ମୋହନା: ଫଟୋରେ ଝୁଲୁଛି ଫୁଲମାଳ। ଶୋକ ପାଳୁଛନ୍ତି ପୂରା ପରିବାର। ଘରେ ଉପସ୍ଥିତ ପୁରୋହିତ ପିଣ୍ଡଦାନ ମନ୍ତ୍ର ଉଚ୍ଚାରଣ କରି କ୍ରିୟାକର୍ମ ସଂପାଦନ କରୁଛନ୍ତି। ପରିବାର ଲୋକଙ୍କ ଅ ଗୋଚରରେ ଝିଅ ଅନ୍ୟଜାତିରେ ବାହା ହୋଇଯିବାରୁ ଆଜି ପୂରା ପରିବାର ଝିଅର ଶୁଦ୍ଧିକ୍ରିୟା ଓ ଦଶାହ କର୍ମ ପାଳିଲେ। ଝିଅ ଘର ଛାଡ଼ି ଚାଲି ଯିବାର ଆଜି ୧୧ ଦିନ ହୋଇଥିବା ବେଳେ ଆଜି ଘରେ ଏକାଦଶାହ ଶୁଦ୍ଧିକ୍ରିୟା ଚାଲିଥିବା ଦେଖିବାକୁ ମିଳିଛି। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟରେ।

Advertisment

ଗ୍ରାମର ସଞ୍ଜୁ ସାହୁ ଓ ସହଦେବ ସାହୁଙ୍କ ଝିଅ ଚାନ୍ଦିନୀ ଗତ ଶନିବାର ଦିନ ଘରୁ କୁଆଡ଼େ ଚାଲି ଯାଇଥିଲେ। ବହୁ ଖୋଜାଖୋଜି ପରେ ପରିବାର ଲୋକେ ପାଇନଥିଲେ। ଶେଷରେ ସୋସିଆଲ୍‌ ମିଡିଆରେ ଚାନ୍ଦିନୀ କୌଣସି ଏକ ପୁଅ ସହ ବିବାହ କରିଥିବା ଜାଣିବାକୁ ପାଇଥିଲେ। ଏହି ଖବର ଜାଣିବା ପରେ ସହଦେବଙ୍କ ପରିବାରକୁ ସାମାଜିକ ନିନ୍ଦା ଓ ଅପବାଦ ଭୟ ଘାରିଥିଲା। ଏହା ଘଟଣାରୁ ମୁକୁଳିବା ପାଇଁ ପରିବାର ଲୋକେ ଶୁଦ୍ଧି ହୋଇଥିବା କହିଛନ୍ତି।
ସୂଚନା ମୁତାବକ ଚାନ୍ଦିନୀଙ୍କ ବାହାଘର ଠିକ୍‌ ହୋଇ ସାରିଥିଲା। ଆସନ୍ତା ୨୨ରେ ତାଙ୍କ ନିର୍ବନ୍ଧ କାର୍ଯ୍ୟକ୍ରମ ରହିଥିଲା। ହେଲେ ଏଥିରେ ଝିଅର ସମ୍ମତି ନଥିଲେ ବି ପରିବାର ଚାପ ଆଗରେ ହୁଏତ ନିରବ ରହିଥିଲେ।

ହେଲେ ସେ ନିଜ ପସନ୍ଦର ପୁଅକୁ ବାହା ହେବା ଲାଗି ଗତ ଶନିବାର ଘର ଛାଡ଼ି ହଠାତ୍‌ ପଳାଇଥିଲେ। ଏକ ସ୍ବେଚ୍ଛାସେବୀ ସଂଗଠନ ଜରିଆରେ ଚାନ୍ଦିନୀ ନିଜ ବରର ହାତ ଧରିଥିଲେ। ବିବାହ ପରେ ଏହାର ଫଟୋକୁ ସେ ସୋସିଆଲ ମିଡିଆରେ ସେୟାର କରିଥିଲେ। ପରିବାର ଲୋକେ ସୋସିଆଲ ମିଡିଆରୁ ଚାନ୍ଦିନୀ ବାହାଘର ହୋଇଥିବା ଜାଣିବା ପରେ ସମ୍ପର୍କୀୟଙ୍କୁ ଡାକି ଘରେ ପୁରୋହିତଙ୍କ ଦ୍ୱାରା ନିଜ ଝିଅର ଶୁଦ୍ଧି କ୍ରିୟା ପାଳିଛନ୍ତି। ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ବ୍ୟାପକ‌ ଆଲୋଚନା ହେଉଥିବା ବେଳେ କିଛି ବୁଦ୍ଧିଜୀବୀ ଏହାକୁ ନାପସନ୍ଦ କରିଛନ୍ତି। ଏହି ଭଳି ଏକ ଘଟଣା କିଛି ଦିନ ତଳେ କେନ୍ଦ୍ରାପଡ଼ାରେ ଘଟିଥିବା ବେଳେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲିଟିଥିଲା।