ମା’ଙ୍କ ଆକାଉଣ୍ଟ୍‌ରୁ ୩.୨ ଲକ୍ଷ ଗାଏବ କଲା ୧୨ ବର୍ଷର ପୁଅ

ରାୟପୁର: ଛତିଶଗଡ଼ କାଙ୍କେର୍‌ ଜିଲ୍ଲାର ଜଣେ ଶିକ୍ଷୟିତ୍ରୀ ସାଇବର୍‌ ଠକେଇର ଶିକାର ହୋଇଥିବା ନେଇ ପୁଲିସରେ ଅଭି‌ଯୋଗ କରିଥିଲେ। ତାଙ୍କ ଆକାଉଣ୍ଟ୍‌ରୁ ୩.୨ ଲକ୍ଷ ଟଙ୍କା ଗାଏବ ହୋଇଥିବା ନେଇ ସେ ଅଭିଯୋଗ କରିଥିଲେ। କିନ୍ତୁ ଶେଷରେ ତାଙ୍କ ସାମ୍ନାକୁ ଯେଉଁ ସତ୍ୟ ଆସିଲା ତାହା ସେ ବିଶ୍ବାସ କରିପାରିଲେନି। ପ୍ରକୃତରେ ସେ କୌଣସି ସାଇବର୍‌ ଠକେଇର ଶିକାର ହୋଇନଥିଲେ। ତାଙ୍କ ନିଜ ପୁଅ ଅନ୍‌ଲାଇନ୍‌ ଗେମ୍‌ ପାଇଁ କିଛି ଅସ୍ତ୍ର କିଣିବାକୁ ତାଙ୍କ ଆକାଉଣ୍ଟ୍‌ରୁ ୩.୨ ଲକ୍ଷ ଟଙ୍କା ଗାଏବ କରିଥିଲା। ପ୍ରାୟ ୩ ମାସ ଧରି ଉକ୍ତ ଶିକ୍ଷୟିତ୍ରୀଙ୍କ ପୁଅ ତାଙ୍କ ଫୋନ୍‌ରୁ ୨୭୮ ଥର କାରବାର କରିଥିଲା। ଏହା ଜଣାପଡ଼ିନଥିଲା କାରଣ ଏଥିପାଇଁ କୌଣସି ଓଟିପି ଦରକାର ହେଉନଥିଲା। ସତ ଜଣାପଡ଼ିବା ପରେ ଶିକ୍ଷୟିତ୍ରୀଙ୍କ ପୁଅକୁ ପୁଲିସ ଜେରା କରିଛି। ଜେରାରୁ ଜଣାପଡ଼ିଛି ଯେ, ତାଙ୍କ ଗ୍ରୁପ୍‌ରେ ଅନ୍ୟ ୨ ଜଣ ମଧ୍ୟ ଅଛନ୍ତି। ସେମାନେ ଲକ୍ଷାଧିକ ଟଙ୍କ‌ାର ଅସ୍ତ୍ର କିଣିଛନ୍ତି ବୋଲି ସନ୍ଦେହ କରାଯାଉଛି।

ଉଲ୍ଲେଖଯୋଗ୍ୟ ଯେ, ଶିକ୍ଷୟିତ୍ରୀ ଜଣଙ୍କ ଗତ ୨୫ ତାରିଖରେ ତାଙ୍କ ଆକାଉଣ୍ଟ୍‌ରୁ ୩.୨ ଲକ୍ଷ ଖାଲି ହୋଇଥିବା ଜାଣିଲେ। ସାଇବର୍‌ ଠକେଇର ଶିକାର ହୋଇଥିବା ନେଇ ସେ ଭୟ କରିଥିଲେ। ସେହିଦିନ ହିଁ ସେ ପୁଲିସରେ ଏତଲା ରୁଜୁ କରିଥିଲେ। ‌ତେବେ ପୁଲିସ ଜାଣିଲା ଯେ, ମାର୍ଚ୍ଚ ୮ରୁ ଜୁନ୍‌ ୧୦ ମଧ୍ୟରେ ତାଙ୍କ ଆକାଉଣ୍ଟ୍‌ରୁ କାରବାର ହୋଇଛି। ସେମାନେ ଶିକ୍ଷୟିତ୍ରୀଙ୍କୁ ତାଙ୍କ ପୁଅ ସହ କଥା ହେବାପାଇଁ ପରାମର୍ଶ ଦେଇଥିଲେ ଏବଂ ସତ ଜାଣିବାପରେ ବିସ୍ମିତ ହୋଇଯାଇଥିଲେ ।

ସମ୍ବନ୍ଧିତ ଖବର