ସାକ୍ଷୀଗୋପାଳ: ୪୨ ବର୍ଷ ପରେ ଭଣ୍ଡାରକୁ ଫେରିଲା ଠାକୁରାଣୀଙ୍କ ସୁନା ଗହଣା

ସାକ୍ଷୀଗୋପାଳ : ହିନ୍ଦୁ ମତବାଦ ଓ ବିଶ୍ୱାସ ଅନୁଯାଇ ସବୁ ପ୍ରଭୁଙ୍କ ଇଛାରେ ଘଟୁଛି। ଯାହା ପ୍ରମାଣିତ ହୋଇଛି ସାକ୍ଷୀଗୋପାଳର ଶ୍ରୀ ଶ୍ରୀଗୋପାଳ ଜିଉଙ୍କ ମନ୍ଦିର ଘଟଣାରୁ। ମହାପ୍ରଭୁଙ୍କ ରତ୍ନଭଣ୍ଡାରରୁ ୧୯୮୦ମସିହାରେ ଚୋରି ହୋଇଥିବା ଠାକୁରାଣୀ ଶ୍ରୀ ଶ୍ରୀରାଧାରାଣୀଙ୍କ ସୁବର୍ଣ୍ଣ କଙ୍କଣ ଓ ସୁବର୍ଣ୍ଣ ହାର ପ୍ରାୟ ୪୨ ବର୍ଷ ପରେ ପୁନର୍ବାର ଶ୍ରୀ ଶ୍ରୀଗୋପାଳ ଜିଉଙ୍କ ରତ୍ନଭଣ୍ଡାରକୁ ଫେରିଅଛି l ଏହି ଘଟଣା ଜଣାପଡ଼ିବା ପରେ ଭକ୍ତ ମହଲରେ ଆନନ୍ଦ ପ୍ରକାଶ ପାଇଛି।

୧୯୮୦ ମସିହାରେ ସାକ୍ଷୀଗୋପାଳ ମନ୍ଦିର ଭଣ୍ଡାରରୁ ହରଣଚାଳ ହୋଇଥିବା ଗୋଟିଏ ସୁନାହାର ଓ ଦୁଇଟି କଟକୀ ସୁବର୍ଣ୍ଣ କଙ୍କଣ ପ୍ରାୟ ୪୨ ବର୍ଷ ପରେ ମନ୍ଦିରର ରତ୍ନଭଣ୍ଡାରକୁ ଫେରିଛି। ମନ୍ଦିରର ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ବସନ୍ତ କୁମାର ପ୍ରଧାନ ପୁରୀ ସିଜେଏମ୍‌ଙ୍କ କୋର୍ଟରୁ ସଂଗ୍ରହ କରିବା ପରେ ମୋଟ୍‌ ୬୩. ୩୪ ଗ୍ରାମ ଓଜନର ଏହି ସୁନା ଅଳଙ୍କାର ମନ୍ଦିର ସୁପରଭାଇଜର ବିଶ୍ବନାଥ ମହାପାତ୍ରଙ୍କ ଜରିଆରେ ଭଣ୍ଡାର ମେକାପ ଦୁର୍ଗା ପ୍ରସାଦ ମେକାପଙ୍କୁ ହସ୍ତାନ୍ତର କରିଛନ୍ତି।

ବିବରଣୀରୁ ପ୍ରକାଶ ଯେ ଠାକୁରଙ୍କ ଭଣ୍ଡାର ଦାୟିତ୍ୱରେ ରହୁଥିବା ପାଳିଆ ଭଣ୍ଡାର ମେକାପ ସେବକଙ୍କ ଦାୟିତ୍ୱ ହସ୍ତାନ୍ତର ସମୟରେ ଏହି ଅଳଙ୍କାର ହରଣଚାଳ ହୋଇଥିବା ଘଟଣା ଜଣାପଡ଼ିଥିଲା। ସାକ୍ଷୀଗୋପାଳ ମନ୍ଦିର ପ୍ରଶାସନ ପକ୍ଷରୁ ସେ ସମୟର ଭଣ୍ଡାର ମେକାପ ସ୍ବର୍ଗତ କାଶୀନାଥ ମେକାପଙ୍କୁ ଦାୟୀ କରାଯାଇ ମୋକଦ୍ଦମା ରୁଜୁ କରାଯାଇଥିଲା। ଏନେଇ ଜିଆର କେସ ନମ୍ବର ୧୨୩୪/ ୧୯୮୦ ବିଚାର ଚାଲିଥିଲେ ମଧ୍ୟ ଚୋରି ଅଳଙ୍କାରର ପତ୍ତା ମିଳିନଥିଲା। ଠାକୁରଙ୍କ ଚୋରି ଗହଣା ସାକ୍ଷୀଗୋପାଳ ଷ୍ଟେଟବ୍ୟାଙ୍କ ଶାଖାରେ ବନ୍ଧା ପଡ଼ିଥିବା ସମ୍ପର୍କିତ ଏକ ଖବର ସେ ସମୟର ଏକ ଦୈନିକ ସମ୍ବାଦପତ୍ରରେ ପ୍ରକାଶ ପରେ ମାମଲାର ତଦନ୍ତ ନୂଆ ମୋଡ଼ନେଇଥିଲା। ପୂର୍ବରୁ ସନ୍ଦେହ ଘେରରେ ରହିଥିବା ଅନ୍ୟ ଜଣେ ମେକାପ ସେବକ ସ୍ବର୍ଗତ ବଳଭଦ୍ର ମେକାପ ବ୍ୟାଙ୍କରେ ଅଳଙ୍କାର ବନ୍ଧା ପକାଇଥିବା କାରଣରୁ ତାଙ୍କୁ ମାମଲାରେ ସମ୍ପୃକ୍ତ କରାଯାଇଥିଲା । ପୋଲିସ ସାକ୍ଷୀଗୋପାଳ ଷ୍ଟେଟବ୍ୟାଙ୍କରୁ ଅଳଙ୍କାର ଜବତକରି କୋର୍ଟରେ ଜିମା ଦେଇଥିଲେ। ସିଂହାରୀ ଓ ଅନ୍ୟ ମେକାପ ସେବକ କୋର୍ଟରେ ଠାକୁରଙ୍କ ଅଳଙ୍କାର ଚିହ୍ନଟ କରିଥିଲେ। ମାତ୍ର ପ୍ରାଥମିକ ଅଭିଯୋଗ ଓ ଜବତ ଅଳଙ୍କାର ଓଜନ ପରିମାଣରେ ବ୍ୟତିକ୍ରମ ରହିଥିବା ଦୃଷ୍ଟିକୁ ଆସିଥିଲା। ମାନ୍ୟବର କୋର୍ଟ ଅଭିଯୁକ୍ତ ସେବକ ଦ୍ବୟଙ୍କୁ ଦଣ୍ଡବିଧାନ କରିଥିଲେ। ମାତ୍ର ଅଭିଯୁକ୍ତମାନେ ପୁରୀଜିଲ୍ଲା ଜର୍ଜଙ୍କ ନିକଟରେ ପୁର୍ନବିଚାର ପାଇଁ ଆବେଦନ କରି ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। ସରକାର ଏନେଇ ଉଚ୍ଚ ନ୍ୟାୟାଳୟକୁ ଯାଇଥିଲେ। ମାନ୍ୟବର ଉଚ୍ଚ ନ୍ୟାୟାଳୟ୨୦୨୧ ମସିହା ସେପ୍ଟେମ୍ବର ମାସରେ ନିମ୍ନ ଅଦାଲତଙ୍କ ଆଦେଶ ବଳବତ୍ତର ରଖି ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ବୋଲି ରାୟ ଦେବା ସହ ସାକ୍ଷୀଗୋପାଳଙ୍କ ଜବତ ଅଳଙ୍କାର ଠାକୁରଙ୍କୁ ଫେରାଇ ଦେବାକୁ ଆଦେଶ ଦେଇଥିଲେ।

ଏ ସମ୍ପର୍କିତ ସମସ୍ତ ନ୍ୟାୟିକ ପ୍ରକ୍ରିୟା ଶେ‌ଷ ପରେ ଶନିବାର ଦିନ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବସନ୍ତ କୁମାର ପ୍ରଧାନ, ସୁପରଭାଇଜର ବିଶ୍ୱନାଥ ମହାପାତ୍ର, ମନ୍ଦିର ସ୍ବର୍ଣକାର କୃଷ୍ଣଚନ୍ଦ୍ର ମହାପାତ୍ର, ସେବାୟତ ସଂଘ ସମ୍ପାଦକ ବିଜୟ କୁମାର ନନ୍ଦ, ସେବାୟତ ରାମଚନ୍ଦ୍ର ମହାପାତ୍ର, ଜିତେନ ମହାପାତ୍ର ପ୍ରମୁଖ ପୁରୀ କୋଟ୍‌ରୁ ସଂଗ୍ରହ କରିଥିଲେ। ପରେ ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ର ଏହି ଅଳଙ୍କାରକୁ ଚଳନ୍ତି ଭଣ୍ଡାର ଯାଞ୍ଚ ଖାତାରେ ଲିପିବଦ୍ଧ କରି ଭଣ୍ଡାର ମେକାପ ଦୁର୍ଗା ପ୍ରସାଦ ମହାପାତ୍ରଙ୍କୁ ହସ୍ତାନ୍ତର କରିଥିଲେ l

ସମ୍ବନ୍ଧିତ ଖବର