କେନାଲରୁ ମିଳିଲା ୧୫ ବିଡ଼ା ପାଠ୍ୟ ପୁସ୍ତକ

ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍‌ ସଦର ମହକୁମାର ଷ୍ଟେଟ୍‌ବ୍ୟାଙ୍କ ସମ୍ମୁଖ ଏକ କେନାଲରୁ ନବମ ଶ୍ରେଣୀର ୧୫ ବିଡ଼ା ପାଠ୍ୟ ପୁସ୍ତକ ମିଳିଛି। ଏହାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ସୂଚନା ଅନୁଯାୟୀ, ଆଜି ଚନ୍ଦାହାଣ୍ଡି ଷ୍ଟେଟ୍‌ ବ୍ୟାଙ୍କ ସମ୍ମୁଖ ସାଲେବିଡି-ମୋହରା କେନାଲକୁ ଜେସିବି ଦ୍ବାରା ସଫା କରାଯାଉଥିଲା। ଏହିସମୟରେ କେନାଲ ଭିତରୁ ୧୫ ବିଡ଼ା ପାଠ୍ୟ ପୁସ୍ତକ ବାହାରିବା ଦେଖିବା ପରେ କିଛି ଚାଷୀ ଏ ନେଇ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ। ଏହି ବହିଗୁଡ଼ିକ ନବମ ଶ୍ରେଣୀର ହୋଇଥିବା ବେଳେ କେନାଲ ଭିତରେ ଏହାକୁ କିଏ ଫୋପାଡ଼ିଛି, ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପିଲାଙ୍କୁ ପାଠପଢ଼ା ପ୍ରତି ଆକୃଷ୍ଟ କରିବାପାଇଁ ସରକାର ମାଗଣାରେ ପାଠ୍ୟ ପୁସ୍ତକ, ମଧ୍ୟାହ୍ନ ଭୋଜନ, ପୋଷାକ, ଜୋତା ଆଦି ପ୍ରଦାନ କରୁଛନ୍ତି। କିନ୍ତୁ ପାଠ୍ୟ ପୁସ୍ତକ ପିଲାଙ୍କୁ ବଣ୍ଟନ କରା ନଯାଇ କେନାଲରେ ଫୋପାଡ଼ି ଦେବା ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି। ଶୀଘ୍ର ଜିଲ୍ଲାପାଳ ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି।

ଏ ସଂପର୍କରେ ଚନ୍ଦାହାଣ୍ଡି  ଏବିଇଓ  ବିଜୟାନନ୍ଦ ସୋରୀଙ୍କୁ ଯୋଗା ଯୋଗ କରିବାରୁ ଏହା ହାଇସ୍କୁଲର ପାଠ୍ୟ ପୁସ୍ତକ, ଆମର ନୁହେଁ ବୋଲି କହିଥିଲେ। ଏ ବାବଦରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହିତ ଯୋଗାଯୋଗ କରିବାକୁ କହିଥିଲେ। ତେବେ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ମୋବାଇଲ ସ୍ବିଚ୍‌ ଅଫ୍‌ ଥିବାରୁ ଏନେଇ ତାଙ୍କ ପ୍ରତିକ୍ରିୟା ହସ୍ତଗତ ହୋଇପାରିନି।

ସମ୍ବନ୍ଧିତ ଖବର