ମେରାମଣ୍ଡଳୀ : ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍ କୁଶୁପଙ୍ଗା ପଞ୍ଚାୟତର କୁରୁଣ୍ଟିସ୍ଥିତ ଲାନ୍କୋ ପାୱାର୍ ପ୍ଲାଣ୍ଟ ୨୫୬ ମିଟର ଉଚ୍ଚ ବିଶିଷ୍ଟ ଚିମ୍ନି ସୋମବାର ଦିନ ମାଟିରେ ମିଶିଯାଇଛି। ଏହାକୁ ଭାଙ୍ଗିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପ୍ରାୟ ୭୫୦ କିଲୋ ଗ୍ରାମର ବିସ୍ଫୋରକ ବ୍ୟବହାର କରାଯାଇଥିଲା। ଏହି ବିରାଟ ଚିମ୍ନି ନିର୍ମାଣ ଦିନଠାରୁ ଥରେ ମଧ୍ୟ ବ୍ୟବହାର ହୋଇ ନଥିଲା। ୨୦୧୦ ମସିହାରେ ଲାନ୍କୋ ପକ୍ଷରୁ ଏହାର ନିର୍ମାଣ ହୋଇଥିଲା। ପରେ କମ୍ପାନି ନ ଚାଲିବାରୁ ଚିମ୍ନି ଅବ୍ୟବହୃତ ହୋଇ ପଡ଼ିରହିଥିଲା। ଏହାକୁ ଭାଙ୍ଗିବାକୁ ରାଜସ୍ଥାନର ଠିକା ସଂସ୍ଥାକୁ ଦାୟିତ୍ବ ଦିଆଯାଇଥିଲା।
ସୂଚନାଯୋଗ୍ୟ, ଏହି ଲାନ୍କୋ ପାୱାର ପ୍ଲାଣ୍ଟର ଚିମ୍ନିକୁ ଭାଙ୍ଗିବା ପାଇଁ ସ୍ଥାନୀୟ ପ୍ରଶାସନ ଏବଂ ଠିକା ସଂସ୍ଥା ପକ୍ଷରୁ ଗତମାସ ୧୩ ତାରିଖରେ ଉଦ୍ୟମ ହୋଇଥିଲା। ମାତ୍ର ତାହା ସଫଳ ହୋଇ ନଥିଲା। ଏହା ପରେ ପ୍ରଶାସନ ଓ ଉକ୍ତ ଠିକା ସଂସ୍ଥା ପକ୍ଷରୁ ନଭେମ୍ବର ୧୭ ତାରିଖରେ ୭୫୦ କିଲୋଗ୍ରାମ ବିସ୍ଫୋରକ ସାମଗ୍ରୀ ବ୍ୟବହାର କରି ଚିମ୍ନିକୁ ଭାଙ୍ଗିବାକୁ ଉଦ୍ୟମ କରାଯାଇଥିଲା। କିନ୍ତୁ ଏହା ସମ୍ପୂର୍ଣ ଭାଙ୍ଗିବା ବଦଳରେ ୩୦ ପୁଟ୍ ତଳକୁ ଦାବି ଦେଇଥିଲା। ଫଳରେ କମ୍ପାନି ଆଖପାଖ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହୁଥିଲେ।
ପୁନର୍ବାର ସୋମବାର ଦିନ ଚିମ୍ନିକୁ ସଂପୂର୍ଣ୍ଣ ଭାଙ୍ଗିବାକୁ ଦିନ ସ୍ଥିର କରାଯାଇଥିଲା। ପୂର୍ବାହ୍ଣ ସାଢ଼େ ୧୦ଟା ବେଳେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଓଡ଼ାପଡ଼ା ତହସିଲଦାର ବାଣୀନିବେଦିତା ସ୍ୱାଇଁ, ଅତିରିକ୍ତ ତହସିଲଦାର ସୁମନ୍ତ କୁମାର ବେହେରା, ମୋଟଙ୍ଗା ଥାନା ଆଇଆଇସି ନିରଞ୍ଜନ ସେଠୀ ସଦଳବଳ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ବିସ୍ଫୋରଣରେ ସ୍ଥାନୀୟ ଅଞ୍ଚଳରେ ଯେପରି ବିଶେଷ କ୍ଷୟକ୍ଷତି ନ ହେବ ତାହାକୁ ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଇଥିଲା। ମାତ୍ର ୩ ସେକେଣ୍ଡରେ ଏହି ବିସ୍ଫୋରଣ ହୋଇଥିଲା। ଫଳରେ ଚିମ୍ନିଟି ମାଟିରେ ମିଶି ଯାଇଥିଲା।