୨ ବର୍ଷର ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ପୁରସ୍କାର ଘୋଷିତ: ଅନନ୍ତ ଓ କୁମ୍‌କୁମ୍‌ଙ୍କୁ ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’

ସୁନନ୍ଦା ପଟ୍ଟନାୟକଙ୍କ ସ୍ମୃତିରେ ପ୍ରଥମ ଥର ପାଇଁ ରଘୁନାଥ ଓ ବନ୍ଦିତାଙ୍କୁ ‘ସୁନନ୍ଦା ସମ୍ମାନ’

ଭୁବନେଶ୍ବର: ନାଟକ ଓ ଓଡ଼ିଶୀ ନୃତ୍ୟକୁ ମିଳିଛି ଓଡ଼ିଶା ସଂଗୀତ ନାଟକ ଏକାଡେମିର ସର୍ବୋଚ୍ଚ ସ୍ବୀକୃତି। ୨୦୧୯-୨୦ ବର୍ଷ ପାଇଁ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଅନନ୍ତ ମହାପାତ୍ର ଏବଂ ୨୦୨୦-୨୧ ବର୍ଷ ପାଇଁ ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟ ଶିଳ୍ପୀ ପଦ୍ମଶ୍ରୀ କୁମ୍‌କୁମ୍‌ ମହାନ୍ତି ଏକାଡେମିର ସର୍ବୋଚ୍ଚ ପୁରସ୍କାର ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’ ପାଇବାକୁ ମନୋନୀତ ହୋଇଛନ୍ତି। ଉଭୟଙ୍କୁ ୫ ଲକ୍ଷ ଟଙ୍କାର ଅର୍ଥରାଶି ସହ ଉପଢ଼ୌକନ ଦେଇ ସମ୍ବର୍ଧିତ କରାଯିବ। ଆଜି ସଂସ୍କୃତି ଭବନ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗତ ଦୁଇ ବର୍ଷର ସଂଗୀତ ନାଟକ ଏକାଡେମି ପୁରସ୍କାର ଘୋଷଣା ଅବସରରେ ଏହି ସୂଚନା ଦେଇଛନ୍ତି ଏକାଡେମିର ସଚିବ ପଦ୍ମଶ୍ରୀ ଅରୁଣା ମହାନ୍ତି।

ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କ୍ରମେ ପ୍ରଥମ ଥର ପାଇଁ ‘ସୁନନ୍ଦା ସମ୍ମାନ’ ପ୍ରଦାନ କରାଯିବ। ପୂର୍ବରୁ ଦିଆଯାଉଥିବା ‘ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତ ସମ୍ମାନ’ର ନାମ ପରିବର୍ତ୍ତନ କରି ପ୍ରଖ୍ୟାତ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ସ୍ମୃତିରେ ‘ସୁନନ୍ଦା ସମ୍ମାନ’ ଭାବେ ନାମିତ କରାଯାଇଥିବା ବେଳେ ପୁରସ୍କାର ରାଶିକୁ ୨ ଲକ୍ଷରୁ ବର୍ଦ୍ଧିତ କରି ୨ ଲକ୍ଷ ୫୦ ହଜାର ଟଙ୍କା କରାଯାଇଛି। ୨୦୧୯-୨୦ ବର୍ଷ ପାଇଁ କଣ୍ଠଶିଳ୍ପୀ ରଘୁନାଥ ମହାପାତ୍ର(ଭୁବନେଶ୍ବର)ଙ୍କୁ ଏବଂ ୨୦୨୦-୨୧ ବର୍ଷ ପାଇଁ କଣ୍ଠଶିଳ୍ପୀ ବନ୍ଦିତା ରାୟ(କଟକ)ଙ୍କୁ ସୁନନ୍ଦା ସମ୍ମାନରେ ସମ୍ମାନିତ କରାଯିବ। ଏଥିସହ ଚଳିତ ଥର ‘ଗୀତିକବିତା’ର ନାମ ପରିବର୍ତ୍ତନ କରାଯାଇ ‘ସାରଦା ପ୍ରସନ୍ନ ସମ୍ମାନ’ କରାଯାଇଛି। ୨୦୧୯-୨୦ ବର୍ଷ ଏହି ପୁରସ୍କାର ବିନୋଦ କୁମାର ପଶାୟତ(ସମ୍ବଲପୁର)ଙ୍କୁ ଓ ୨୦୨୦-୨୦୨୧ ବର୍ଷ ପାଇଁ ଅଲେଖ ଚନ୍ଦ୍ର ପଢ଼ିହାରୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ। ଏହି ସମ୍ମାନ ବାବଦକୁ ଉଭୟଙ୍କୁ ୨.୫ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ।

‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’କୁ ଛାଡ଼ି ସମୁଦାୟ ୧୫ଟି ବିଭାଗରେ ୨ ବର୍ଷ ପାଇଁ ୩୨ଜଣଙ୍କୁ ଏକାଡେମି ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଏହି ଶିଳ୍ପୀମାନଙ୍କୁ ୨ ଲକ୍ଷ ଟଙ୍କାର ଅର୍ଥରାଶି ସହ ଏକାଡେମି ସମ୍ମାନ ପ୍ରଦାନ କରାଯିବ। ଏକାଡେମିର କାର୍ଯ୍ୟକାରୀ ସମିତିର ବୈଠକରେ ଏହି ସବୁ ପ୍ରତିଭାଙ୍କ ନାମ ଚୟନ କରାଯାଇଥିବା ବ‌େଳେ ଆଜି ସଂସ୍କୃତି ଭବନରେ ଓଡ଼ିଶା ସଂଗୀତ ନାଟକ ଏକାଡେମିର ସଭାପତି ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମିଳନୀରେ ଏହି ପୁରସ୍କାର ଘୋଷଣା କରାଯାଇଥିଲା। ଆଜିର ସାମ୍ବାଦିକ ସମ୍ମିଳନୀରେ ଏକାଡେମିର ଉପସଭାପତି ମନ୍ମଥ ଶତପଥୀ ଓ ସଚିବ ପ୍ରବୋଧ ରଥ ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା ୩୦ ତାରିଖରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ପକ୍ଷରୁ ଏହି ୨ ବର୍ଷ ପାଇଁ ନୃତ୍ୟ, ସଙ୍ଗୀତ ଓ ନାଟ୍ୟକଳା କ୍ଷେତ୍ରରେ ବିଶେଷ ଅବଦାନ ଥିବା କଳା ସାଧକମାନଙ୍କର ଆଜୀବନ ସାଧନା ପାଇଁ ଏକାଡେମିର ସର୍ବୋଚ୍ଚ ସମ୍ମାନ ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’ ଓ ଏକାଡେମି ପୁରସ୍କାର’ ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବ ବୋଲି ସଚିବ ଶ୍ରୀ ରଥ କହିଛନ୍ତି।

ସମ୍ବନ୍ଧିତ ଖବର