ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଆରମ୍ଭ : ଚାଷୀଙ୍କ ପାଇଁ ଗର୍ଜିଲେ

ଧାନକିଣା ବ୍ୟବସ୍ଥିତ ନେଇ ପ୍ରମିଳାଙ୍କ କଥାରେ ତାତିଲା ବିଜେପି
ଗୃହ ମଧ୍ୟଭାଗରେ ସଦସ୍ୟଙ୍କ ନାରାବାଜି
ଭିସି ଯୋଗେ ଶୋକପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
କଂଗ୍ରେସ ସଦସ୍ୟଙ୍କ ଅନୁପସ୍ଥିତିରେ ଦିବଂଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର : ରାଜ୍ୟପାଳଙ୍କ ଅଭିଭାଷଣକୁ ନେଇ ବିରୋଧୀ ଖପା। ସୀମା ସମସ୍ୟା ସହିତ ଧାନ କିଣାରେ ବ୍ୟାପକ ଦୁର୍ନୀତ ନେଇ ସରକାରଙ୍କୁ ଘେରିଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଅଭିଭାଷଣ ପାଠ କରୁଥିବା ବେଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଏହି ପ୍ରସଙ୍ଗ ଉଠାଇଥିଲେ। ଏହାସହିତ ମାହାଙ୍ଗା ହତ୍ୟା ଘଟଣାରେ ଜଣେ ମନ୍ତ୍ରୀଙ୍କ ନାଁରେ ଅଭିଯୋଗ ଥିବା ନେଇ ସ୍ବର ଉଠାଇଥିଲେ। ରାଜ୍ୟପାଳଙ୍କ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ କରି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଧାନ କିଣା ବ୍ୟବସ୍ଥାରେ ସରକାରଙ୍କ ଗୁଣଗାନ କରିବାରୁ ବିଜେପି ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ। ନାରାବାଜି ଭିତରେ ଶ୍ରୀମତୀ ମଲ୍ଲିକଙ୍କୁ ଆଲୋଚନା ସାରିବାକୁ ପଡ଼ିଥିଲା।

ଆଜି ରାଜ୍ୟପାଳଙ୍କ ଅଭିଭାଷଣ ପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହ କାର୍ଯ୍ୟ ଆରମ୍ଭ କରିଥିଲେ। ଦିବଂଗତ ନେତା ଓ ସହିଦ ହୋଇଥିବା କରୋନା ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ ଭିଡିଓ କନଫରେନ୍‌ସିଂ ଜରିଆରେ ଶୋକ ପ୍ରସ୍ତାବ ଆଗତ କରିବା ସହ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଥିଲେ। ପୂର୍ବତନ ବିଧାୟକ ସ୍ବର୍ଗତ ସୁରେନ୍ଦ୍ର ନାଥ ମିଶ୍ର, ଆସାମ ରାଇଫଲର ପୂର୍ବତନ ଓ୍ବାରେଣ୍ଟ୍‌ ଅଫିସର ବିଭୂତି ଭୂଷଣ ନାୟକ, ୧୦୬-ଇଞ୍ଜିନିୟର ରେଜିମେଣ୍ଟ୍‌ର ପୂର୍ବତନ ଏସ୍‌ପିଆର୍‌ ଯଜ୍ଞ ନାରାୟଣ କର, ୧୪ ବିହାର ରେଜିମେଣ୍ଟ୍‌ର ପୂର୍ବତନ ସୁବେଦାର କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ ସମେତ କରୋନା ସଂଗ୍ରାମରେ ନିଜ ପ୍ରାଣବଳି ଦେଇଥିବା କରୋନା ଯୋଦ୍ଧାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାବ ଆଗତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରସ୍ତାବକୁ ବିରୋଧୀ ଦଳ ନେତା ଶ୍ରୀ ନାଏକ ସମର୍ଥନ କରିଥିଲେ। କିନ୍ତୁ କଂଗ୍ରେସ ସଦସ୍ୟମାନେ ଗୃହରେ ଉପସ୍ଥିତ ନଥିବାରୁ ବାଚସ୍ପତି ସମସ୍ତଙ୍କ ପାଇଁ ଶୋକ ପ୍ରସ୍ତାବ ପାଠ କରିଥିଲେ। ପରେ ସମସ୍ତ ଦିବଂଗତ ନେତା, ସହିଦ ଯବାନ ଓ କରୋନା ଯୋଦ୍ଧାଙ୍କ ପାଇଁ ୧ ମିନଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା।

ଗୃହ ବାହାରେ ବିରୋଧୀ ଦଳ ନେତା ଶ୍ରୀ ନାଏକ ସରକାରଙ୍କୁ ସମାଲୋଚନା କରି କହିଥିଲେ, ଧାନ କିଣାରେ ବ୍ୟାପକ ଦୁର୍ନୀତି ହେଉଛି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ। ମାହାଙ୍ଗା ହତ୍ୟା ଘଟଣାରେ ଅଭିଯୁକ୍ତ ମନ୍ତ୍ରୀ ଗୃହରେ ଉପସ୍ଥିତ ଅଛନ୍ତି। ଅଥଚ ତାଙ୍କ ବିରୋଧରେ ଏଯାଏ କିଛି ବି କାର୍ଯ୍ୟାନୁଷ୍ଠାନ ହେଉ ନାହିଁ। ହତ୍ୟାକାଣ୍ଡ ଭଳି ସଂଗୀନ ଅଭିଯୋଗ ଘଟଣାକୁ ବି ଘଣ୍ଟ ଘୋଡ଼ାଉଛନ୍ତି। ବେକାର ଯୁବକଯୁବତୀଙ୍କ ନିଯୁକ୍ତି ନାହିଁ। ଅଥଚ ରାଜ୍ୟପାଳଙ୍କ ଅଭିଭାଷଣରେ ଏହି ସତ କଥାକୁ ସରକାର କହିବାକୁ ସାହସ କରିନାହାନ୍ତି। ଅସତ୍ୟ କଥା କହି ନିଜର ବାହାବା ନେବାକୁ ଚାହିଁଛନ୍ତି।

କଂଗ୍ରେସ ବିଧାୟକ ଦଳ ନେତା ନରିସିଂହ ମିଶ୍ର କହିଥିଲେ ଯେ ଚାଷୀ ସମସ୍ୟା ଉତ୍କଟ ରୂପ ଧାରଣ କଲାଣି। ଏ ବର୍ଷ ଭଲ ଅମଳ କରିଥିବା ରାଜ୍ୟ ଚାଷୀ ଏବେ ତାର ଧାନ ବିକ୍ରି କରିପାରୁ ନାହିଁ। ସରକାର ଚାଷୀଙ୍କଠାରୁ ଧାନ କିଣିବାକୁ ବାଧ୍ୟ ହୋଇଥିଲେ ବି ହଜାର ହଜାର କ୍ବିଣ୍ଟାଲ ଧାନ ମଣ୍ଡିରେ ପଡ଼ିରହିଛି। ଟୋକନ୍‌ ପାଇଥିବା ଚାଷୀଙ୍କ ଠାରୁ ଧାନ ମଧ୍ୟ କିଣାଯାଉ ନାହିଁ, ଯେଉଁଥି ପାଇଁ ଚାଷୀମାନେ ଏବେ ହତାଶରେ ଅଛନ୍ତି। ବିଶେଷକରି ପଶ୍ଚିମ ଓଡ଼ିଶାରେ ଚାଷୀମାନେ ଧାନ ବିକ୍ରି କରି ନପାରି ହନ୍ତସନ୍ତ ହେଉଛନ୍ତି। ଚାଷୀମାନଙ୍କ ସମସ୍ୟା ନେଇ ସାରା ଭାରତରେ ଆନ୍ଦୋଳନ ଚାଲିଛି। ପଞ୍ଜାବରେ ଅନୁଷ୍ଠିତ ପୌର ନିର୍ବାଚନରେ ବିଜେପି ମୂଳପୋଚ୍ଛ ହୋଇଯାଇଛି। କଂଗ୍ରେସ ମୁକ୍ତ ଭାରତ ଗଠନ ପାଇଁ ବିଜେପି ଦାବି କରିଥିଲା। ଏବେ ପଞ୍ଜାବ ରାଜ୍ୟ ଦେଖେଇଦେଲା ବିଜେପି ମୁକ୍ତ ପଞ୍ଜାବ। ଯେଉଁଠି ଚାଷୀ ଅସନ୍ତୁଷ୍ଟ ରହିଛି, ସେଠାରେ ଭୟଙ୍କର ପରିଣତି ହୋଇଛି। କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଚାଷୀମାନେ ଦୀର୍ଘ ଦିନ ହେଲାଣି ବିରୋଧ କରିଆସୁଥିଲେ ବି କେନ୍ଦ୍ର ସରକାର ଶୁଣୁ ନାହାନ୍ତି। ଓଡ଼ିଶାରେ ସମାନ ସ୍ଥିତି। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ବିରୋଧରେ ସାରା ଓଡ଼ିଶାରେ କଂଗ୍ରେସ ବନ୍ଦ ଡାକରା ଦେଲା। ଜନସାଧାରଣ ସ୍ବତଃସ୍ଫୂର୍ତ୍ତ ସମର୍ଥନ ଦେଲେ। କିନ୍ତୁ ଓଡ଼ିଶା ସରକାର ଏ ସମ୍ପର୍କରେ ପଦୁଟିଏ ବି ମୁହଁ ଖୋଲିଲେ ନାହିଁ। ଏହି ପ୍ରସଙ୍ଗ ବି ରାଜ୍ୟପାଳଙ୍କ ଅଭିଭାଷଣରେ ସ୍ଥାନ ପାଇବାର ଥିଲା। ଭୁବନେଶ୍ବରରେ ଜନସାଧାରଣଙ୍କ ଭାବାବେଗକୁ ହତାଦର କରି କେନ୍ଦ୍ର ସରକାର ବିଭିନ୍ନ ମନ୍ଦିର ପାଇଁ ଆଇନ ତିଆରି କରୁଛନ୍ତି। କିନ୍ତୁ ରାଜ୍ୟ ସରକାର କେବଳ ଚିଠି ଲେଖି ଚୁପ୍‌ ରହିଯାଇଛନ୍ତି। କାହିଁକି ଏ କଥା ରାଜ୍ୟପାଳଙ୍କ ଅଭିଭାଷଣରେ ଦେଖିବାକୁ ମିଳି ନାହିଁ। ମୁଖ୍ୟମନ୍ତ୍ରୀ ବହୁବାର ଅସତ୍ୟ ପ୍ରତିଶ୍ରୁତି ଦେଇଚାଲିଛନ୍ତି। ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଲୋଚନା ବେଳେ ଦଳ ଗୃହରେ ଏସବୁର ଜବାବ ମାଗିବ ବୋଲି ଶ୍ରୀ ମିଶ୍ର କହିଥିଲେ।

ଦିବଂଗତ ନେତାଙ୍କୁ ଶ୍ରଦ୍ଧା଼ଞ୍ଜଳି ଅର୍ପଣ ପରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ। ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଆରମ୍ଭ କରି ଶ୍ରୀମତୀ ମଲ୍ଲିକ କହିଥିଲେ, ମହାମାରୀ କରୋନାକୁ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ଯେପରି କମ୍‌ ସମୟରେ ସଫଳତା ପାଇଲେ ତାହା ଆଜି ଦେଶରେ ଚର୍ଚ୍ଚାର ବିଷୟ ହୋଇଛି। ଗତବର୍ଷ କରୋନା ମହାମାରୀ ପ୍ରତିହତ ପାଇଁ ଭାରତ ସରକାର ଲକ୍‌ଡାଉନ୍‌ ଘୋଷଣା କରିବାର ୩ ଦିନ ପୂର୍ବରୁ ଜନ ସାଧାରଣଙ୍କ ଜୀବନର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଲକ୍‌ଡାଉନ୍‌ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଗାଁ ଗହଳିରେ ଯେଉଁମାନେ ସଂକ୍ରମିତ ହେଲେ ସେମାନଙ୍କୁ ସ୍ବାସ୍ଥ୍ୟସେବା କିପରି ପହଞ୍ଚିବ ସେଥିପାଇଁ ସରପଞ୍ଚମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ଦେବାକୁ ବି ସରକାର ପଛାଇନଥିଲେ। ବୃଦ୍ଧବୃଦ୍ଧା, କିନ୍ନର, ବିଧବା ଭତ୍ତା ୪ ମାସର ଆଗୁଆ ପ୍ରଦାନ କରାଯାଇଥିଲା। କେନ୍ଦ୍ର ସରକାରଙ୍କୁ ବିରୋଧ କରି ଦେଶରେ ଚାଷୀ ଆନ୍ଦୋଳନ ଚାଲିଛି। ଏପରିକି ଚାଷୀମାନେ କିପରି ସରକାରଙ୍କ ବିରୋଧରେ ଆନ୍ଦୋଳନ କରି ନପାରିବେ ସେଥିପାଇଁ କେନ୍ଦ୍ର ସରକାର କଣ୍ଟା ବିଛାଇବାକୁ ପଛାଇନାହାନ୍ତି। କିନ୍ତୁ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କ ପାଇଁ କାଳିଆ ଠାରୁ ଆରମ୍ଭ କରି ବଳରାମ ପରି ଯୋଜନା କରି ଚାଷୀଙ୍କ ଆର୍ଥିକ ସ୍ତରରେ ମଜବୁତ କରିବା ପାଇଁ ଯୋଜନା କରିଛନ୍ତି। ସରକାରଙ୍କ ସ୍ପଷ୍ଟ ଧାନ ସଂଗ୍ରହ ନୀତି ଯୋଗୁ ଆଜି ମଣ୍ଡିରେ ସୁରୁଖୁରୁରେ ଧାନ କିଣା ଚାଲିଛି। ଶ୍ରୀମତୀ ମଲ୍ଲିକ ଏହି କଥା କହିବା ମାତ୍ରେ ବିଜେପି ସଦସ୍ୟ ମୋହନ ମାଝୀ ଏହାକୁ ବିରୋଧ କରି ଗୃହରେ ପାଟି କରିଥିଲେ। ତେବେ ବାଚସ୍ପତି ଶ୍ରୀ ପାତ୍ର ଶ୍ରୀ ମାଝୀଙ୍କୁ ବସିବାକୁ କହିଥିଲେ ବି ସେ ଚୁପ ରହିନଥିଲେ। ପରେ ସମସ୍ତ ବିଜେପି ସଦସ୍ୟ ଗୃହ ମଧ୍ୟଭାଗକୁ ଆସି ହୋହଲ୍ଲା କରିବା ସହ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ବାଚସ୍ପତି ବାରମ୍ବାର କହିବା ପରେ ବି ବିଜେପି ସଦସ୍ୟମାନ ନିଜ ଆସନକୁ ଫେରିନଥିଲେ। ନାରାବାଜି ଭିତରେ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ଚାଲିଥିଲା। ପରେ ବାଚସ୍ପତି ଶ୍ରୀ ପାତ୍ର ଆସନ୍ତାକାଲି ପୂର୍ବାହ୍ନ ୧୦ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଛନ୍ତି।

ସମ୍ବନ୍ଧିତ ଖବର