ଅଧିକ ଅନୁଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ: ଧର୍ମେନ୍ଦ୍ର

ଭୁବନେଶ୍ବର: ଓଡିଶାର ରେଳ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ରେଳ ବଜେଟରେ ଓଡିଶାକୁ ୯ ହଜାର ୭୩୪ କୋଟି ଟଙ୍କା ଅନୁଦାନ ମିଳିଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ, କେନ୍ଦ୍ର ସରକାର ପୂର୍ବୋଦୟ ମିସନରେ ଓଡିଶାରେ ରେଳ ଭିତ୍ତିଭୂମିର ବିକାଶକୁ ସର୍ବାଧିକ ପ୍ରାଥମିକତା ଦେଇଛନ୍ତି। ଏହି ରେକର୍ଡ ସଂଖ୍ୟକ ଅର୍ଥ ରାଜ୍ୟରେ ରେଳ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ସହ ରାଜ୍ୟରେ ରେଳ ଭିତ୍ତିଭୂମିକୁ ସୁଦୃଢ କରିବ ଓ ଯାତ୍ରୀଙ୍କ ଗମନାଗମନକୁ ସୁଗମ କରିବ। ଓଡିଶା ତଥା ପୂର୍ବ ଭାରତର ବିକାଶ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରାଥମିକତାରେ ରହିଛି। ମୋଦୀ ସରକାରରେ ବିଗତ ୭ ବର୍ଷରେ ରେଳବାଇ କ୍ଷେତ୍ରରେ ଓଡିଶା ପ୍ରତି ଦୀର୍ଘ ଦିନର ଅବହେଳାକୁ ଦୂର କରାଯାଇ ରାଜ୍ୟକୁ ପ୍ରଚୁର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ କେନ୍ଦ୍ର ରେଳ ବଜେଟରେ ଓଡିଶାକୁ ୬ ହଜାର ୯୯୫.୫୮ କୋଟି ଟଙ୍କା ଅନୁଦାନ ମିଳିଥିବା ବେଳେ ଏ ବର୍ଷ ଗତବର୍ଷ ଅପେକ୍ଷା ୭୬ ପ୍ରତିଶତ ଅଧିକ ଅନୁଦାନ ବଢିଛି । ଚଳିତଥର ବାସ୍ତବ ସ୍ଥିତି ଓ ପ୍ରକଳ୍ପର କାମକୁ ତ୍ୱରାନ୍ୱିତ କରିବା ଆଧାରରେ ବଜେଟ୍ ପୂର୍ଣ୍ଣାଙ୍ଗ ହୋଇଛି । ପ୍ରତି ପ୍ରକଳ୍ପର ଆବଶ୍ୟକତା ବିଚାରକୁ ନିଆଯାଇ ଅର୍ଥ ଅନୁଦାନ ଦିଆଯାଇଛି।

ଅପରପକ୍ଷେ କଂଗ୍ରେସ ସରକାରରେ ୨୦୦୯-୧୪ ମଧ୍ୟରେ ଓଡିଶାକୁ ରେଳ ଅନୁଦାନ ବାବଦକୁ ବାର୍ଷିକ ହାରାହାରି ମାତ୍ର ୮୩୮ କୋଟି ଟଙ୍କା ଦିଆଯାଇଥିଲା। ମାତ୍ର ମୋଦୀ ସରକାରରେ ୨୦୧୪ରୁ ବାର୍ଷିକ ହାରାହରି ପ୍ରାୟ ୫ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଦିଆଯାଉଛି ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର