ଅନୁଗୁଳ: ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନ ମହାନଦୀ ଗଣ୍ଡରେ ଆଜି ୧୨ଟି ଘଡ଼ିଆଳ ଶାବକଙ୍କୁ ଛଡ଼ାଯାଇଛି। ଗତ ବନ୍ୟା ସମୟରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ୪ ମାସ ପରେ ଆଜି ସେମାନଙ୍କୁ ନିଜ ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦିଆଯାଇଛି। ଆଜି ସକାଳ ସାଢ଼େ ୯ଟାରେ ସାତକୋଶିଆ ଡିଏଫ୍‌ଓ ସରୋଜ ପଣ୍ଡାଙ୍କ ନେତୃତ୍ବରେ ବନ୍ୟପ୍ରାଣୀ ବନଖଣ୍ଡର ଏକ ସ୍ବତନ୍ତ୍ର ଟିମ୍‌ ଟିକରପଡ଼ାସ୍ଥିତ ଘଡ଼ିଆଳ ଗବେଷଣା ଓ ପ୍ରଜନନ କେନ୍ଦ୍ରରେ ପହଞ୍ଚିଥିଲେ। ସେଠାରେ ବନ୍ୟପ୍ରାଣୀ ଚିକିତ୍ସକ ୧୨ଟି ଯାକ ଘଡ଼ିଆଳ ଶାବକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ପରେ ଏକ ସ୍ବତନ୍ତ୍ର ପଞ୍ଜୁରିରେ କୁମ୍ଭୀର ଛୁଆମାନଙ୍କୁ ନେଇ ବୋଟ୍‌ ଯୋଗେ ମହାନଦୀ ସୁନାଖଣିଆ ବାଲିପଠା ନିକଟ ପାଣିରେ ଛଡ଼ାଯାଇଥିଲା। ଏହି ସମୟରେ ଏସିଏଫ୍‌ ଆଲୋକ ଭୋଇ, ବନ୍ୟପ୍ରାଣୀ ଚିକିତ୍ସକ ଡାକ୍ତର କିଶୋର ଚନ୍ଦ୍ର ସାହୁ, ରିସର୍ଚ୍ଚ ଆସିଷ୍ଟାଣ୍ଟ୍‌ କ୍ରିଷ୍ଣା ଖାନ୍‌, ଫରେଷ୍ଟର୍‌ ଅନୁପମା ସାହୁ ଉପସ୍ଥିତ ଥିଲେ। ଗତ ମେ ୨୪ରେ ଏହି ଘଡ଼ିଆଳ ଶାବକ ଜନ୍ମଲାଭ କରିଥିଲେ। ନଦୀରେ ବନ୍ୟା ଆସିବାରୁ ଜୁଲାଇ ୧୨ ତାରିଖରେ ୧୨ଟି ଶାବକଙ୍କୁ ପାଣିରୁ ଉଦ୍ଧାର କରାଯାଇ ଟିକରପଡ଼ାସ୍ଥିତ ଘଡ଼ିଆଳ ଗବେଷଣା ଓ ପ୍ରଜନନ କେନ୍ଦ୍ରରେ ରଖାଯାଇଥିଲା। ୪ ମାସ ରହଣି ମଧ୍ୟରେ କୁମ୍ଭୀର ଶାବକଙ୍କୁ କେବଳ ମାଛ ଯାଆଁଳ ଖାଇବାକୁ ଦିଆଯାଉଥିବା ଡିଏଫ୍‌ଓ ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି। ବିଗତ ଦିନରେ ଉଦ୍ଧାର ଶାବକଙ୍କ ମଧ୍ୟରୁ କିଛି ମରି ଯାଇଥିବାରୁ ଚଳିତଥର ବନ୍ୟପ୍ରାଣୀ ଟିମ୍‌ ଏଥିପ୍ରତି ସଜାଗ ରହିଥିଲା। ଘଡ଼ିଆଳର ଖାଦ୍ୟ ପ୍ରଣାଳୀରେ କୌଣସି ପରିବର୍ତ୍ତନ କରାଯାଇ ନଥିଲା। ଫଳରେ ଉଦ୍ଧାର ହୋଇଥିବା‌ ସମସ୍ତ ଘଡ଼ିଆଳ ଶାବକ ସୁସ୍ଥ ଓ ସୁରକ୍ଷିତ ଭାବେ ବଞ୍ଚି ରହିବା ସହ ଆଜି ସେମାନଙ୍କ ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦିଆଯାଇଥିବା ଶ୍ରୀ ପଣ୍ଡା କହିଛନ୍ତି।

Advertisment

ସୂଚନାଯୋଗ୍ୟ, ୬୦ବର୍ଷ ପରେ ସାତକୋଶିଆ ନଦୀପଠାରେ ଘଡ଼ିଆଳମାନଙ୍କ ପ୍ରାକୃତିକ ପ୍ରଜନନ ସମ୍ଭବ ହୋଇଥିଲା। ମହାନଦୀର ବଳଦହୁଡ଼ା ପଠା ପାଖରେ ୩ଟି ମାଈ ଓ ଗୋଟିଏ ଅଣ୍ଡିରା ଘଡ଼ିଆଳ ଦିଶୁଥିଲେ। ଗତ ୨୦୨୧ରେ ସେମାନଙ୍କ ମଧ୍ୟରୁ ଗୋଟିଏ ମାଈ ଘଡ଼ିଆଳ ଅଣ୍ଡା ଦେବା ଆରମ୍ଭ କରିଥିଲା। ୨୦୨୧ରେ ୨୮ଟି, ୨୦୨୨ରେ ୩୦ଟି, ୨୦୨୩ରେ ୩୫ଟି ଓ ଚଳିତବର୍ଷ ୩୫ଟି ଅଣ୍ଡାରୁ ଘଡ଼ିଆଳ ଛୁଆ ଜନ୍ମ ହୋଇଥିଲେ। ପ୍ରଥମବର୍ଷ କିଛି ଘଡ଼ିଆଳ ବନ୍ୟାପାଣିରେ ଭାସି ଯାଇଥିଲେ। ଏହା ଜଣାପଡ଼ିବା ପରେ ଗଣ୍ଡରୁ ଘଡ଼ିଆଳ ଉଦ୍ଧାର ହୋଇପାରିବ କି ନାହିଁ, ସନ୍ଦେହ ପ୍ରକାଶ ପାଇଥିଲା। ବିଶେଷଜ୍ଞଙ୍କ ସହ ପରାମର୍ଶ ପରେ କେବଳ ବନ୍ୟା ପୂର୍ବରୁ ଶାବକମାନଙ୍କୁ ଉଦ୍ଧାର କରି ପରବର୍ତ୍ତୀ ସମୟରେ ପାଣିରେ ଛାଡ଼ି ଦେବାକୁ ନିଷ୍ପତ୍ତି ହୋଇଥିଲା। ଚଳିତବର୍ଷ ଉଦ୍ଧାର ସମୟରେ ୧୨ଟି ଘଡ଼ିଆଳ ଶାବକଙ୍କ ଲମ୍ବ ୮ରୁ ୧୦ଇଞ୍ଚ ଥିଲା ବେଳେ ଏବେ ପ୍ରାୟ ୧ଫୁଟ୍‌ରୁ ଦେଢ଼ ଫୁଟ୍‌ ହୋଇଛି। ଗତ ୩ବର୍ଷ ମଧ୍ୟରେ ସାତକୋଶିଆ ଗଣ୍ଡରେ ଯେଉଁ ଛୁଆ ପ୍ରାକୃତିକ ଭାବେ ଜନ୍ମ ହୋଇଥିଲେ, ସେଥିମଧ୍ୟରୁ ୭ଟି ଘଡ଼ିଆଳ ଶାବକଙ୍କ ଲମ୍ବ ୩ଫୁଟ୍‌ରୁ ଅଧିକ ହୋଇଥିବା ବେଳେ ସେମାନେ ଏବେ ଗଣ୍ଡରେ ଦୃଶ୍ୟମାନ ହେଉଥିବା ଜଣାପଡ଼ିଛି।