ବ୍ରଜରାଜନଗର: ଶିଳ୍ପ ସହର ବ୍ରଜରାଜନଗରରେ ୧୯୫୬ ମସିହାରେ ରଥଯାତ୍ରା ଆରମ୍ଭ ହୋଇଥିଲା। ସେସମୟରେ ହୀରାକୁଦ ଜଳଭଣ୍ଡାର ନିର୍ମାଣ ଯୋଗୁଁ ବହୁ ଗ୍ରାମ ଜଳଭଣ୍ଡାରରେ ଲୀନ ହୋଇଯାଇଥିଲା। ବିସ୍ଥାପିତ ପରିବାରଙ୍କ ମଧ୍ୟରୁ ସତ୍ୟନାରାୟଣ ପଣ୍ଡା ଓ ବାସୁଦେବ ପଣ୍ଡା ନିଜ ଗାଁ ଜଗନ୍ନାଥ ମନ୍ଦିରରେ ପୂଜା ପାଉଥିବା ତିନି ଦିଅଙ୍କୁ ବ୍ରଜରାଜନଗର ନେଇ ଆସିଥିଲେ। ସେମାନେ ୩ ଦିଅଙ୍କୁ ଏକ ଘରେ ରଖି ପୂଜା କରିବା ପରେ ବ୍ରଜରାଜନଗରରେ ରଥଯାତ୍ରା ପରମ୍ପରା ଆରମ୍ଭ ହୋଇଥିଲା। ୬୮ ବର୍ଷ ହେବ ଏଠାରେ ରଥଯାତ୍ରା ହୋଇ ଆସୁଛି। ପୂର୍ବରୁ ରଥଯାତ୍ରା ଏକ ଛୋଟ ରଥରେ ଆରମ୍ଭ ହୋଇଥିଲା। ସତ୍ୟନାରାୟଣ ପଣ୍ଡାଙ୍କ ଘରକୁ ଗୁଣ୍ଡିଚା ମନ୍ଦିର ରୂପେ ବ୍ୟବହାର କରି ଠାକୁରମାନଙ୍କୁ ସେଠାରେ ରଖାଯାଇଥିଲା। ସତ୍ୟନାରାୟଣ ପଣ୍ଡା ଛେରା ପହଁରା କରୁଥିଲେ।
କାଳକ୍ରମେ ଓରିଏଣ୍ଟ କାଗଜ କଳ ଓ କୋଇଲାଖଣିର ସମ୍ପ୍ରସାରଣ ଯୋଗୁ ସହରରେ ଲୋକ ସଂଖ୍ୟା ବଢ଼ିବାରୁ ସହରବାସୀ ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ୧୯୮୭ ମସିହାରେ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା। ମନ୍ଦିର ପ୍ରତିଷ୍ଠାର ପୁରୋଧା ଥିଲେ ସ୍ବର୍ଗତ କୃପାସିନ୍ଧୁ ପାଣିଗ୍ରାହୀ। ସ୍ବର୍ଗତ ପାଣିଗ୍ରାହୀଙ୍କ ବିୟୋଗ ପରେ ୨୦୦୩ ମସିହାରୁ ଟ୍ରଷ୍ଟ ବୋର୍ଡ ସଭାପତି ଭାବେ ହରିହର ପରିଡ଼ା ଛେରାପହଁରା କରୁଥିଲେ। ଗତ ବର୍ଷ ହରିବାକୁଙ୍କ ଦେହାନ୍ତ ଘଟିଛି। ୨୦୦୭ ମସିହାରେ ୮ଚକା ବିଶିଷ୍ଟ ୧୮ଫୁଟର ନୂତନ ରଥ ନିର୍ମାଣ କରାଯାଇଥିଲା। ପରେ ମନ୍ଦିର ପରିଚାଳନା କମିଟି ଓ ସହରବାସୀଙ୍କ ପ୍ରଚେଷ୍ଟାରୁ ପୁରୁଣା ବସଷ୍ଟାଣ୍ଡ ନିକଟରେ ନୂତନ ଗୁଣ୍ଡିଚା ମନ୍ଦିର ନିର୍ମିତ କରାଯାଇଛି।