୧୩ ବର୍ଷର ନାବାଳିକାକୁ ନେଇଗଲେ ଦଲାଲ ଭାଇ-ଭଉଣୀ

୧୮ ବର୍ଷ ପରେ ବି ଘରକୁ  ଫେରୁନି କି ପତ୍ତା ମିଳୁନି

ରାଉରକେଲା: ଚାକିରି ଦେବାକୁ କହି ଦିଲ୍ଲୀ ନେଇଯାଇଥିଲେ ଦଲାଲ ଭାଇ-ଭଉଣୀ। ପ୍ରଥମେ ମନା କରୁଥିଲେ ମଧ୍ୟ ପାରିବାରିକ ଅବସ୍ଥାରେ ସୁଧାର ଆସିବା ଆଶାରେ ମା’-ବାପା ହଁ ଭରିଥିଲେ। ପରେ ୧୩ ବର୍ଷୀୟା ନାବାଳିକାକୁ ଦିଲ୍ଲୀକୁ ନେଇ ଅନ୍ୟ ଜଣକୁ ବିକ୍ରି କରିଦେଇଥିଲେ। ଏହି ଘଟଣାକୁ ୧୮ ବର୍ଷ ବିତିଲାଣି। କିନ୍ତୁ ଏଯାଏଁ ଜନ୍ମ ମାଟିକୁ ଫେରିପାରିନାହାନ୍ତି ନାବାଳିକା। ସେ କେଉଁଠି ଅଛନ୍ତି? ଏବେ ବି ବନ୍ଧକ ଅଛନ୍ତି ? ଜୀବିତ ଅଛନ୍ତି ତ? ଏଭଳି ଅନେକ ପ୍ରଶ୍ନର ଉତ୍ତର ମିଳୁନି। ଗତ ୧୮ ବର୍ଷ ହେଲା ଝିଅର ଫେରିବା ବାଟକୁ ଚାହିଁବସିଛନ୍ତି ବୃଦ୍ଧ ପିତା-ମାତା; କିନ୍ତୁ ସେମାନଙ୍କର ସ୍ବପ୍ନ ପୂରଣ ହେଉନି। ଫଳରେ ଆଶା ଆଶଙ୍କାରେ ଦିନ କାଟିବାକୁ ବାଧ୍ୟ ହେଉଛନ୍ତି।

ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ବଡ଼ମାରେଣି ଗଞ୍ଜୁଟୋଲାରେ ସପରିବାର ରୁହନ୍ତି ମାଙ୍ଗରା କୁମ୍ଭାର। ପରିବାର କହିଲେ ପତ୍ନୀ, ତିନି ଝିଅ ଓ ଗୋଟିଏ ପୁଅ। ପର ଘରେ ମୂଳ ଲାଗି ଯେତିକି ଆୟ ହୁଏ, ସେତିକିରେ ପରିବାର ଭରଣପୋଷଣ କରନ୍ତି। ୨୦୦୪ ମସିହା ଅଗଷ୍ଟ ମାସର ଘଟଣା। ମାଙ୍ଗରା ଘରେ ଥିବାବେଳେ ବିରକେରା ଗାଁର ଦୁଇ ଭାଇ-ଭଉଣୀ ନିକୋଲାସ କେର୍କେଟା ଓ ହାନା କେର୍କେଟା ତାଙ୍କ ଘରେ ପହଞ୍ଚିଥିଲେ। ବଡ଼ ଝିଅ ମୁନୀକୁ ଦିଲ୍ଲୀରେ ଚାକିରି ଚାକିରି ଯୋଗାଇଦେବାକୁ ପ୍ରଲୋଭିତ କରିଥିଲେ। ଏହାସହ ମାସିକ ଦରମା ସହ ସମସ୍ତ ଖାଇବାପିବା, ରହଣୀ ମାଗଣା ଏବଂ ସବୁ ଦରମାକୁ ଘରକୁ ପଠାଇପାରିବେ। ଏହାସହ ଆମେ ଯେବେ ଗାଁକୁ ଆସିବୁ, ତାକୁ ସାଙ୍ଗରେ ନେଇକି ଆସିବୁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଣୁ ପ୍ରଲୋଭନର ଶିକାରରେ ପଡ଼ିଯାଇଥିଲେ ନିରୀହ ମାଙ୍ଗରା। ଏହାପରେ ମୁନୀ ଦୁଇ ଦଲାଲ ଭାଇ-ଭଉଣୀଙ୍କ ସହ ଦିଲ୍ଲୀ ଅଭିମୁଖେ ବାହାରିଥିଲେ। କିନ୍ତୁ ମୁନୀ ଦିଲ୍ଲୀରେ ପହଞ୍ଚିବାପରେ ଉଭୟ ଭାଇଭଉଣୀ ତାଙ୍କୁ ଆଉଜଣେ ଦଲାଲଙ୍କୁ ବିକ୍ରି କରିଦେଇଥିଲେ।

ପରେ ଉକ୍ତ ଦଲାଲ ତାଙ୍କୁ ଘର ଭିତରେ ବନ୍ଧକ ରଖି ଘରୋଇ କାମରେ ନିୟୋଜିତ କରିଥିଲା। ଏହାର ବର୍ଷକ ପରେ, ଅର୍ଥାତ୍‌ ୨୦୦୫ରେ ହାନା କେର୍କେଟା ଗାଁକୁ ଆସିଥିଲେ ମଧ୍ୟ ମୁନୀଙ୍କୁ ସାଙ୍ଗରେ ଆଣିନଥିଲେ। ଏନେଇ ମୁନୀଙ୍କ ପରିବାର ପଚାରିବାରୁ ସେ ଦିଲ୍ଲୀରେ ଭଲରେ ଅଛି ବୋଲି କହିଥିଲେ। ଏଣୁ ତାଙ୍କ କଥାକୁ ପୁଣି ବିଶ୍ବାସ କରିନେଇଥିଲେ କୁମ୍ଭାର ପରିବାର। ତେବେ ୨୦୦୬ ମସିହାରେ ପ୍ରକୃତ ଘଟଣା ଜଣାପଡ଼ିଥିଲା। ହଠାତ୍‌ ଦିନେ ମୁନୀ ବିରକେରା ସରପଞ୍ଚଙ୍କୁ ଫୋନ୍ କରି ସତକଥା ଓଗାଳି ଦେଇଥିଲେ। ମୁନୀ କହିଥିଲେ, ‘ଘରୁ ଆଣିବାପରେ ମୋତେ ଦିଲ୍ଲୀ ଷ୍ଟେସନ୍‌ ପାଖରେ ବିକ୍ରି କରିଦିଆଯାଇଛି। ଗୋଟିଏ ତିନି ମହଲା କୋଠା ଉପରେ ଏକ କୋଣ ଅଞ୍ଚଳରେ ରଖାଯାଉଛି ଏବଂ ଘରକାମ କରାଉଛନ୍ତି। ଗେଟ୍ ପାଖରେ ସୁରକ୍ଷା କର୍ମୀ ଥିବାରୁ ଘରୁ ବାହାରିପାରୁନି। ମୋ’ର ଅବସ୍ଥା ଶୋଚନୀୟ ହୋଇପଡ଼ିଲାଣି। ଯଥାଶୀଘ୍ର ଉଦ୍ଧାର କରିବାକୁ କାକୁତିମିନତି କରିଥିଲେ। ଘଟଣା ପ୍ରଘଟ ହେବାପରେ ମୁନୀଙ୍କ ପରିବାର କଲୁଙ୍ଗା ଫାଣ୍ଡିରେ ଏତଲା ଦେଇଥିଲେ।

ଫେରାଇ ଆଣିବାକୁ ଥାନାରେ ଲିଖିତି ପ୍ରତିଶ୍ରୁତି ଦେଇଥିଲା ଦଲାଲ

ଏବେ ଦୁଇ ଦଲାଲ ବି ଫେରାର, ପୁଲିସ ହାତବାନ୍ଧି ବସିଛି

ସେମାନେ ସିଧାସଳଖ ବିରକେରା ଭାଇଭଉଣୀ ହିଁ ଝିଅକୁ ବିକ୍ରି କରିଦେଇଥିବା ଅଭିଯୋଗ କରିଥିଲେ। ଏହାପରେ ଦଲାଲ ନିକୋଲାସ ପୁଲିସ ଉପସ୍ଥିତିରେ ମୁନୀକୁ ଫେରାଇ ଆଣିବାକୁ ଲିଖିତ ପ୍ରତିଶ୍ରୁତି ଦେଇଥିଲା। କିଛିଦିନ ପରେ ନିକୋଲାସ ମୁନୀଙ୍କ ସାନ ଭଉଣୀକୁ ନେଇ ଦିଲ୍ଲୀ ଯାଇଥିଲା। ତେବେ ସେମାନେ ଦିଲ୍ଲୀରେ ପହଞ୍ଚିବାପରେ ଯାବତୀୟ ଧମକଚମକ ଦେଇଥିଲା। ମୁନୀକୁ ରଖିଥିବା ବ୍ୟକ୍ତି ଗୁଣ୍ଡା ସମ୍ପ୍ରଦାୟର ଓ ପାଖରେ ବନ୍ଧୁକ ଥିବାରୁ ଘରକୁ ଗଲେ ଜୀବନରୁ ମାରିଦେବେ ବୋଲି କହିଥିଲା। ଫଳରେ ସେମାନେ ଭୟଭୀତ ହୋଇ ଘରକୁ ଫେରିଆସିଥିଲେ। ଘଟଣା ନେଇ ପୁନର୍ବାର କଲୁଙ୍ଗା ଫାଣ୍ଡିରେ ଦ୍ବାରସ୍ଥ ହୋଇଥିଲେ; କିନ୍ତୁ କୌଣସି ସୁଫଳ ମିଳିନଥିଲା। ଅପରପଟେ ଉଭୟ ଦଲାଲ ଭାଇ-ଭଉଣୀ ଫେରାର ହୋଇଯାଇଥିଲା। ଝିଅକୁ ଉଦ୍ଧାର କରିବାକୁ ୨୦୧୯ ମସିହାପରେ ପୁନର୍ବାର ମାଙ୍ଗରା ଥାନା‌ରେ ପହଞ୍ଚି ନ୍ୟାୟ ଭିକ୍ଷା କରିଥିଲେ; କିନ୍ତୁ କେବଳ ମିଛ ପ୍ରତିଶ୍ରୁତି ହିଁ ମିଳିଥିଲା। ଇତିମଧ୍ୟରେ ରାଉରକେଲା ଏସପି୍ଙ୍କଠାରୁ ଆରମ୍ଭକରି ସମସ୍ତ ବରିଷ୍ଠ ଅଧିକାରୀ ଦୃଷ୍ଟି ଆକର୍ଷଣ କରାଯାଇସାରିଲାଣି; କିନ୍ତୁ ମୁନୀକୁ ଫେରାଇବାକୁ କେହି ସାମାନ୍ୟତମ ପ୍ରୟାସ ବି କରୁନଥିବା ଅଭିଯୋଗ କରିଛନ୍ତି।

ଏନେଇ ମୁନୀଙ୍କ ସାନ ଭଉଣୀ ସନମନୀ କହିଛନ୍ତି, ନ୍ୟାୟ ପାଇବାକୁ ଶତାଧିକ ବାର ପୁଲିସର ଦ୍ବାରସ୍ଥ ହୋଇଛୁ; କିନ୍ତୁ ଫଳ ମିଳୁନି। ଏମିତିକି କିଛି ଦିନ ପୂର୍ବେ ବ୍ରହ୍ମଣୀତରଙ୍ଗ ଥାନା ଅଧିକାରୀ, ସ୍ଥାନୀୟ ଡିଏସପିଙ୍କ ସହ ସାକ୍ଷାତଆଲୋଚନା କରି ଭଉଣୀକୁ ସୁରକ୍ଷିତ ଉଦ୍ଧାର ପାଇଁ ନିବେଦନ କରିଥିଲୁ। ପରେ ଭଉଣୀଙ୍କୁ ଖୋଜିବା ଉଦ୍ଦେଶ୍ୟରେ ଥାନାର ଜଣେ ମହିଳା ପୁଲିସ କର୍ମଚାରୀଙ୍କ ସହ ମୁଁ ଓ ମୋ’ ସାନ ଭଉଣୀ ଦିଲ୍ଲୀ ଯାଇଥିଲୁ। ପୁଲିସ ଆମକୁ ତାଜମହଲ, କାନପୁର ତଥା ଉତ୍ତରପ୍ରଦେଶର ଅନ୍ୟ କିଛି ଅଞ୍ଚଳ ବୁଲାଇଥିଲେ। ଶେଷରେ ଦିଲ୍ଲୀର କୋଟଲା ପୁଲିସ ଷ୍ଟେସନରେ ପହଞ୍ଚିଥିଲୁ। କିନ୍ତୁ ସେଠାକାର ପୁଲିସ ପୁରୁଣା ଏତଲା ମାଗଥିଲେ, କିନ୍ତୁ ଆମ ପାଖରେ ତାହା ମହଜୁଦ ନଥିଲା। ଏମିତିକି ବୁଲାବୁଲି କରି ଆମର ୧୮/୨୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି। କିନୁ କିଛି ଫଳ ଆଶାନୁରୂପ ହେଉନଥିବା ଅଭିଯୋଗ କରିଛନ୍ତି।

 

ସମ୍ବନ୍ଧିତ ଖବର