ଭଞ୍ଜନଗର: ଭଞ୍ଜନଗର ସହରରେ ଚଳିତ ବର୍ଷ ଠାକୁରାଣୀ ଯାତ୍ରା ଅନୁଷ୍ଠିତ କରିବାକୁ ଯାତ୍ରା କମିଟି ପକ୍ଷରୁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚଳିତ ବର୍ଷ ଠାକୁରାଣୀ ଯାତ୍ରା ଆସନ୍ତା ମେ ମାସ ୩ ତାରିଖରୁ ଅରମ୍ଭ ହୋଇ ୨୪ ତାରିଖ ଦିନ ସମାପ୍ତ ହେବ ବୋଲି ନିଷ୍ପତି ନିଆଯାଇଛି। ୩ ତାରିଖ ଦିନ କୁଲାଡ ଅଧିଷ୍ଠାତ୍ରୀ ଦେବୀ ମା ବ୍ର୍ୟଘ୍ର ଦେବୀ ଏବଂ ଠାକୁରାଣୀଙ୍କୁ ଆବାହାନ କରି ମୁଖ୍ୟ ସଡ଼କରେ ଅସ୍ଥାୟୀ ମଣ୍ଡପକୁ ଅଣାଯିବା ପରେ ଦୀର୍ଘ ୨୧ ଦିନ ଧରି ନଗରଭ୍ରମଣ ଅନୁଷ୍ଠିତ ହେବ। ଏଥି ମଧ୍ୟରେ ଦେବୀଙ୍କ ପୀଠରେ ୧୫ ତାରିଖ ଦିନ ଶାନ୍ତି ହୋମ,୧୯ ତାରିଖ ଦିନ ସାବିତ୍ରୀ ଅମବାସ୍ୟା ଏବଂ ୨୩ ତାରିଖ ଦିନ ସିଂହବାହିନୀ ଅନୁଷ୍ଠିତ ହେବା ପରେ ୨୪ ତାରିଖ ଦିନ ବନ ବିଭାଗ ଡାକ ବଙ୍ଗଳା ଠାରେ ଭେଟଯାତ୍ରା ଅନୁଷ୍ଠିତ ହେବା ପରେ ଯାତ୍ରା ସମାପ୍ତି ଘଟିବ ବୋଲି ନିଷ୍ପତି ନିଆଯାଇଥିଲା।

Advertisment

ରଘୁନାଥ ମନ୍ଦିର କଲ୍ୟାଣ ମଣ୍ଡପ ପ୍ରାଙ୍ଗଣରେ ଅନୁଷ୍ଠିତ ବୈଠକରେ ସଭାପତି ରାଜେନ୍ଦ୍ର ବିଶୋୟୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଯଠକରେ ଯାତ୍ରା କମିଟିର ମୁଖ୍ୟ ଉପଦେଷ୍ଟା ତଥା ଓଡିଶା ବିଧାନସଭାର ବାଚସ୍ପତି ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସହରର ଏହି ଐତିହ୍ୟ ସମ୍ପନ୍ନ ଯାତ୍ରାକୁ ସରସ ସୁନ୍ଦର କରିବା ସହ ଦୀର୍ଘ ୬ ବର୍ଷ ପରେ ଏହି ଯାତ୍ରା ହେଉଥିବାରୁ ଅଧିକ ମହା ଆଡମ୍ବର ସହକାରେ କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରିବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଏଥିରେ ଅନ୍ୟତମ ଉପଦେଷ୍ଟା ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ଯୋଗଦେଇ ଯାତ୍ରା ପାଇଁ ସମସ୍ତ ପ୍ରକାର ପ୍ରଶାସନିକ ସହାୟତା ପ୍ରଦାନ କରାଯିବା ସହ ଯାତ୍ରା ସମୟରେ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ପାନୀୟ ଜଳ,ଆଲୋକ ବ୍ୟବସ୍ଥା,ପାର୍କିଂ ସହ ଟ୍ରାଫିକ୍ ବ୍ୟବସ୍ଥା ପ୍ରତି ବିଶେଷ ଧ୍ୟାନ ଦିଆଯିବ ବୋଲି କହିଥିଲେ। ଏଥିରେ ବିଦ୍ୟୁତ୍ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଇଂ ନୃସିଂହ ଚରଣ ପଣ୍ଡା,ଜନସ୍ବାସ୍ଥ ବିଭାଗ ସହକାରୀ ଯନ୍ତ୍ରୀ ଇଂ ବିନୟ କୁମାର ସାହୁ,ଏନ୍ଏସି କାର୍ୟ୍ୟ ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର,ତହସିଲଦାର ଅଚ୍ୟୁତାନନ୍ଦ ଜାନୀ,ଥାନା ଅଧିକାରୀ ଧୀରେଶ କୁମାର ଦାସ ପ୍ରମୁଖ ମଞ୍ଚାସୀନ ରହିଥିଲେ।

publive-image

ପ୍ରତି ତିନି ବର୍ଷକୁ ଥରେ ଏହି ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଶେଷ ଥର ପାଇଁ ଗତ ୨୦୧୭ ମସିହାରେ ହୋଇଥିଲା। ଏହାର ୩ ବର୍ଷ ପରେ ୨୦୨୦ ମସିହାରେ କୋରାନା ମହାମାରୀ ପାଇଁ ହୋଇଥିବା କଟକଣା ପାଇଁ ଯାତ୍ରାକୁ ସ୍ଥଗିତ ରଖାଯାଇଥିଲା। ଇତି ମଧ୍ୟରେ କିଛି ଯାତ୍ରା କମିଟିର ସଭାପତି ଥିବା ଡ.ନଳିନୀକାନ୍ତ ତ୍ରିପାଠୀ,ପୂର୍ବତନ ସଭାପତି ଉମାକାନ୍ତ ମିଶ୍ର,ମୁଖ୍ୟ ସାଙ୍ଗଠନିକ ସମ୍ପାଦକ ମାଲରାମ ସ୍ବାଇଁଙ୍କ ସମେତ କିଛି ସଦସ୍ୟଙ୍କ ଦେହାନ୍ତ ଘଟିଥିବାରୁ ବୈଠକ ପୂର୍ବରୁ ୨ ମିନଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହାପରେ ସର୍ବ ସମ୍ମତି କ୍ରମେେ ରାଜେନ୍ଦ୍ର ବିଶୋୟୀଙ୍କୁ ସଭାପତି ଭାବେ ଚୟନ କରାଯାଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ ସୂଧୀର ରଞ୍ଜନ ବେ ହେରା ଏବଂ ମୁଖ୍ୟ ସାଙ୍ଗଠନିକ ସମ୍ପାଦକ ଭାବେ ଏନ୍ଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ରଙ୍କୁ ଚୟନ କରାଯାଇଥିଲା। ନୂତନ ଉପସଭାପତି ଭାବେ ମୂରଲୀଧର ପଣ୍ଡା ଏବଂ ଯୁଗ୍ମ ସମ୍ପାଦକ ଭାବେ ଲୋକନାଥ କରଙ୍କୁ ମଧ୍ୟ ଚୟନ କରାଯାଇଥିଲା। ଏହାକୁ ସାଙ୍ଗଠନିକ ସମ୍ପାଦକ ସୁଶାନ୍ତ ମହାପାତ୍ର ସଂଯୋଜନା କରିଥିବାନ ବେଳେ ଉପସଭାପତି ଶାନ୍ତୁନୁ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ଏଥିରେ ଉପସଭାପତି ବିନୟ ରଥ, ଯୁଗ୍ମ ସମ୍ପାଦକ ଡି ଚେଲପତି ରାଓ, ସୁନୀଲ କୁମାର ପଟ୍ଟନାୟକ, କେ.ନାଗେଶ୍ବର ପାତ୍ର, କୋଷାଧ୍ୟକ୍ଷ ବି ମହେଶ୍ବର ପାତ୍ର, ସାଂସ୍କୃତିକ ସମ୍ପାଦକ ଜଗଦୀଶ ପାଣିଗ୍ରାହୀଙ୍କ ସମତେ ସମସ୍ତ ବାଲା ଆଚାରୀ, ସନ୍ତୋଷ ତିଆଡି, ସୁବଳ ପ୍ରଧାନ, ପଞ୍ଚାନନ ପାଳଙ୍କ ସମେତ ବହୁ ସଦସ୍ୟ ଏହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଏହି ଐତିହାସିକ ଠାକୁରାଣୀ ଯାତ୍ରା କେଉଁ ଆବାହାମାନ କାଳରୁ ହୋଇ ଆସୁଥିବା ବେଳେ ଏହି ଯାତ୍ରା ଆରମ୍ଭରେ ଘୁମୁସରର ଅଧିଷ୍ଠାତ୍ରୀ ମାଁ ବ୍ୟାଘ୍ରଦେବୀ ଏବଂ ଗ୍ରାମ ଦେବତୀ ଠାକୁରାଣୀଙ୍କୁ ମୁଖ୍ୟ ସଡ଼କରେ ଏକ ଅସ୍ଥାୟୀ ପୀଠକୁ ବିରାଟ ପଟୁଆରରେ ଅଣାଯାଇଥାଏ। ଉଭୟ ଦେବୀଙ୍କ ପ୍ରତିଦିନ ନଗର ଭ୍ରମଣ ହୋଇଥାଏ। ଶେଷ ଦିନ ଉଭୟ ଦେବୀଙ୍କ ଭେଟ ଯାତ୍ରା ଅନୁଷ୍ଠିତ ହେବା ପରେ ଯାତ୍ର ସମାପ୍ତ ହୋଇଥାଏ।