ଭୁବନେଶ୍ବର: ବିକଶିତ ଓଡ଼ିଶା ସ୍ବପ୍ନ ସାକାର କରିବା‌ରେ ରାଜ୍ୟ ସରକାରଙ୍କୁ ନିତି ଆୟୋଗ ସାହାଯ୍ୟ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶକ୍ରମେ ନିତି ଆୟୋଗ ସିଇଓ ବି ଭି ଆର୍‌ ସୁବ୍ରମଣ୍ୟମ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି। ବିକଶିତ ଓଡ଼ିଶା ପାଇଁ ‘ଭିଜନ ଡକୁମେଣ୍ଟ ୨୦୩୬’ ଓ ‘ଭିଜନ ଡକୁମେଣ୍ଟ ୨୦୪୭’ ପ୍ରସ୍ତୁତ କରିବା ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ବୈଠକ‌ରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶାର ବିଭିନ୍ନ କ୍ଷେତ୍ରରେ ବିକାଶର ବ୍ୟାପକ ସମ୍ଭାବନା ରହିଛି। ସମ୍ଭାବନାକୁ ସଫଳତାରେ ପରିଣତ କରିବା ଓ ଉପଯୁକ୍ତ କାର୍ଯ୍ୟାନ୍ବୟନ ଦ୍ୱାରା ବିକାଶର ଲକ୍ଷ୍ୟ ହାସଲ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତରେ ଓଡିଶା ଏକ ଅଭିବୃଦ୍ଧି ଇଞ୍ଜିନ ହେବାର ଲକ୍ଷ୍ୟ ରଖିଛି ବୋଲି ସେ କହିଥିଲେ। ୨୦୩୬ରେ ସ୍ୱତନ୍ତ୍ର ଓଡିଶା ଗଠନର ୧୦୦ ବର୍ଷ ପୂରଣ ହେଉଛି। ତେଣୁ ୨୦୩୬ ଓ ୨୦୪୭କୁ ଲକ୍ଷ୍ୟ ରଖି ଦୁଇଟି ଭିଜନ ଡକୁମେଣ୍ଟ ପ୍ରସ୍ତୁତ କରିବା ପାଇଁ ସେ ପ୍ରସ୍ତାବ ଦେଇଥିଲେ। ସେ କହିଥିଲେ ଯେ ବର୍ତ୍ତମାନ ଓଡିଶାର ଅର୍ଥନୀତିର ଆକାର ୧୦୦ ବିଲିଅନ୍ ଡଲାରୁ ଅଧିକ ଅଛି। ୨୦୩୬ ସୁଦ୍ଧା ୫୦୦ ବିଲିଅନ୍ ଡଲାର ଓ ୨୦୪୭ ସୁଦ୍ଧା ୧.୫୦ ଟ୍ରିଲିଅନ୍ ଡଲାର ଅର୍ଥନୀତି ହାସଲ କରିବା ପାଇଁ ଓଡିଶା ଲକ୍ଷ୍ୟ ରଖିଛି ବୋଲି ସେ କହିଥିଲେ।

Advertisment

ମୁଖ୍ୟମନ୍ତ୍ରୀ-ନିତି ଆୟୋଗ ସିଇଓ ଆଲୋଚନା
ନିତି ଆୟୋଗ ପ୍ରସ୍ତୁତ କରିବ ଭିଜନ୍‌ ଡକୁମେଣ୍ଟ
ମୁଖ୍ୟ ସଚିବଙ୍କ ଅଧୀନରେ ଷ୍ଟିୟରିଂ କମିଟି
ଲୋକଙ୍କ ମତାମତ ସଂଗ୍ରହ କରାଯିବ

ଏହି ଅବସରରେ ନିତି ଆୟୋଗର ସିଇଓ ଶ୍ରୀ ସୁବ୍ରମଣ୍ୟମ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ଓଡିଶାର ବିକାଶ ଉପରେ ସ୍ୱତନ୍ତ୍ର ଧ୍ୟାନ ରହିଛି। ୨୦୪୭ର ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ ସବୁ ରାଜ୍ୟର ବିକାଶ ଦରକାର। ଓଡ଼ିଶା ପାଇଁ ଦୁଇଟି ଭିଜନ ଡକୁମେଣ୍ଟ ପ୍ରସ୍ତୁତ କରିବା ପାଇଁ ନିତି ଆୟୋଗ ପୂର୍ଣ୍ଣ ସହଯୋଗ କରିବ ବୋଲି ସେ କହିଥିଲେ। ଏଥିପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଷ୍ଟିୟରିଂ କମିଟି ଗଠନ କରାଯିବ। ନିତି ଆୟୋଗ ସହଯୋଗରେ ଆସନ୍ତା ୩ ମାସ ମଧ୍ୟରେ ଓଡିଶା ପାଇଁ ଭିଜନ ଡକୁମେଣ୍ଟ ପ୍ରସ୍ତୁତ କରାଯିବ। ଏହି ଡକୁମେଣ୍ଟ ପ୍ରସ୍ତୁତ କରିବା ପାଇଁ ରାଜ୍ୟବ୍ୟାପୀ ବିଭିନ୍ନ ବର୍ଗର ଲୋକଙ୍କ ଠାରୁ ମତାମତ ମଧ୍ୟ ଗ୍ରହଣ କରାଯିବ। ଭିଜନ ଡକୁମେଣ୍ଟ କାର୍ଯ୍ୟାନ୍ବୟନ ପାଇଁ ସ୍ୱତନ୍ତ୍ର ଆକ୍ସନ୍‌ ପ୍ଲାନ୍‌ ମଧ୍ୟ ପ୍ରସ୍ତୁତ କରାଯିବ।
ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ ନୀତି ଆୟୋଗର ସିଇଓ ଏବଂ ଅଧିକାରୀମାନେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ତଥା ସମସ୍ତ ବିଭାଗର ସଚିବ ମାନଙ୍କ ସହିତ ଆଲୋଚନା କରିଥିଲେ। ବୈଠକରେ ମୁଖ୍ୟ ସଚିବ ମନୋଜ ଆହୁଜା, ଉନ୍ନୟନ କମିସନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ ପ୍ରମୁଖ ଉପସ୍ଥିତ ଥିଲେ।