ଠାକୁର ଅନୁକୂଳଚନ୍ଦ୍ରଙ୍କ ୯୭ତମ ଉତ୍କଳ ଆଗମନୀ ସ୍ମୃତି ମହୋତ୍ସବ

ପୁରୀ :‌ ଠାକୁର ଅନୁକୂଳଚନ୍ଦ୍ରଙ୍କ ୯୭ତମ ଉତ୍କଳ ଆଗମନୀ ସ୍ମୃତି ମହୋତ୍ସବ ଆଜି ପୁରୀ ତାଳବଣିଆ ପଡ଼ିଆଠାରେ ଅନୁଷ୍ଠିତ ହୋଇଯାଇଛି। ସଂକଟାପନ୍ନ ମାନବ ସମାଜକୁ ବଞ୍ଚିବାର ଉଚିତ୍ ମାର୍ଗଦର୍ଶନ ଦେବା ପାଇଁ ପୁରୁଷୋତ୍ତମଙ୍କ ଆଗମନ ହୋଇଥାଏ ବୋଲି ଏହି ଅବସରରେ ଅତିଥିମାନେ ମତବ୍ୟକ୍ତ କରିଥିଲେ।

ଏହି ଉପଲକ୍ଷେ ପୁରୀ ଚକ୍ରତୀର୍ଥ ରୋଡ୍‌ସ୍ଥିତ ସତ୍‌ସଙ୍ଗ ଠାକୁରବାଡି ଉତ୍ସବମୁଖର ହୋଇ ଉଠିଥିଲା। ଡ. ନୃସିଂହ ପ୍ରସାଦ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ ମୁଖ୍ୟ ଅତିଥି, ପ୍ରଫେସର ସୂର୍ଯ୍ୟ ମିଶ୍ର ମୁଖ୍ୟବକ୍ତା, ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ, କେନ୍ଦ୍ରୀୟ କର୍ମୀ ଶ୍ରୀଧର ସୁନ୍ଦର ମିଶ୍ର ଏବଂ ପ୍ରଫେସର ସରୋଜକାନ୍ତ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ତାଳବଣିଆଠ‌ାରେ କେନ୍ଦ୍ର ସତ୍‌ସଙ୍ଗର ସହ ସମ୍ପାଦକ ତଥା ଆୟକର ବିଭାଗର ପୂର୍ବତନ ମହାନିର୍ଦ୍ଦେଶକ ଡ. ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ପଦ୍ମଭୂଷଣ ରଘୁନାଥ ମହାପାତ୍ର ଯୋଗ ଦେଇ ଠାକୁରଙ୍କ ଦିବ୍ୟ ଦର୍ଶନ ଉପରେ ଆଲୋକପାତ କରିଥିଲେ। ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଠାକୁର ଶ୍ରୀ ଅନୁକୂଳ ଚନ୍ଦ୍ରଙ୍କ ମାର୍ଗଦର୍ଶନ ପ୍ରତ୍ୟେକଙ୍କ ଧ୍ୟେୟ ହେବା ଉଚିତ୍ ବୋଲି କହିଥିଲେ। ଚେନ୍ନାଇ ସତ୍‌ସଙ୍ଗ ବିହାରର ସମ୍ପାଦକ ପ୍ରତାପ ଦାସ ସମ୍ମାନିତ ଅତିଥି ଓ ବିଶିଷ୍ଟ ବାଗ୍ମୀ ଦିଲ୍ଲୀ ସତ୍‌ସଙ୍ଗ ବିହାରର ସଚିବ ତଥା କେନ୍ଦ୍ର ସତସଙ୍ଗର ସାଂଗଠନିକ ଉପସଭାପତି ଯତିନ୍ଦ୍ରନାଥ ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଉତ୍ସବ କମିଟି ସମ୍ପାଦକ ଡମ୍ବରୁଧର ଦାସ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରଫେସର ହୃଷିକେଶ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର