ଠାକୁର ଜମି ଜବରଦଖଲ ମାମଲା, କମିଟି ସଦସ୍ୟଙ୍କ ଗିରଫଦାରୀକୁ ନେଇ ବିକ୍ଷୋଭ

ବାସୁଦେବପୁର: ବାସୁଦେବପୁର ଥାନା ଅନ୍ତର୍ଗତ ନୂଆଗାଁରେ ଏକ ଠାକୁର ଜମି ରହିଛି। ଦୀର୍ଘଦିନ ହେବ ୨୨ ଗୁଣ୍ଠ ସରକାରୀ ଜମିକୁ ସ୍ଥାନୀୟ ଠାକୁରାଣୀଙ୍କ ନାମରେ ଠାକୁର କମିଟିର ସଦସ୍ୟ ତଥା ଗ୍ରାମବାସୀ ଲିଜ୍‌ ଆଣିବା ସହ ଚାଷବାସ କରୁଛନ୍ତି। ସେଥିରୁ ଯାହା ଅର୍ଥ ରୋଜଗାର ହେଉଛି, ଠାକୁରାଣୀଙ୍କ ପୂଜାପାର୍ବଣରେ ବିନିଯୋଗ କରାଯାଉଛି। ମାତ୍ର କିଛିଦିନ ତଳେ ଗାଁର ଜଣେ ବ୍ୟକ୍ତି ଉକ୍ତ ଜମିର କିଛି ଅଂଶକୁ ଜବରଦଖଲ କରି ସେଠାରେ ଘର କରୁଥିଲେ।

ଯାହାକୁ ଠାକୁର କମିଟିର ସଦସ୍ୟମାନେ ବିରୋଧ କରିବା ସହ ଜବରଦଖଲ ହଟାଇବା ପାଇଁ କହିଥିଲେ। ହେଲେ ବ୍ୟକ୍ତି ଜଣକ କିଛି ଶୁଣି ନଥିଲେ। ଏପରି ସମୟରେ ସେ ଉକ୍ତ ଜମିରେ ତିଆରି କରିଥିବା ଘରକୁ ନିଜେ ଭାଙ୍ଗି ଦେଇ ଗ୍ରାମବାସୀଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ।

ସେହିପରି ଗ୍ରାମବାସୀମାନେ ମଧ୍ୟ ପାଲଟା ଏତଲା ଦେଇଥିଲେ। ହେଲେ ପୁଲିସ ସଂପୃକ୍ତ ଜବରଦଖଲକାରୀଙ୍କ ପକ୍ଷ ନେଇ କାମ କରୁଥିବା ଅଭିଯୋଗ ହୋଇଛି। ଗୁରୁବାର ଦିନ ପୁଲିସ ଠାକୁର କମିଟିର ଜଣେ ସଦସ୍ୟଙ୍କୁ ଗିରଫ କରିଥିଲା। ଫଳରେ ଆଜି ଗାଁର ଲୋକମାନେ ଥାନା ସମ୍ମୁଖରେ ବିକ୍ଷୋଭ କରିଥିଲେ। ଏହା ସହିତ ଗିରଫ ବ୍ୟକ୍ତିଙ୍କୁ ପୁଲିସ କୋର୍ଟ ନେଇ ଯାଉଥିବା ବେଳେ ଗାଡ଼ିକୁ ‌ଗ୍ରାମବାସୀ ଅଟକାଇ ଥିଲେ। ଏହି ଘଟଣାକୁ ନେଇ ଦିନତମାମ ଥାନାରେ ଉତ୍ତେଜନା ଲାଗି ରହିଥିଲା। ଖବର ଲେଖା ହେବା ଯାଏ ଉତ୍ତେଜନା ଜାରି ରହିଛି। ଘଟଣା ବାବଦରେ ଥାନାଧିକାରୀ ଅମିତ କୁମାର ଭୂୟାଁଙ୍କୁ ପଚରାଯାଇଥିଲା। ସେ ଅଭିଯୋଗକୁ ଭିତ୍ତି କରି ଯାହା କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର