭାଷାରେ ପରୀକ୍ଷା ଦେଇପାରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ଅଥଚ ଗତବର୍ଷ ପରି ଏ ବର୍ଷ ମଧ୍ୟ ଉକ୍ତ ପରୀକ୍ଷା ତାଲିକାରେ ଓଡ଼ିଆ ଭାଷା ସ୍ଥାନ
ପାଇନାହିଁ। ଫଳରେ ସେଠାକାର ଲକ୍ଷଲକ୍ଷ ମୂଳବାସୀ-ଓଡ଼ିଆ, ଝାଡ଼ଖଣ୍ଡ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବର ଶିକାର ହୋଇଛନ୍ତି।
ବିଚ୍ଛିନ୍ନାଞ୍ଚଳରେ ଓଡ଼ିଶାର ସ୍ବର କ୍ଷୀଣତର ହୋଇଚାଲିଛି
ସୂଚନାଯୋଗ୍ୟ, ଗତ ୬ ଜାନୁଆରୀ ଦିନ ଝାଡ଼ଖଣ୍ଡ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ସଚିବଙ୍କ ସ୍ବାକ୍ଷରିତ ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶିତ ବିଜ୍ଞାପନ(ନଂ:୦୨/୨୦୨୩)ରେ ସଂସ୍କୃତ, ବଙ୍ଗଳା, ଉର୍ଦ୍ଦୁ, ମୁଣ୍ଡାରୀ, ସାନ୍ତାଳୀ, ହୋ, ଖଡ଼ିଆ, କୁଡୁଖ, ନାଗପୁରୀ, କୁଡୁମାଲି, ଖୋରଠା ଓ ପଞ୍ଚପରଗଣିଆ ଆଦି ଭାଷାକୁ ସାମିଲ କରାଯାଇଥିଲା। ସ୍ବତନ୍ତ୍ର ଲିପି ଥାଉ କି ନ ଥାଉ, ଏପରିକି ସମ୍ବିଧାନ ସ୍ବୀକୃତି ମିଳିନଥିବା ଭାଷାରେ ଶିକ୍ଷା ପ୍ରଶିକ୍ଷଣ ନିମନ୍ତେ ପ୍ରାର୍ଥୀ ଚୟନ ପରୀକ୍ଷା ତାରିଖ ୩ ଫେବୃଆରୀ ପାଇଁ ଧାର୍ଯ୍ୟ କରାଯାଇ ଦ୍ବିତୀୟ ରାଜଭାଷା ଓଡ଼ିଆକୁ ବାଦ ଦିଆଯାଇଥିଲା। ସେହିପରି ଗତ ୨୦୨୧ରେ ମଧ୍ୟ ଓଡ଼ିଆକୁ ଶିକ୍ଷା ପ୍ରଶିକ୍ଷଣ ଚୟନ ପରୀକ୍ଷାରେ ରଖା ଯାଇନଥିଲା। ଷଢ଼େଇକଳା-ଖରସୁଆଁ ଜିଲା ଶିକ୍ଷା ଅଧିକାରୀ ଓ କୋହ୍ଲାନ୍ କ୍ଷେତ୍ର ଶିକ୍ଷା ଅଧିକାରୀଙ୍କ ଦୃଷ୍ଟିକୁ ଆଣି ଓଡ଼ିଆକୁ ପୁଣିଥରେ ସାମିଲ କରିବାକୁ ଓଡ଼ିଆ ସଂଗଠନ ଆଲୋଚନା କରିଥିଲେ। ଏପରିକି ତଦାନୀନ୍ତନ ଷଢେ଼ଇକଳା ରାଜ୍ୟର ମହାରାଜା ଭାବେ ସାମାଜିକ ମାନ୍ୟତାପ୍ରାପ୍ତ ପ୍ରତାପ ଆଦିତ୍ୟ ସିଂହଦେବଙ୍କ ନେତୃତ୍ବରେ ଏକ ଓଡ଼ିଆ ପ୍ରତିନିଧିମଣ୍ଡଳୀ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ରାଞ୍ଚିରେ ଭେଟି ଓଡ଼ିଆ ଭାଷାକୁ ତୁରନ୍ତ ସାମିଲ କରିବା ପାଇଁ ନିବେଦନ କରିଥିଲେ। ମୁଖ୍ୟମନ୍ତ୍ରୀ ଗଣଶିକ୍ଷା ବିଭାଗର ଭୁଲକୁ ହୃଦୟଙ୍ଗମ କରି ତୁରନ୍ତ ଓଡ଼ିଆକୁ ସାମିଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଓଡ଼ିଆ ବହୁଳ ପୂର୍ବ ଓ ପଶ୍ଚିମ ସିଂହଭୂମି ଏବଂ ଷଢେ଼ଇକଳା-ଖରସୁଆଁ ଏହି ୩ଟି ଜିଲାରେ ଓଡ଼ିଆକୁ କ୍ଷେତ୍ରୀୟ ଭାଷାର ମାନ୍ୟତା ମିଳିଥଲା। କିନ୍ତୁ ଚଳିତ ୨୦୨୩ ପ୍ରାରମ୍ଭରୁ ଝାଡ଼ଖଣ୍ଡ ସରକାରଙ୍କ ଗଣଶିକ୍ଷା ବିଭାଗ ଓଡ଼ିଆ ବିରୋଧୀ ମାନସିକତାକୁ ଅଧିକ ଟାଣ କରିଛି। ଦୀର୍ଘ ଆନ୍ଦୋଳନ ପରେ ଝାଡ଼ଖଣ୍ଡରେ ଦ୍ବିତୀୟ ରାଜଭାଷାର ମାନ୍ୟତା ମିଳିଥିବା ଶାସ୍ତ୍ରୀୟ ଓଡ଼ିଆ ଭାଷା ଓ ସଂସ୍କୃତିକୁ ଝାଡ଼ଖଣ୍ଡ ସରକାର ସରକାର ଲୋପ କରିବାକୁ ବାରମ୍ବାର ଉଦ୍ୟମ କରୁଥିବା ଯୋଗୁଁ ଷଢେ଼ଇକଳା, ଖରସୁଆଁ ସମେତ ପୂର୍ବ ଓ ପଶ୍ଚିମ ସିଂହଭୂମି ଜିଲାର ମୂଳବାସୀ-ଓଡ଼ିଆମାନେ ଏହି ଆଭିମୁଖ୍ୟକୁ ନିନ୍ଦା କରିଛନ୍ତି।
ଗତବର୍ଷ ଏହି ପ୍ରସଙ୍ଗରେ ସମାନ ପରିସ୍ଥିତି ଉପୁଜିଥିବା ବେଳେ ଝାଡ଼ଖଣ୍ଡ ବିଚ୍ଛିନ୍ନାଞ୍ଚଳର ବର୍ଷୀୟାନ ଓଡ଼ିଆ କବି ବିଷ୍ଣୁପଦ ସିଂହଦେବ କହିଥିଲେ, ‘‘୧୮ମେ ୧୯୪୮ ଦିନ ବିହାର ଓ କେନ୍ଦ୍ର ସରକାର ଚଞ୍ଚକତା କରି ଓଡ଼ିଶାରୁ ଦୁଇ ଖାଣ୍ଟି ଓଡ଼ିଆ ଗଡ଼ଜାତ ରାଜ୍ୟ ଷଢ଼େଇକଳା-ଖରସୁଆଁକୁ ବିହାରକୁ ନେଇଯାଇଥିଲେ, ଯାହା ଆଜିଯାଏ ଓଡ଼ିଶାକୁ ଫେରିନାହିଁ। ଅବିଭକ୍ତ ସିଂହଭୂମି ଜିଲା ଓଡ଼ିଆ ବହୁଳ ଅଂଚଳ ଥିବାବେଳେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମୟରେ ଏହାକୁ ରାଜନୈତିକ କାରଣ ପାଇଁ ବାଦ ଦିଆ ଯାଇଥିଲା। ବର୍ତ୍ତମାନ ଝାଡ଼ଖଣ୍ଡ ସରକାର ଶାସ୍ତ୍ରୀୟ ଓଡ଼ିଆକୁ ଶେଷ କରିବାକୁ ବସିଲେଣି।’’ ଷଢେ଼ଇକଳାର ଓଡ଼ିଆ ସଂଗଠକ ତଥା ବରିଷ୍ଠ ସାମ୍ବାଦିକ କାର୍ତ୍ତିକ ପରିଚ୍ଛା, ଶିକ୍ଷାବିତ୍ ସରୋଜ ପ୍ରଧାନ ପ୍ରମୁଖ ଷଢେ଼ଇକଳା, ଖରସୁଆଁ ଓ ଅବିଭକ୍ତ ସିଂହଭୂମି ଅଞ୍ଚଳରେ ଓଡ଼ିଆଙ୍କ ବିକାଶ ପାଇଁ ଆସୁଥିବା ଟଙ୍କା ହରିଲୁଟ ହେଉଥିବା ଅଭିଯୋଗ କରିଆସିଛନ୍ତି। ଝାଡ଼ଖଣ୍ଡ ବିଚ୍ଛିନ୍ନାଞ୍ଚଳକୁ ପୁଣି ଥରେ ଓଡ଼ିଶାରେ ସାମିଲ କରିବା କିମ୍ବା ଝାଡ଼ଖଣ୍ଡର ସମଗ୍ର ଓଡ଼ିଆ ଇଲାକାକୁ ଏକ ସ୍ବତନ୍ତ୍ର କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିବା ପାଇଁ ସମସ୍ତ ଐତିହାସିକ ତଥ୍ୟ ପ୍ରଦାନ ପୂର୍ବକ ସେମାନେ ଦାବି କରିଛନ୍ତି।
ପ୍ରାଥମିକ ଶିକ୍ଷକ ପ୍ରଶିକ୍ଷଣ ପରୀକ୍ଷାରୁ ଓଡ଼ିଆ ଭାଷା ବାଦ୍ ପ୍ରସଙ୍ଗକୁ ଓଡ଼ିଆ ଅସ୍ମିତା ସହ ଯୋଡ଼ିବାର ଆବଶ୍ୟକତା ଦେଖାଦେଇଛି। ୨୦୨୧ ସ୍ଥିତି ଏବେ ନାହିଁ। ଝାଡ଼ଖଣ୍ଡରେ ଓଡ଼ିଆଙ୍କ ଦ୍ବାରା ଯେତେ ପ୍ରତିବାଦ କରାଗଲେ ମଧ୍ୟ ଏ ଥର ଯେ ପୁଣି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ହେବ ଓ ନିଷ୍ପତ୍ତି ବଦଳିବ -ଏପରି ଆଶା କରିବା ଅମୂଳକ। କାରଣ ଜାନୁଆରି ୬ ବିଜ୍ଞପ୍ତିକୁ ସଂଶୋଧନ କରାଇହେଲା ନାହିଁ କି ଓଡ଼ିଆ ଭାଷାକୁ ପରୀକ୍ଷା ତାଲିକାରେ ସାମିଲ କରାଯାଇ ପାରିଲାନାହିଁ। ତେଣୁ ଏଥର ଓଡ଼ିଶାରେ ରାଜ୍ୟବାସୀଙ୍କ ସ୍ବର ଶାଣିତ ନ ହେଲେ ବିଚ୍ଛିନ୍ନାଞ୍ଚଳର ଓଡ଼ିଆ ଭାଇଭଉଣୀଙ୍କ ପ୍ରତିବାଦ ଯଥେଷ୍ଟ ହେବନାହିଁ। ତେବେ ଓଡ଼ିଶା ସରକାରଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ସ୍ତରରେ ହସ୍ତକ୍ଷେପ ହେଲେ ହୁଏତ ଓଡ଼ିଆ ଭାଷାକୁ ପୁଣି ପରୀକ୍ଷା ପଦ୍ଧତ୍ତିରେ ସାମିଲ କରାଇବା ସହଜ ହେବ ବୋଲି ତଥ୍ୟାଭିଜ୍ଞ ମହଲ ମତପ୍ରକଟ କରିଛନ୍ତି।