ଯାଜପୁର: ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବ୍ୟାପୁଥିବା ଡାଇରିଆ ନିୟନ୍ତ୍ରଣକୁ ଆସୁନି। ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। ଗୁରୁବାର ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୬୨୨ ଥିବାବେଳେ ଡାଇରିଆଜନିତ ମୃତ୍ୟୁସଂଖ୍ୟା ୧୧ ଛୁଇଁଛି। ଧର୍ମଶାଳା, ଯାଜପୁରରୋଡ୍ (ବ୍ୟାସନଗର), ଦାନଗଦୀ, ସୁକିନ୍ଦା, କୋରେଇ ଓ ରସୁଲପୁର ବ୍ଲକ୍ ସମେତ ଅନ୍ୟ ଅଞ୍ଚଳକୁ ପ୍ରଭାବିତ କରିଛି। ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ରୋଗୀଙ୍କ ଲମ୍ବାଧାଡ଼ି ଲାଗିଛି। ଏବେ ସୁଦ୍ଧା ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଯଯାତି ମେଡିକାଲ କଲେଜ ହସ୍ପିଟାଲ ସମେତ ଜିଲ୍ଲାର ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୨୮୫ ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି। ଗତକାଲି ସୁଦ୍ଧା ଜିଲ୍ଲାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଜି ଯାଜପୁର ସଦର ବ୍ଲକ୍ ଖଇରାବାଦ ଗାଁର ଅନିଲ ସିଂ, ମଲାପଡ଼ାର ସେବତୀ ଘଡ଼ାଇ, ଦଶରଥପୁର ବ୍ଲକ୍ ଝାଡ଼ଙ୍ଗା ଗାଁର ପବିତ୍ରା ଦାସ, ବ୍ୟାସନଗର ପୌରାଞ୍ଚଳ ୱାର୍ଡ ନଂ ୧୧ ଚାନ୍ଦମା ଅଞ୍ଚଳର ସନାତନ ପାଇକିରା ଓ କୋରେଇ ପଛିକୋଟ ଗ୍ରାମର ଦେବକୀ ମଲ୍ଲିକଙ୍କ ମୃତ୍ୟୁ ହୋଇଛି। ଏହି ଜଳବାହିତ ରୋଗ ବିଭିନ୍ନ ଅଞ୍ଚଳକୁ ବ୍ୟାପୁଥିବାରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାଶ କରିଛି। ଆଜି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଏସ୍. ଅଶ୍ୱଥି ଯାଜପୁର ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବା ସହିତ ଆବଶ୍ୟକ ସହଯୋଗ ଓ ତ୍ବରିତ ନିରାକରଣ ପାଇଁ ପଦକ୍ଷେପ ନେବାକୁ ଜିଲ୍ଲା ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି।
ଜିଲ୍ଲାରେ ଝାଡ଼ାବାନ୍ତି ନିୟନ୍ତ୍ରଣକୁ ଆସୁ ନଥିବାରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରୋଗୀଙ୍କୁ ଜରୁରୀ ଚିକିତ୍ସା ଯୋଗାଇ ଦେବା ପାଇଁ ଜିଲ୍ଲା ଓ ରାଜ୍ୟସ୍ତରରୁ ଏକାଧିକ ଡାକ୍ତରୀ ଟିମ୍କୁ ପ୍ରଭାବିତ ଅଞ୍ଚଳକୁ ପଠାଯାଇଛି। ଆଜି ଡବ୍ଲୁଏଚ୍ଓ ପ୍ରତିନିଧି, ଆଇସିଆର୍ଏମ୍ର ପ୍ରତିନିଧି ଓ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପ୍ରତିନିଧି ଯାଜପୁର ଜିଲ୍ଲାରେ ପହଞ୍ଚି ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଏସ. ଅଶ୍ୱଥି ଯାଜପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସ୍ବାସ୍ଥ୍ୟ ବିଭାଗ, ଆରଡବ୍ଲୁଏସ୍ଏସ୍, ରାଜ୍ୟରୁ ଆସିଥିବା ସ୍ବାସ୍ଥ୍ୟ ଟିମ୍ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ସ୍ଥିତି ସମୀକ୍ଷା ଓ ଏହାର ମୁକାବିଲା ସମ୍ପର୍କରେ ଆଲୋଚନା କରିଥିଲେ। ଏହାପରେ ସେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡାଇରିଆ ମୁକାବିଲା ଲାଗି ନିଆଯାଇଥିବା ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ଯେଉଁସବୁ ଅଞ୍ଚଳରେ ଚିହ୍ନଟ ହୋଇଥିବା ଡାଇରିଆ ଆକ୍ରାନ୍ତ ମେଡିକାଲକୁ ଆସିବାକୁ ରାଜି ହେଉନାହାନ୍ତି, ସେଠାରେ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ଟିମ୍ ପହଞ୍ଚି ସ୍ବାସ୍ଥ୍ୟ ସେବା ଯୋଗାଇଦେବେ। ସମସ୍ତ ପ୍ରଭାବିତ ଅଞ୍ଚଳରେ ପାନୀୟଜଳ ବିଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି।
ଏହାକୁ ତଦାରଖ କରିବା ଲାଗି ପ୍ରତି ପଞ୍ଚାୟତରେ ଜଣେ ଲେଖାଏଁ ସୁପରଭାଇଜର ଜିଲ୍ଲାପାଳ ନିଯୁକ୍ତ କରିଛନ୍ତି। ସେହିପରି ଆଗକୁ ସ୍କୁଲ ଖୋଲିବାକୁ ଥିବାରୁ ପ୍ରତି ସ୍କୁଲର ପାନୀୟ ଜଳ ବ୍ୟବସ୍ଥାକୁ ବିଶୋଧନ କରିବା ପାଇଁ ଜିଲ୍ଲା ଶିକ୍ଷା ବିଭାଗ ଓ ଜିଲ୍ଲା ମଙ୍ଗଳ ବିଭାଗକୁ ନିର୍ଦେଶ ଦିଆଯାଇଛି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ଡାଇରିଆ ମୁକାବିଲା କାର୍ଯ୍ୟର ତଦାରଖ କରୁଛନ୍ତି। ପ୍ରକୃତ କାରଣ ତଦନ୍ତାଧୀନ ଥିବାବେଳେ ସ୍ୱାସ୍ଥ୍ୟ ଅଧିକାରୀମାନେ ସେମାନଙ୍କ ପ୍ରାଥମିକ ରିପୋର୍ଟରେ ଦୂଷିତ ପାଣି, ନଷ୍ଟ କିମ୍ବା ଅତ୍ୟଧିକ ପାଚିଲା ଆମ୍ବ ଓ ଜନସମାବେଶ ସମୟରେ ଗ୍ରହଣ କରାଯାଇଥିବା ଖାଦ୍ୟ ଗ୍ରହଣକୁ ସନ୍ଦେହ କରିଛନ୍ତି। ସେଥିଲାଗି ପ୍ରଭାବିତ ଅଞ୍ଚଳଗୁଡ଼ିକରୁ ଜଳ ନମୁନା ସଂଗ୍ରହ କରାଯାଇଛି। ପ୍ରଦୂଷଣର ଉତ୍ସ ଚିହ୍ନଟ କରିବା ପାଇଁ ନିର୍ଦେଶ ଦିଆଯାଇଥିବା ସଚିବ ସୂଚନା ଦେଇଛନ୍ତି। ରୋଗର କାରଣ ଖୋଜିବାକୁ ଆସିଥିବା ଟିମ୍ କିଛି ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଥିଲେ ମଧ୍ୟ ତାହାର ରିପୋର୍ଟ ଆସିବାକୁ ଆହୁରି ୨୪ ଘଣ୍ଟା ଲାଗିବ। ସମସ୍ତ ସୁରକ୍ଷା ପ୍ରଦକ୍ଷେପ ପ୍ରକ୍ରିୟା ଏକ ସପ୍ତାହ ତଥା ରୋଗ ନିୟନ୍ତ୍ରଣ ପର୍ଯ୍ୟନ୍ତ ଜାରି ରହିବ ବୋଲି ସଚିବ କହିଛନ୍ତି।
ଭଣ୍ତାରିପୋଖରୀ: ଭଦ୍ରକ ଜିଲ୍ଲା ଭଣ୍ତାରିପୋଖରୀ ବ୍ଲକ୍ ଷୋଳମପୁର ପଞ୍ଚାୟତ ବିରୋଳି ଗ୍ରାମର ଦାଣ୍ତକୁଳ ଓ ତିଖିଲିଆ ସାହିରେ ଝାଡ଼ାବାନ୍ତିରେ ୧୩ ଜଣ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଯାଜପୁର ମେଡିକାଲରେ ୧୧ ଜଣ ଓ କଟକରେ ୨ ଜଣ ଚିକିତ୍ସାଧୀନ ଅଛନ୍ତି। ସୂଚନା ମୁତାବକ, ଦାଣ୍ତକୁଳର ନେହାରାଣୀ ରାଉତ(୧୨), ଶ୍ରୀକାନ୍ତ ରାଉତ(୩୯), ରବୀନ୍ଦ୍ର ରାଉତ(୫୬), ବଳରାମ ରାଉତ(୭୪), ଉର୍ମିଳା ରାଉତ(୬୧), ଶାନ୍ତିଲତା ରାଉତ(୫୪), ବୈଦ୍ୟନାଥ ରାଉତ(୫୦), ତିଖିଲିଆ ଗ୍ରାମର ମମତା ନାୟକ(୧୦), ସୁଶ୍ରୀ ସଙ୍ଗୀତା ମହାକୁଡ଼(୩୧), ଶୁଭଶ୍ରୀ ମହାକୁଡ଼(୫), ଶୁଭସ୍ମିତା ଭୋଇ(୩୦), ରୁପାଲି ଭୋଇ(୧୦) ଓ ଜଗବନ୍ଧୁ ବଳ(୭୫)ଙ୍କୁ ଯାଜପୁର ମେଡିକାଲକୁ ନିଆଯାଇଥିଲା। ମାତ୍ର ତିଖିଲିଆର ସଙ୍ଗୀତା ମହାକୁଡ଼(୩୧) ଓ ଉର୍ମିଳା ରାଉତ(୬୧)ଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ସ୍ଥାନାନ୍ତର କରାଯାଇଛି। ଗୁରୁବାର ଭଦ୍ରକରୁ ଚିକିତ୍ସକ ଦଳ ଦାଣ୍ତକୁଳ ଓ ତିଖିଲିଆରେ ପହଞ୍ଚି ଝାଡ଼ାବାନ୍ତିର କାରଣ ଖୋଜିବା ସହ ଅସୁସ୍ଥ ବ୍ୟକ୍ତିଙ୍କୁ ଚିକିତ୍ସା କରିଥିଲେ।
ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ସଙ୍ଗୀତା ବଳ, ସଂକ୍ରାମକ ରୋଗ ବିଶେଷଜ୍ଞ ପାର୍ଥସାରଥି ମିଶ୍ର, ଅଣୁଜୀବ ବିଜ୍ଞାନୀ ସତ୍ୟସୁନ୍ଦର ପତି, ଭଣ୍ତାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର କମଳାକାନ୍ତ ସ୍ବାଇଁ ଏଥିରେ ସାମିଲ ହୋଇଥିଲେ। ସେହିପରି ଡାକ୍ତର ଅରୁଣ ନାୟକ, ଡାକ୍ତର ତପନ କୁମାର ବେହୁରିଆ, ସିଏଚ୍ଓ ହାପି ମଲ୍ଲିକ, ମହିଳା ସ୍ବାସ୍ଥ୍ୟକର୍ମୀ ସନ୍ତୋଷୀରାଣୀ ମାଝୀ, ଆଶାକର୍ମୀ ଶର୍ମିଷ୍ଠା ନାୟକ, ଅଙ୍ଗନବାଡ଼ି କର୍ମୀ ରଶ୍ମିତା ଭୋଇ ଘରକୁ ଘର ବୁଲି ଲୋକଙ୍କୁ ଓଆରଏସ୍ ପିଇବାକୁ ପରାମର୍ଶ ଦେବା ସହ ହାଲୋଜିନ ବଟିକା ବ୍ୟବହାର, ନଳକୂଅ ବିଶୋଧନ, ଗ୍ରାମରାସ୍ତାରେ ବ୍ଲିଚିଂ ପାଉଡର ସିଞ୍ଚନ ଆଦି ବ୍ୟବସ୍ଥା ଗ୍ରହଣ କରିଛନ୍ତି। ଝାଡ଼ାବାନ୍ତିର କାରଣ ଏବେ ବି ଅସ୍ପଷ୍ଟ ରହିଛି।