ଭୁବନେଶ୍ବର: ରାଜ୍ୟର ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଶିକ୍ଷାର ମାନ ବୃଦ୍ଧି କରାଯିବ। ବିଭିନ୍ନ କାରଣରୁ ବନ୍ଦ ହୋଇଥିବା ବିଦ୍ୟାଳୟଗୁଡ଼ିକର ସମୀକ୍ଷା ହେବ। ଏଥିସହ ଉଚ୍ଚ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମିରେ ହୋଇଥିବା ପରିବର୍ତ୍ତନକୁ ଦୀର୍ଘସ୍ଥାୟୀ କରିବା, ପ୍ରତ୍ୟେକ ଶ୍ରେଣୀଗୃହରେ ସ୍ମାର୍ଟ ବୋର୍ଡ, ଛାତ୍ରଛାତ୍ରୀଙ୍କୁ ଠିକ୍‌ ଢାଞ୍ଚାରେ ଶିକ୍ଷାଦାନ, ପାଠାଗାର ଓ ଅନ୍ୟାନ୍ୟ ଭିତ୍ତିଭୂମିର ଉନ୍ନତୀକରଣ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। କୋଡିଂ, ପ୍ରକଳ୍ପ ଭିତ୍ତିକ ପାଠ୍ୟକ୍ରମ, ଜୀବନ କୌଶଳ ଆଧାରିତ ଶିକ୍ଷା, ଭାଷାଭିତ୍ତିକ ସୃଜନଶୀଳତାକୁ ପ୍ରଧାନ୍ୟ ଦେଇ ଆକାଂକ୍ଷୀ ପାଠ୍ୟକ୍ରମକୁ ପ୍ରତି ବିଦ୍ୟାଳୟରେ କାର୍ଯ୍ୟକ୍ଷମ କରାଯିବ। ଆଗାମୀ ଶିକ୍ଷାବର୍ଷ ପୂର୍ବରୁ ପ୍ରତି ବ୍ଲକରେ କିଭଳି ଠିକ୍‌ ସମୟରେ ପାଠ୍ୟପୁସ୍ତକ ପହଞ୍ଚିବ ସେଦିଗରେ ପଦକ୍ଷେପ ନେବାକୁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ବିଭାଗୀୟ ସମୀକ୍ଷା ବୈଠକରେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ବୈଠକରେ ବିଦ୍ୟାଳୟ ଭିତ୍ତିଭୂମି, ଶୈକ୍ଷିକ ପରିବେଶ, ପରିଚାଳନା ଉପରେ ଗଣଶିକ୍ଷା ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମିର ବିକାଶ ସହ ବିଦ୍ୟାର୍ଥୀଙ୍କୁ କିଭଳି ଉନ୍ନତମାନର ଶିକ୍ଷା ମିଳିବ ସେନେଇ ଆଲୋଚନା କରାଯାଇଛି। ସ୍ୱତନ୍ତ୍ର ଭାବେ ଏକ ଆସେଟ୍‌ ମ୍ୟାନେଜମେଣ୍ଟ ସଫ୍ଟୱେର ବିକାଶ କରାଯାଉଛି, ଯାହାକି ଶିକ୍ଷା କ୍ଷେତ୍ରରେ ଏକ ବଡ ପରିବର୍ତ୍ତନ ଆଣିବ। ସେହିପରି ବିଭାଗ ଅଧୀନ ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ଛାତ୍ରଙ୍କ ପାଇଁ ଆବାସିକ ସୁବିଧାକୁ ସୁଦୃଢ଼ କରିବା, ଛାତ୍ରାବାସଗୁଡ଼ିକ ଯଥା ସମୟରେ କାର୍ଯ୍ୟକ୍ଷମ, ସ୍ଥାନୀୟ ଅଞ୍ଚଳକୁ ଭିତ୍ତିକରି ଉଚ୍ଚବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିବର୍ତ୍ତିତ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଇ-ବିଷୟବସ୍ତୁର ୱେବ୍‌ ପ୍ରକାଶ ସହ ସରକାରୀ ୱେବସାଇଟ୍‌ରେ ପାଠ୍ୟପୁସ୍ତକଗୁଡ଼ିକ ଉପଲବ୍ଧ କରାଯିବ। ଏହାବ୍ୟତୀତ ମାର୍କସିଟ୍‌ ଓ ସାର୍ଟିଫିକେଟ୍‌ ପାଇବାକୁ ଅନ୍‌ଲାଇନରେ ଉପୁଜୁଥିବା ସମସ୍ୟାର ସମାଧାନ କରିବାକୁ ଅଧିକାରୀମାନଙ୍କୁ କୁହାଯାଇଛି।

ଏହା ବ୍ୟତୀତ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ, ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନକୁ ଅଧିକ କ୍ରିୟାଶୀଳ, ଶିକ୍ଷକଙ୍କ ସମସ୍ୟାର କିପରି ସମାଧାନ ହୋଇପାରିବ ସେନେଇ ମନ୍ତ୍ରୀ ଶ୍ରୀ ଗଣ୍ଡ ବିଭାଗୀୟ ଅଧିକାରୀଙ୍କଠାରୁ ପ୍ରସ୍ତାବ ଆହ୍ୱାନ କରିଥିଲେ। ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନର ଭିତ୍ତିଭୂମିକୁ ବିକଶିତ ସହ ପ୍ରତି ଡାଏଟ୍‌ରେ ଅଡିଟୋରିୟମର ନିର୍ମାଣ କରାଯିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ବିଭାଗୀୟ ସଚିବ ଅଶ୍ୱତୀ ଏସ୍‌.ଙ୍କ ସମେତ ଅତିରିକ୍ତ ସଚିବ, ଯୁଗ୍ମ ସଚିବ, ବିତ୍ତ ପରାମର୍ଶଦାତା ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଆଗାମୀ ୫ ବର୍ଷ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିବା ମନ୍ତ୍ରୀ ଶ୍ରୀ ଗଣ୍ଡ ବୈଠକରେ ସୂଚନା ଦେଇଛନ୍ତି।