କଳାବାଡ଼ିଆ: ୧୮ ବର୍ଷ ପୂର୍ବେ ଗ୍ରାମବାସୀ କରିଥିବା ଜରିମାନା ଟଙ୍କା ଶୁଝି ପାରିନଥିଲେ ପରିବାର ଲୋକ। ଫଳରେ ଉକ୍ତ ପରିବାରର ଜଣେ ମହିଳାଙ୍କ ମୃତ୍ୟୁ ପରେ ଶବ ସତ୍କାର କରାଇ ଦେଉନାହାନ୍ତି ଗ୍ରାମବାସୀ। ସ୍ଥିତି ଏମିତି ଯେ ପୁଲିସ ମଧ୍ୟ ଗ୍ରାମବାସୀଙ୍କ ଆଗରେ ଅସହାୟ। ଯେଉଁଥି ପାଇଁ ୨୪ ଘଣ୍ଟା ହେଲା ରାସ୍ତା ଉପରେ ଶବ ଶଢ଼ିବାରେ ଲାଗିଛି। ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦିଘି ପଞ୍ଚାୟତ ଦୋରକଣ୍ଟିଆ ଗ୍ରାମରେ।

Advertisment

ଦୋରକଣ୍ଟିଆ ଗ୍ରାମର ସୁନ୍ଦରମୋହନ ମାରାଣ୍ଡି (୬୦) କୁଆଡ଼େ ଗୁଣିଗାରେଡ଼ି କରନ୍ତି। ଏଥିପାଇଁ ପ୍ରାୟ ୧୮ ବର୍ଷ ତଳେ ତାଙ୍କ ଉପରେ ୨୫ ହଜାର ଟଙ୍କା ଜରିମାନା କରିଥିଲେ ଗ୍ରାମବାସୀ। ଏଥିସହ ତାଙ୍କ ପରିବାରକୁ ସାମାଜିକ ବାସନ୍ଦ ମଧ୍ୟ କରାଯାଇଥିଲା ବୋଲି ସୁନ୍ଦର କହିଛନ୍ତି। ଗତ ୨୩ ତାରିଖ ସନ୍ଧ୍ୟାରେ ତାଙ୍କ ପତ୍ନୀ ସାକ୍ରମଣି (୪୫)ଙ୍କର ମୃତ୍ୟୁ ଘଟିଥିଲା। ତେବେ ସୁନ୍ଦର ଆଜିଯାଏ ଜରିମାନା ଟଙ୍କା ଦେଇନଥିବାରୁ ଶେଷକୃତ୍ୟ ଲାଗି ଶବ ଛାଡ଼ିନଥିଲେ ଗ୍ରାମବାସୀ। ଖବର ପାଇ ୨୪ ତାରିଖ ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ‘ଆଦିବାସୀ ସେଙ୍ଗେଲ୍‌’ ଅଭିଯାନର ୧୦ରୁ ଊର୍ଦ୍ଧ୍ବ କର୍ମକର୍ତ୍ତା ଶବ ସତ୍କାର ପାଇଁ ଉଦ୍ୟମ କରିଥିଲେ। ହେଲେ ୫୦ରୁ ଅଧିକ ଗ୍ରାମବାସୀ ସେମାନଙ୍କୁ ରାସ୍ତାରେ ଅଟକାଇଥିଲେ। ଏପଟେ ବାତ୍ୟା ପ୍ରଭାବରେ ଝିପିଝିପି ବର୍ଷା ଲାଗି ରହିଥିବା ବେଳେ ଗାଁ ରାସ୍ତା ଉପରେ ସାକ୍ରମଣିଙ୍କ ଶବ ପଡ଼ିରହିଥିଲା।

ସତ୍କାର କରାଇ ଦେଉନାହାନ୍ତି ଗ୍ରାମବାସୀ

ଗୁରୁବାର ସନ୍ଧ୍ୟାରେ ପ୍ରଶାସନ ପକ୍ଷରୁ ଅତିରିକ୍ତ ତହସିଲଦାର ଦାମୋଦର ପ୍ରଧାନ, ବାଙ୍ଗିରିପୋଷି ଥାନା ଅଧିକାରିଣୀ ରୋଜାଲିନ୍‌ ବେହେରା, ଏସ୍‌ଆଇ ହେମନ୍ତ କୁମାର ପାତ୍ରଙ୍କ ସହ ‘ଓଡ଼ିଶା ସେଙ୍ଗେଲ୍‌ ପାର୍‌ଗାନା’ର ନାରାୟଣ ମୁର୍ମୁ, ବିକାଶ ଚନ୍ଦ୍ର ହେମ୍ବ୍ରମ୍‌, ବାହାଦୁର ସୋରେନ୍‌, ମଙ୍ଗଲ ମୁର୍ମୁ, ଜିତେନ୍ଦ୍ର ହେମ୍ବ୍ରମ୍‌ ପ୍ରମୁଖ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥି‌ଲେ ମଧ୍ୟ ସେମାନେ କିଛି ଶୁଣି ନଥିଲେ। ଏଥିସହ ଗୁଣିଗ‌ାରେଡ଼ି କଥାକୁ ସମସ୍ତେ ଅସ୍ବୀକାର କରିଥିଲେ। ସୁନ୍ଦରମୋହନଙ୍କ ପୁଅ, ଅନ୍ୟ ଜଣେ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିଥିବାରୁ ଗ୍ରାମବାସୀ ଏହି ଜରିମାନା କରିଥିଲେ ବୋଲି ନାଏବ ସରପଞ୍ଚ ଠାକୁରା ମାଝୀ କହିଛନ୍ତି। ଏ ନେଇ ଥାନା ଅଧିକାରୀ ରୋଜାଲିନ ବେହେରାଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ; ଆମେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛୁ। ହେଲେ ଗ୍ରାମବାସୀ କିଛି ଶୁଣୁନାହାନ୍ତି। ଫଳରେ ରାତିସୁଦ୍ଧା ମହିଳାଙ୍କ ଶବ ସତ୍କାର ହୋଇପାରିନି ଓ ଗ୍ରାମରେ ଉତ୍ତେଜନା ଲାଗିରହିଛି।