ଭଚୁବନେଶ୍ବର: ରାତି ସାଢ଼େ ୧୨ଟା ହେବ। ଗଣ୍ଡମୁଣ୍ଡା ଲେନ୍-୮ରେ ପଡ଼ି କୁକୁରଟି ଛଟପଟ ହେଉଥିଲା। ପ୍ରାଣୀଧନ ସହାୟତା(ଆନିମଲ୍ ହେଲ୍ପଲାଇନ୍) ୧୯୬୨କୁ ଯୋଗାଯୋଗ କରାଯିବାର ମାତ୍ର ୧୩ ମିନିଟ୍ରେ ପହଞ୍ଚିଥିଲା ଆମ୍ବୁଲାନ୍ସ। ବରିଷ୍ଠ ଡାକ୍ତରଙ୍କ ସହ ସହାୟକ ଓ ପାରାଭେଟ୍ ପହଞ୍ଚି ଚିକିତ୍ସା କରିଥିଲେ। ପ୍ରାୟ ୩୫ ମିନିଟ୍ର ଚିକିତ୍ସା ପରେ କୁକୁର ସୁସ୍ଥ ହୋଇଥିଲା। ସହରର ଗହଳି ରାସ୍ତାରେ ବୁଲି ପଙ୍ଗୁ ହୋଇଯାଉଥିବା ଓ ରୋଗରେ ପଡ଼ି ମୃତ୍ୟୁ ସହ ସଂଗ୍ରାମ କରୁଥିବା କୁକୁରମାନଙ୍କ ପାଇଁ ୧୯୬୨ ସେବା ଧନ୍ୟବାଦର ପାତ୍ର ବୋଲି କହିଛନ୍ତି ଦୁଃଖିଶ୍ୟାମ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ପ୍ରାଣୀ ଆମ୍ବୁଲାନ୍ସ ଆଗକୁ ଏଭଳି ସେବା ଯୋଗାଉ ବୋଲି ସେ ଆଶା କରିଛନ୍ତି।
ଏ ନେଇ ଭେଟେନାରି ଅଫିସର ଡା. ସୁଧୀର କୁମାର ସେନାପତି କହିଛନ୍ତି, ୧୯୬୨ ଆମ୍ବୁଲାନ୍ସ ସେବା ଭୁବନେଶ୍ବରରେ ୨୪ ଘଣ୍ଟିଆ ଚାଲୁଛି। ପାତ୍ରପଡ଼ା, କଳାରାହାଙ୍ଗ, ନୂଆପଲ୍ଲୀ ଓ ସହିଦନଗରରେ ରହିଥିବା ୪ଟି ୟୁନିଟ୍ରେ ୪ଟି ଗାଡ଼ି ଓ ୩୬ ଜଣ କର୍ମଚାରୀ ରହିଛନ୍ତି। ବୁଲା କୁକୁରଙ୍କ ସମେତ ବୁଲା ଗାଈଗୋରୁ ମଧ୍ୟ ଚିକିତ୍ସା କରାଯାଉଛି। ମାସକୁ ପାଖାପାଖି ୨ହଜାର ପ୍ରାଣୀଙ୍କର ଚିକିତ୍ସା କରାଯାଉଛି। ଗତ ମାସରେ ଗୋଟିଏ ଦିନରେ ସର୍ବାଧିକ ୧୦୭ଟି ପ୍ରାଣୀଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି। ଅଭିଯୋଗ ୧୯୬୨ରେ ପଞ୍ଜୀକରଣ ହେବେ ପରେ ଟିମ୍ ଘଟଣାସ୍ଥଳରେ ପହଞ୍ଚୁଛି। ରବିବାର ଗଣ୍ଡମୁଣ୍ଡାରୁ ଅଭିଯୋଗ ଆସିବା ପରେ ପାରାଭେଟ୍ ସ୍ବଦେଶ ରଞ୍ଜନ ସେଠୀ, ଆଟେଣ୍ଡାଣ୍ଟ ସନ୍ତୋଷ ତ୍ରିପାଠୀ, ଡ୍ରାଇଭର ପ୍ରଭାସ ମହାପାତ୍ର ପ୍ରମୁଖ ଆମେ ଯାଇ ଚିକିତ୍ସା ଯୋଗାଇଥିଲୁ।