ପୁରୀ: ଆଖି ସିନା ଦେଇଛନ୍ତି, ଦେଖିବାର ଶକ୍ତି ଭରିନାହାନ୍ତି। ତଥାପି ସେମାନେ ଧାଇଁ ଆସିଥିଲେ ଟିକେ ସାନ୍ନିଧ୍ୟ ପାଇଁ। ବାହା ପ୍ରସାରୀ ଡାକ ଛାଡ଼ୁଥିଲେ ହେ ଜଗନ୍ନାଥ, ଜୟ ଜଗନ୍ନାଥ। ଚକା ଆଖିର ଦର୍ଶନ ସେମାନଙ୍କ ଭାଗ୍ୟରେ ଜୁଟିନଥିଲା, କିନ୍ତୁ ତୁଣ୍ଡରୁ ଉତୁରି ଆସୁଥିବା କେଇପଦ କଥା ଆଖି ଛଳଛଳ କରିଦେଉଥିଲା। ସେମାନେ କହୁଥିଲେ, ଆମେ ସିନା ଜଗାକୁ ଦେଖିପାରୁନୁ, ଜଗା ପରା ଆମକୁ ଦେଖୁଛି। ନଦେଖି ପାରିଲେ ବି ଭାବରେ ଚାଲିଥିଲା ଭାବ ଦିଆନିଆ। ପ୍ରତିଟି ଦୃଷ୍ଟିହୀନ ଭକ୍ତ ପାଲଟି ଯାଇଥିଲେ ଜଣେ ଜଣେ ସୁର ଦାସ।
ରେଭେନ୍ସା ବିଶ୍ବବିଦ୍ୟାଳୟରୁ ଆସିଥିବା କିଛି ଦୃଷ୍ଟିହୀନ ଛାତ୍ର ଆଜି ମହାପ୍ରଭୁଙ୍କ ରଥଯାତ୍ରାର ଅନୁଭବ ନେବା ପାଇଁ ଉତ୍ସୁକତାର ସହ ଚାଲି ଆସିଥିଲେ ଶ୍ରୀକ୍ଷେତ୍ର। ବଡ଼ଦାଣ୍ଡରେ ଭକ୍ତଙ୍କ ଗହଳିକୁ ଅତିକ୍ରମ କରି ଭକ୍ତଙ୍କ ହରିବୋଲ, ଜୟ ଜଗନ୍ନାଥ ଧ୍ବନୀ ସହ ତାଳ ଦେଇ ଦିବ୍ୟ ଅନୁଭବ ନେଇଛନ୍ତି। ଦୃଷ୍ଟିହୀନ ଛାତ୍ର ଆଦର୍ଶ ପ୍ରଧାନଙ୍କ ଅଭିବ୍ୟକ୍ତି ହେଉଛି, ମହାପ୍ରଭୁ ସବୁ ଲୀଳାର ସର୍ଜନକର୍ତ୍ତା। ଆମକୁ ବି ସେ ଗଢ଼ିଛନ୍ତି। ଦୃଷ୍ଟିଶକ୍ତି ସିନା ଦେଇନାହାନ୍ତି, ହେଲେ ମହାପ୍ରଭୁଙ୍କୁ ଅନୁଭବ କରିବାର ଯଥେଷ୍ଟ ଶକ୍ତି ସେ ଆମ ଭିତରେ ଭରିଛନ୍ତି। ଭକ୍ତଙ୍କ ମେଳରେ ଏ ଦିବ୍ୟ ଅନୁଭବ ବାସ୍ତବରେ ଆମେ ବୋଧେ ବେଶି ଅନୁଭବ କରିପାରୁଛୁ ବୋଲି ସେ କହିଛନ୍ତି।

Advertisment

ଆଉ ଜଣେ ଦୃଷ୍ଟିହୀନ ଛାତ୍ର କହିଛନ୍ତି, ଭକ୍ତ ସୁର ଦାସ ବି ଦିନେ ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିବାକୁ ଯାଇଥିଲେ। ତାଙ୍କୁ ପୂଜକ ପଚାରିଥିଲେ ତୁମର ତ ଦୃଷ୍ଟି ଶକ୍ତି ନାହିଁ। ତୁମେ କ’ଣ ଦର୍ଶନ କରିବାକୁ ଆସିଛ। ଭକ୍ତ ସୁର ଦାସଙ୍କର ଉତ୍ତର ଥିଲା, ମୋର ସିନା ଦେଖିବାର ଶକ୍ତି ନାହିଁ, ହେଲେ ଭଗବାନଙ୍କର ତ ଅଛି। ତେଣୁ ସେଇ ବିଚାରକୁ ଗଣ୍ଠିଲି କରି ଆମେ ବି ଆସିଥିଲୁ ମହାପ୍ରଭୁଙ୍କୁ ଟିକେ ଅନୁଭବ କରିବା ପାଇଁ। ମହାପ୍ରଭୁଙ୍କୁ ଦେଖିପାରୁନାହୁ ବୋଲି ଦୁଃଖ କରିବୁ କାହିଁକି ? ସେ ତ ଆମକୁ ଦେଖିଲେ। ଏହା ଆମ ପାଇଁ କୌଣସି ବଡ଼ ଅନୁଭବଠୁ କମ୍‌ କି?
ଦୃଷ୍ଟିହୀନ ଭକ୍ତ ଘନଶ୍ୟାମ ନିହାଲ କହିଛନ୍ତି, ଏଠି ପହଞ୍ଚିବା ପରେ ଭକ୍ତମାନେ ଯେଭଳି ବାଟ କଢ଼େଇ ନେଉଛନ୍ତି, ଲାଗୁଛି ମହାପ୍ରଭୁଙ୍କ ନିର୍ଦ୍ଦେଶରେ ଏ ସବୁ ହେଉଛି। ମହାପ୍ରଭୁଙ୍କୁ ନ ଦେଖିଲେ କ’ଣ ହେଲା, କିନ୍ତୁ ବେଶ୍ ଭଲ ଅନୁଭୂତି ନେଇଛୁ।

ଅନ୍ୟ ଜଣେ ଦୃଷ୍ଟିହୀନ ଛାତ୍ର ଧୀରେନ କହିଛନ୍ତି, ମହାପ୍ରଭୁଙ୍କ ଆଶୀର୍ବାଦ ଥିଲେ ଏଠାକୁ ଆସିବାର ସୁଯୋଗ ମିଳେ। ଆଶୀର୍ବାଦ ଅଛି ବୋଲି ତ ଆସିଛୁ। ଦୃଷ୍ଟିହୀନ ସଞ୍ଜୀବ ପ୍ରଧାନ କହିଛନ୍ତି, ଏ ସୁଯୋଗ ପାଇ ବହୁତ ଖୁସି। ଅନୁଭବ ଏକଦମ୍‌ ନିଆରା। ଜଗାକୁ ଦେଖିପାରିନାହୁଁ, କିନ୍ତୁ ଯାହା ମାଗିଛୁ ପାଇଛୁ। ସତରେ ଦୃଷ୍ଟି ଶକ୍ତି ଭକ୍ତି ଓ ଦର୍ଶନରେ ବାଧକ ନୁହେଁ ତାହା ସେମାନଙ୍କ ଭାବୋଚ୍ଛ୍ବାସ କଥାରୁ ସ୍ପଷ୍ଟ ବାରି ହୋଇପଡ଼ୁଥିଲା। ମହାପ୍ରଭୁଙ୍କୁ ମନର ଚକ୍ଷୁରେ ଦର୍ଶନ କରିବାକୁ ଧାଇଁ ଆସିଥିବା ଦୃଷ୍ଟିହୀନ ଛାତ୍ରମାନଙ୍କ ଭକ୍ତି ଆବେଗର ଏହି କେଇପଦ କଥା ଶୁଣି ମନେ ପଡ଼ି ଯାଉଥିଲା ସେଇ ଲୋକପ୍ରିୟ ଭଜନ, ଅନ୍ଧ କରି ମୋତେ କରିଛୁରେ ଧନ୍ୟ...।