ଭୁବନେଶ୍ବର : ଝାରସୁଗୁଡା ଉପ-ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଏ ନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ସେ କହିଛନ୍ତି ଯେ ଏହା କେବଳ ଗୋଟିଏ ଉପ-ନିର୍ବାଚନ। ଆଗକୁ ସାଧାରଣ ନିର୍ବାଚନ ରହିଛି। ତଥାପି ଝାରସୁଗୁଡ଼ା ଜନସାଧାରଣ କଂଗ୍ରେସ ଉପରେ ଯେତିକି ଆଶୀର୍ବାଦ ଦେଇଛନ୍ତି ସେଥିପାଇଁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି। ଆମର ଯେଉଁ ଭୁଲ ରହିଯାଇଛି ତାକୁ ସୁଧାରି ଆଗକୁ ବଢ଼ିବୁ।

Advertisment

ବିଜେଡି ଦଳର ନେତା ନ ଥିବାରୁ କଂଗ୍ରେସ ଦଳର ନେତା ନବ ଦାସଙ୍କୁ କଂଗ୍ରେସରୁ ନେଇ ନେତା କରିଥିଲେ। ତାଙ୍କ ସାଙ୍ଗରେ ଅନ୍ୟ କଂଗ୍ରେସ ନେତା ମଧ୍ୟ ବିଜେଡି ଦଳରେ ସାମିଲ ହୋଇଥିଲେ। ଝାରସୁଗୁଡ଼ାରେ କଂଗ୍ରେସର ଅବସ୍ଥା ବହୁତ ଖରାପ ଥିଲା। କଂଗ୍ରେସ ସଂଗଠନକୁ ମଜଭୁତ କରିବାକୁ ଆମେ ଆରମ୍ଭରୁ ଚେଷ୍ଠା କରିଛୁ। ସଭାପତି ଦାୟିତ୍ବ ନେବାର ୧ ବର୍ଷ ମଧ୍ୟ ହୋଇନି। ଆସ୍ତେ ଆସ୍ତେ ଦଳର ସଂଗଠନକୁ ମଜବୁତ କରୁଛୁ।

କର୍ଣ୍ଣାଟକରେ କଂଗ୍ରେସର ବିଜୟ ସଂପର୍କରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ଗଣତନ୍ତ୍ରର ସୁରକ୍ଷା ଓ ସୁଦୃଢ଼ କରିବା ପାଇଁ କର୍ଣ୍ଣାଟକର ଜନସାଧାରଣ କଂଗ୍ରେସ ଦଳକୁ ବାଜିମାତ କରାଇଛନ୍ତି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ତରଫରୁ ଧନ୍ୟବାଦ ଜ୍ଞାପନ କରୁଛୁ। କର୍ଣ୍ଣାଟକ ଜନସାଧାରଣ ବିଜେପିକୁ ଶକ୍ତ ଝଟ୍‌କା ଦେଇ ଗଣତନ୍ତ୍ରକୁ ସୁଦୃଢ଼ କରିଛନ୍ତି। ଏଆଇସିସି ସଭାପତି, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ଅକ୍ଲାନ୍ତ ପରିଶ୍ରମ ଫଳରେ କଂଗ୍ରେସକୁ ଏଭଳି ବିଜୟ ମିଳିଛି।