ଭୁବନେଶ୍ୱର : ଝାରସୁଗୁଡ଼ା ଉପନିର୍ବାଚନର ବିଜେପିର ପରାଜୟକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ବୀକାର କରିବା ସହ ବିଜେପିର ଭୋଟ୍ ହାର ବୃଦ୍ଧି ପାଇଁ ଝାରସୁଗୁଡ଼ାବାସୀ ଓ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଟ୍ୱିଟ୍ ମାଧ୍ୟମରେ ଧନ୍ୟବାଦ ଜଣାଇଛନ୍ତି।
ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଝାରସୁଗୁଡ଼ା ଉପନିର୍ବାଚନର ଫଳାଫଳକୁ ଆମେ ସ୍ୱୀକାର କରୁଛୁ। ପୂର୍ବ ନିର୍ବାଚନ ଅପେକ୍ଷା ଚଳିତ ଉପନିର୍ବାଚନରେ ଆମ ଦଳର ଭୋଟ୍ ହାର ବୃଦ୍ଧି ପାଇଥିବାରୁ ଝାରସୁଗୁଡ଼ାବାସୀଙ୍କୁ ଧନ୍ୟବାଦ। ଏହି ନିର୍ବାଚନରେ ଆମ ଦଳର କାର୍ଯ୍ୟକର୍ତ୍ତାମାନେ ଅକ୍ଳାନ୍ତ ପରିଶ୍ରମ କରି ଭୋଟ ହାର ବଢ଼ାଇ ଥିବାରୁ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ।
ଆମ ଦଳର ଯୁବ ନେତା ଟଙ୍କଧର ତ୍ରିପାଠୀଙ୍କ ଉପରେ ଭରସା ରଖି ଝାରସୁଗୁଡ଼ାବାସୀ ଯେଉଁ ଆଶୀର୍ବାଦ ପ୍ରଦାନ କରିଛନ୍ତି, ଆଗାମୀ ଦିନରେ ସେ ଜନସାଧାରଣଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବେ ବୋଲି ମୋର ଦୃଢ଼ ବିଶ୍ୱାସ। ଦଳର ସଂଗଠନକୁ ଅଧିକ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନକଲ୍ୟାଣକାରୀ ଯୋଜନା ସମେତ ଲୋକସମ୍ପର୍କ ମାଧ୍ୟମରେ ଜନସାଧାରଣଙ୍କ ବିଶ୍ୱାସ ହାସଲ କରିବା ପାଇଁ ଚେଷ୍ଟା କରିବୁ। ବିଜୟୀ ହୋଇଥିବା ଦୀପାଳି ଦାସଙ୍କୁ ଶ୍ରୀ ପ୍ରଧାନ ଅଭିନନ୍ଦନ ଜଣାଇଛନ୍ତି।
ସେହିପରି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ ଶାସକ ଦଳ ସପକ୍ଷରେ ଜନାଦେଶ ଯିବା ସତ୍ୱେ ନିର୍ବାଚନ ଫଳାଫଳରୁ ରାଜ୍ୟ ସରକାରଙ୍କ ପ୍ରତି ବହୁ ମାତ୍ରାରେ ଜନଅସନ୍ତୋଷ ଥିବା ସ୍ପଷ୍ଟ ପ୍ରମାଣିତ ହୋଇଛି। ଜନତାଙ୍କ ରାୟକୁ ସମ୍ମାନ ଜଣାଇ ଆଗାମୀ ଦିନରେ ଝାରସୁଗୁଡ଼ାବାସୀଙ୍କ ସ୍ୱାର୍ଥ ପାଇଁ ଦାୟିତ୍ୱର ସହ କାର୍ଯ୍ୟ ନିର୍ବାହ କରିବା ସହିତ ଆସ୍ଥାଭାଜନ ହେବା ପାଇଁ ପ୍ରୟାସ ଜାରି ରଖିବୁ। ଏଥିସହ ଅଞ୍ଚଳବାସୀଙ୍କ ସମସ୍ୟାର ସମାଧାନ ପାଇଁ ଲଢ଼େଇ ଜାରି ରଖିବା ସହ ତାଙ୍କର ସ୍ୱାର୍ଥ ଓ ହକ୍ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବୁ।
ଏହାସହ ଶ୍ରୀ ସାମଲ କହିଛନ୍ତି ଯେ ଦିବଙ୍ଗତ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଜଣେ ପୁଲିସ ଅଧିକାରୀ ଗୁଳିକରି ହତ୍ୟା କରିଥିଲେ। ସ୍ୱର୍ଗତଃ ଦାସ ଝାରସୁଗୁଡ଼ା ଅଞ୍ଚଳରେ ଦୀର୍ଘ ଦିନ ଧରି ପ୍ରତିନିଧିତ୍ୱ କରିଆସୁଥିଲେ। ତାଙ୍କ ଅକାଳ ବିୟୋଗ କାରଣରୁ ଅନୁକମ୍ପା ଭୋଟ୍ ନିଜ ସପକ୍ଷରେ ନେଇ ବିଜୟୀ ହୋଇଥିବା ଦୀପାଳି ଦାସଙ୍କୁ ଶୁଭେଚ୍ଛା।