ପତିତପାବନ ସାହୁ
ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ବେନ୍ତପୁର ଗାଁର କୃପାସିନ୍ଧୁ ରଥ। ବର୍ଷସାରା ଲାଗି ସୁନାର ଫସଲ ଫଳାଇଥିଲେ। ଅମଳ କରି ଖଳାରେ ଧାନ ରଖିଥିଲେ। ହେଲେ ହାତୀ ପଲ ଆସି ଧାନସବୁ ଖାଇଦେଲେ। ଗାଁର ଅନ୍ୟ ଚାଷୀଙ୍କ ଧାନ ବି ଛାଡ଼ିଲେନି। ବର୍ଷକର ପରିଶ୍ରମ ହାତୀ ମୁହଁରେ ଗଲା। ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଏହି ଅଞ୍ଚଳର ଚାଷୀ। କେବଳ ଏହି ଗୋଟିଏ ଗାଁର କଥା ନୁହେଁ, ଅନୁଗୁଳ ଜିଲ୍ଲାର ସମସ୍ତ ୮ଟି ଯାକ ବ୍ଲକ୍‌ର ଚାଷୀଙ୍କ ଭାଗ୍ୟ ଏବେ ହାତୀ ମୁହଁରେ। କେବଳ ଜଙ୍ଗଲ ପାଖାପାଖି ଗାଁକୁ ହାତୀ ଯାଉଛନ୍ତି ତା’ ନୁହେଁ, ଖାଦ୍ୟ ଅନ୍ବେଷଣରେ ସହର ଭିତରେ ବି ହାତୀ ପଶିଲେଣି। ଫସଲ ଖାଇବା ସହ ଘରଦ୍ବାର ନଷ୍ଟ କଲେଣି। ସ୍ଥିତି ଏମିତି ଯେ, ସଂଜ ହେଲେ ଲୋକେ ତାଟିକବାଟ କିଳି ଘରେ ଭିତରେ ରହୁଛନ୍ତି। ବାହାରକୁ ବାହାରିବାକୁ ଡରୁଛନ୍ତି। ଏଭଳି ସ୍ଥିତିରେ ଗାଁ ଗଣ୍ଡାରେ ଚାଷବାସ ପୂରାପୂରି ଚୁଲିକୁ ଯିବାକୁ ବସିଲାଣି।

Advertisment

ଜିଲ୍ଲାରେ ହାତୀ ଉପଦ୍ରବ ନୂଆ କଥା ହୋଇ ନଥିଲେ ହେଁ ଏବର୍ଷ ହାତୀ ପାଇଁ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି। ଫସଲ ଖାଇବା ଅଭ୍ୟାସରେ ପଡ଼ିଯାଇଥିବାରୁ ହାତୀପଲ ଗାଁ ଛାଡ଼ି ଆଉ ଜଙ୍ଗଲକୁ ଫେରୁନାହାନ୍ତି। ଏହା ଚାଷୀଙ୍କୁ ଅଧିକ ଅଡ଼ୁଆରେ ପକାଇଛି। ଧାନ ଅମଳ ସମୟରେ ହାତୀପଲ ଏ ଗାଁରୁ ସେ ଗାଁ ବୁଲି ଧାନ ଖାଉଛନ୍ତି। ପରେ ପନିପରିବା ଫସଲ ନଷ୍ଟ କରୁଛନ୍ତି। ଖରାଦିନେ ଆମ୍ବ, ପଣସ ପାଇଁ ଗାଁ ମୁଣ୍ଡ ଛାଡ଼ୁନାହାନ୍ତି। ଗାଁ ନିକଟରେ ଡେରା ପକାଇ ରହୁଛନ୍ତି। ସଂଜ ନଇଁଲେ ତାଳ ଓ ମହୁଲ ଖାଇବାକୁ ଘରେ ପଶୁଛନ୍ତି। ହାତୀ ଭୟରେ ଏଥର ବନ୍ତଳା ଅଞ୍ଚଳରେ ଧାନ ଚାଷ କମିଛି। ପ୍ରାୟ ୧୫ଟି ପଞ୍ଚାୟତରେ ପାହାଡ଼ ତଳ ଜମି ପଡ଼ିଆ ପଡ଼ିଛି। କେବଳ ରାସ୍ତା ପାଖାପାଖି ଜମିରେ ଚାଷ ହେଉଛି। ପୁଣି ଯେଉଁଠି ଚାଷ ହୋଇଛି, ହାତୀ ନଷ୍ଟ କରିଛନ୍ତି। ହମାମିରା ଗାଁର ରବି ସାହୁଙ୍କ କହିବାନୁଯାୟୀ, ହାତୀ ପାଇଁ ଏଥର ଅଧା ଜମିରେ ସେ ଚାଷ କରି ନଥିଲେ। ରାସ୍ତା ପାଖରେ ଥିବା ଜମିରେ ସେ ଧାନ ଚାଷ କରିଥିଲେ ମଧ୍ୟ ହାତୀ ସବୁ ଦଳିମାଡ଼ି ଦେଇଛି। ଆସନ୍ତାବର୍ଷରୁ ଆଉ ଚାଷ କରିବେ ନାହିଁ ବୋଲି ସେ କହିଛନ୍ତି। ଏପଟେ ବଅଁରପାଳ ବ୍ଲକ୍ ମହୀଧରପୁର ଗାଁର ସ୍ବୟଂପ୍ରଜ୍ଞା ସାହୁଙ୍କ ଜମିରେ ଏଥର ଭଲ ଧାନ ହୋଇଥିଲା। ଧାନ କାଟି ଖଳାରେ ରଖିଥିଲେ। ଧାନ ବିକି ଦୁଇ ପଇସା ମିଳିବ ବୋଲି ସେ ହିସାବ କରିବାବେଳକୁ ହାତୀ ଖଳାରେ ପଶି ୧୭ ଶହ ବିଡ଼ା ଧାନ ଖାଇ ଦେଇଛନ୍ତି। ଏବେ କେମିତି କରଜ ଶୁଝିବେ ସେହି ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଛନ୍ତି।

ହାତୀ ଉପଦ୍ରବ ପାଇଁ ଆସନ୍ତାବର୍ଷରୁ ଧାନ ଚାଷ ହେବ କି ନାହିଁ ସନ୍ଦେହ ଥିଲାବେଳେ ପନିପରିବା ଓ କଦଳୀ ଚାଷ ଏକପ୍ରକାର ବନ୍ଦ ହେବାକୁ ବସିଛି। ବନ୍ତଳା ନିକଟସ୍ଥ ପୋକତୁଙ୍ଗା ଗାଁରେ ପ୍ରଚୁର କଦଳୀ ଚାଷ ହେଉଥିଲା। ଦିନ ଥିଲା ଏଠାରୁ ଶହଶହ ଟ୍ରକ୍ କଦଳୀ ବାହାରକୁ ଚାଲାଣ ହେଉଥିଲା। ଏବେ ହାତୀ ଭୟରେ ଅଧାରୁ ଅଧିକ ଚାଷୀ କଦଳୀ ଚାଷରୁ ମୁହଁ ଫେରାଇ ନେଲେଣି। ଏମିତି ହାତୀ ଉପଦ୍ରବ ଲାଗି ରହିଲେ ଆଉ ବର୍ଷ କେଇଟାରେ କଦଳୀ ଚାଷ ଇତିହାସ ହେଇଯିବ। ଏପଟେ ବନ୍ତଳା ଓ ମହୀଧରପୁର ଅଞ୍ଚଳରେ ଚାଲିଥିବା ପନିପରିବା ଚାଷ ହାତୀ ପାଇଁ ଗୁରୁତର ପ୍ରଭାବିତ ହୋଇଛି। ହାତୀ ଏହି ପନିପରିବା ଚାଷକୁ ଦଳିଚକଟି ନଷ୍ଟ କରି ଦେଉଛନ୍ତି। ଆଉ ଉଦ୍‌ବେଗର ବିଷୟ ଯେ ଚାଷ ପାଇଁ ‌ଯାଉଥିବା ବେଳେ ୫ ଜଣ ଲୋକଙ୍କୁ ବର୍ଷକରେ ହାତୀ ଦଳି ମାରି ଦେଇଛି।
ଏଇ ଗୋଟିଏ ବର୍ଷରେ ଅନୁଗୁଳ ଜିଲ୍ଲାରେ ହାତୀ ପାଦ ତଳେ ଜଣେ କି ଦୁଇଜଣ ନୁହେଁ ୩୩ ଜଣଙ୍କ ଜୀବନ ଯାଇଛି। ଉଲ୍ଲେଖନୀୟ ଯେ ମୃତକଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଚାଷୀ। କିଏ ଆମ୍ବ ଜଗିବାକୁ ଯାଇ ହାତୀ ହାବୁଡ଼ରେ ପଡ଼ିଛନ୍ତି ତ କାହାକୁ ପରିବା ବାଡ଼ିରେ ହାତୀ ଦଳି ମାରି ଦେଇଛି। ଏଇ ମାସରେ ଅନୁଗୁଳ ଉପକଣ୍ଠ ଛେଳିଆପଡ଼ା ଗାଁରେ ଫସଲ ଜଗିଥିବା ଜଣେ ଲୋକଙ୍କୁ ହାତୀ ନୃଂଶସ ଭାବେ ଗୋଡ଼ରେ ଦଳିଚକଟି ଦେଇଥିଲା। ହାତୀ ଏମିତି ରକ୍ତମୁଖା ହେଉଥିବାରୁ ଆଗକୁ ଅନୁଗୁଳ ଚାଷଶୂନ୍ୟ ହେବାର ଆଶଙ୍କା ଉପୁଜିଲାଣି।