ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସହରସ୍ଥିତ ବ୍ରହ୍ମପୁରା ନିବାସୀ ହର ତୁମୁନିଆ (୫୮)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଏକ ମାତ୍ର ପୁଅ ପିଣ୍ଟୁ (୨୨) ଏବେ ତାମିଲନାଡ଼ୁର ଏକ ଜେଲରେ ଅଛନ୍ତି। ଘରେ ଆଉ କେହି ନାହିଁ। ତେବେ ମୃତକ ହର ଅନ୍ୟ ଜାତିରେ ବାହା ହୋଇଥିବାରୁ ତାଙ୍କ ଶବ ନେବା ପାଇଁ ଜାତିଭାଇ ଆସିଲେ ନାହିଁ। ଡାକ୍ତରଖାନାରେ ଶବ ପଡ଼ିଥିବା ସୂଚନା ପାଇ ସ୍ବେଚ୍ଛାସେବୀମାନେ ଶବ ସତ୍କାର କରିଥିବା ଜଣାପଡ଼ିଛି।

Advertisment

ବ୍ରହ୍ମପୁରା ନିବାସୀ ହର ଅନ୍ୟ ଜାତିର ଝିଅକୁ ବାହା ହୋଇଥିଲେ। କିଛି ବର୍ଷ ପୂର୍ବେ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଘଟିସାରିଛି। ଏକମାତ୍ର ପୁତ୍ର ପିଣ୍ଟୁ କାମ କରିବାକୁ ତାମିଲନାଡ଼ୁ ଯାଇଥିବା ବେଳେ ସେଠାରେ କୌଣସି ଏକ ମାମଲାରେ ଛନ୍ଦି ହୋଇ ଜେଲ୍‌ରେ ବିଚାରାଧୀନ କଏଦୀ ଭାବେ ଅଛନ୍ତି। ଏମିତି ସ୍ଥିତିରେ ହର ଘରେ ଏକୁଟିଆ ଥିଲେ।​ ତେବେ ସେ ଅସୁସ୍ଥ ହୋଇପଡ଼ିବାରୁ କିଛି ଦିନ ହେବ ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ତାଙ୍କର ମୃତ୍ୟୁ ହୋଇଥିଲା। ଘରେ କେହି ନଥିବାରୁ ଡାକ୍ତରଖାନାରେ ଶବ ପଡ଼ିରହିଥିଲା। ସେହିପରି ଅନ୍ୟ ଜାତିରେ ବିବାହ କରିଥିବାରୁ ଜାତିଭାଇ ବି ଆସିଲେ ନାହିଁ। କେତେକ ସ୍ବେଚ୍ଛାସେବୀ ଶବ ନେଇ ବ୍ରହ୍ମପୁରା ନିକଟସ୍ଥ ମାୟାବତୀ ନଦୀ ନିକଟ ସ୍ବର୍ଗଦ୍ବାରରେ ସତ୍କାର କରିଥିଲେ। ଏଥିରେ ସ୍ବେଚ୍ଛାସେବୀ ଗିରିଧାରୀ ଭୋଇ, ବିମଲ ବାଗ, ରାଜେଶ ପୁରୋହିତ, ଅର୍ଜୁନ ଯାଦବ, ଲିପୁ ଭୋଇ, ରଞ୍ଜିତ ଯାଦବ ଓ ମନୋଜ ବାଗ ପ୍ରମୁଖ ଉପସ୍ଥିତ ଥିଲେ।