ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ନାମିତ ହେଲା ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ

ଦାବି ପୂରଣ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ: ବିଜେପି

ଭୁବନେଶ୍ବର: ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ନାମ ବଦଳିଲା। ଆଜି ଠାରୁ ଏହାର ନାମ ହୋଇଛି ‘ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ବବିଦ୍ୟାଳୟ’। ମୟୂରଭଞ୍ଜର ପୂର୍ବତନ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୦ତମ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ସଙ୍ଗେ ସଙ୍ଗେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ରଂଜନ ମଙ୍ଗରାଜ ଏହି ବଡ଼ ଘୋଷଣା ସଂପର୍କରେ ଗଣମାଧ୍ୟମକୁ ଜଣାଇଥିଲେ।

ବିଶ୍ବବିଦ୍ୟାଳୟର ନୂଆ ନାମକରଣ ସହ ଏଠାରେ ଥିବା ପାଠାଗାର ଉନ୍ନତୀକରଣ ପାଇଁ ସରକାର ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଏଥି ପାଇଁ ମଧ୍ୟ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ କରାଯାଇଛି। ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ପାଠାଗାରର ବିକାଶ ପାଇଁ ପଦକ୍ଷେପ ନିଆଯିବ। ପାଠାଗାରର ନବୀକରଣ ପାଇଁ ମୟୂରଭଞ୍ଜ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ସଂସ୍କୃତି ନିର୍ଦ୍ଦେଶକ ରଂଜନ ଦାସ। ନବୀକରଣ କାର୍ଯ୍ୟ ନିମନ୍ତେ ଆବଶ୍ୟକ ବ୍ୟୟ ଅଟକଳ କରି ପଠାଇବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ଭଞ୍ଜ ମାଟିର ସୁବର୍ଣ୍ଣ ଯୁଗର ପ୍ରବର୍ତ୍ତକ ତଥ‌ା ଆଧୁନିକ ଓଡ଼ିଶାର ଅନ୍ୟତମ ବିନ୍ଧାଣୀ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓଙ୍କ ୧୫୦ତମ ଜୟନ୍ତୀ ପାଳନ ପାଇଁ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଉ ନ ଥିବା ସମ୍ପର୍କରେ ଗତ ୧୬ ତାରିଖରେ ‘ସମ୍ବାଦ’ରେ ଖବର ପ୍ରକାଶିତ ହୋଇଥିଲା। ବୁଦ୍ଧିଜୀବୀ ଓ ସଚେତନ ନାଗରିକମାନେ ଏ ସମ୍ପର୍କରେ ଉଦ୍‌ବେଗ ପ୍ରକାଶ କରିଥିଲେ। ଏହା ପରେ ଉଭୟ ସରକାରୀ ଓ ରାଜନୈତିକ ସ୍ତରରେ ତତ୍ପରତା ପ୍ରକାଶ ପାଇଥିଲା। ମୟୂରଭଞ୍ଜ ଜିଲ୍ଲା ବିଜେଡି ପକ୍ଷରୁ ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓଙ୍କ ନାମରେ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ନାମକରଣ ନେଇ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ଜିଲ୍ଲା ବିଜେପି ପକ୍ଷରୁ ମଧ୍ୟ ସମାନ ଦାବି କରାଯାଇଥିଲା।

ବିଶ୍ବବିଦ୍ୟାଳୟ ପାଇଁ ଆନନ୍ଦର ବିଷୟ

ସମଗ୍ର ରାଜ୍ୟରେ ଶିକ୍ଷା, କଳା ସଂସ୍କୃତିର ପ୍ରଚାର ପ୍ରସାର ନିମନ୍ତେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଅବଦାନ ସର୍ବଜନବିଦିତ। ଚଳିତ ବର୍ଷ ହେଉଛି ସେହି ଯୋଗଜନ୍ମା ପୁରୁଷଙ୍କ ୧୫୦ତମ ଜୟନ୍ତୀ ବର୍ଷ। ଏହି ଅବସରରେ ରାଜ୍ୟ ସରକାର ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟକୁ ‘ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ’ ଭାବେ ନାମିତ କରିଛନ୍ତି। ଏହା ବିଶ୍ବବିଦ୍ୟାଳୟ ପାଇଁ ଏକ ଆନନ୍ଦର ମୁହୂର୍ତ୍ତ। ଏହି ଅବସରରେ ମହାରାଜାଙ୍କ ସ୍ମୃତି ଉଦ୍ଦେଶ୍ୟରେ ବିଶ୍ବବିଦ୍ୟାଳୟ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବାର ଯୋଜନା ରହିଛି। ସେହିପରି ନୂତନ ଭାବେ ନାମିତ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ହୋଇଥିବାରୁ ଏହା ଆହୁରି ସ୍ମରଣୀୟ ହୋଇ ରହିବ। ପୂର୍ବରୁ ବିଶ୍ବବିଦ୍ୟାଳୟ ପରିସରକୁ ଶ୍ରୀରାମ ବିହାର କୁହାଯାଉଥିଲା।
-ପ୍ରଫେସର କିଶୋର କୁମାର ବସା, କୁଳପତି, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ

ମୟୂରଭଞ୍ଜ ପାଇଁ ଏକ ସ୍ମରଣୀୟ ଦିନ

ବାରିପଦାରେ ଅବସ୍ଥିତ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟକୁ ଆଜି ‘ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ’ ଭାବେ ନାମକରଣ କରାଯାଇଛି। ଏହା ଜିଲ୍ଲା ଇତିହାସରେ ଏକ ସ୍ମରଣୀୟ ଦିନ ହୋଇ ରହିବ। ସାମଗ୍ରୀ କ୍ଷେତ୍ରରେ ମହାରାଜାଙ୍କ ଅବଦାନ କେବଳ ଜିଲ୍ଲାପାଇଁ ନୁହେଁ ସମଗ୍ର ରାଜ୍ୟ ପାଇଁ ଅବିସ୍ମରଣୀୟ। ତେଣୁ ତାଙ୍କର ୧୫୦ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ରାଜ୍ୟ ସରକାର ଏପରି ନିଷ୍ପତି ନେଇଥିବାରୁ ନିଶ୍ଚି ଧନ୍ୟର୍ବାଦାହ।
-ଡ. ମୋହିତ କୁମାର ଷଡ଼ଙ୍ଗୀ, ପୂର୍ବତନ ଅର୍ଥନୀତି ପ୍ରାଧ୍ୟାପକ ତଥା ଗବେଷକ

ରାଜ୍ୟ ସରକାରଙ୍କ ନିଷ୍ପତି ସ୍ବାଗତଯୋଗ୍ୟ

ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟକୁ ମହାରାଜାଙ୍କ ନାମରେ ନାମିତ କରିବା ଏବଂ ଶ୍ରୀରାମଚନ୍ଦ୍ର ପାଠାଗାର(ଜୁବୁଲୀ ଲାଇବ୍ରେରୀ)ର ସାମଗ୍ରୀକ ବିକାଶ ନିମନ୍ତେ ରାଜ୍ୟ ସରକାର ନେଇଥିବା ନିଷ୍ପତି ବାସ୍ତବିକ ସ୍ବାଗତଯୋଗ୍ୟ। ମୟୂରଭଞ୍ଜ ସମେତ ପୁରା ଓଡ଼ିଶା ନିମନ୍ତେ ମହାରାଜା ଶ୍ରୀରାମଚନ୍ଦ୍ରଙ୍କ ଅବଦାନ ଅବର୍ଣ୍ଣନନୀୟ। ତାଙ୍କର ୧୫୦ତମ ଜୟନ୍ତୀ ବର୍ଷକୁ ରାଜ୍ୟ ସରକାର ସ୍ମରଣୀୟ କରିଥିବାରୁ ଏହା ଅତ୍ୟନ୍ତ ଆନନ୍ଦ ଦେଉଛି। ତେବେ ଜୁବୁଲୀ ଲାଇବ୍ରେରୀର ନବୀକରଣ ସମୟରେ ଏଠାରେ ଥିବା ଅତ୍ୟନ୍ତ ଦୁଲର୍ଭ ପୁସ୍ତକଗୁଡ଼ିକୁ ଯେପରି ପୁଣିଥରେ ଗ୍ରନ୍ଥାଗାରକୁ ଫେରାଇଆଣିହେବ ସେନେଇ ପ୍ରଶାସନ ଦୃଷ୍ଟି ଦେବା ଉଚିତ୍।
-ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ପୂର୍ବତନ ମନ୍ତ୍ରୀ ତଥା ମହାରାଜା ଶ୍ରୀରାମଚନ୍ଦ୍ରଙ୍କ ଦାୟଦ

ରାଜ୍ୟସ୍ତରର ପ୍ରମୁଖ ଶିକ୍ଷାନୁଷ୍ଠାନକୁ ମହାରାଜାଙ୍କ ନାମରେ ନାମିତ କରାଯାଉ

ମହାରାଜା ଶ୍ରୀରାମଚନ୍ଦ୍ରଙ୍କ ଅବାଦନ ପୁରା ରାଜ୍ୟ ନିମନ୍ତେ ଥିଲା। ତେଣୁ ଦିବଂଗତ ମହାରାଜାଙ୍କ ନାମରେ ରାଜ୍ୟସ୍ତରର ଏକ ପ୍ରମୁଖ ଶିକ୍ଷାନୁଷ୍ଠାନକୁ ନାମିତ କରାଯାଉ। କେବଳ ମୟୂରଭଞ୍ଜରେ ମହାରାଜାଙ୍କ ଗାରିମାକୁ ସିମୀତ ନରଖି ପୁରା ରାଜ୍ୟରେ ପ୍ରସାର କରିବା ନିମନ୍ତେ ରାଜ୍ୟ ସରକାର ଯତ୍ନବାନ ହୁଅନ୍ତୁ। ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟକୁ ମହାରାଜାଙ୍କ ନାମରେ ନାମିତ କରିବା ସ୍ବାଗତଯୋଗ୍ୟ । ତେବେ ରାଜ୍ୟ ସରକାର ରାଜଧାନୀ ଭୁବନେଶ୍ବରରେ ମଧ୍ୟ ରାଜର୍ଷି ଶ୍ରୀରାମଚନ୍ଦ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ବିହିତ ପଦକ୍ଷେପ ନେବା ଉଚିତ।
-କଳିଙ୍ଗ କେଶରୀ ଜେନା, ଭଞ୍ଜସେନା ପ୍ରତିଷ୍ଠାତା

 

ସମ୍ବନ୍ଧିତ ଖବର