ନୂଆଦିଲ୍ଲୀରେ ୫ମ ଅନ୍ତର୍ଜାତୀୟ ମାତୃଭାଷା ସମ୍ମିଳନୀ : ଆୟୋଜିତ ହେବ ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗିତା

ଶ୍ରେଷ୍ଠ ପ୍ରତିଯୋଗୀଙ୍କ ପାଇଁ ୫୦ ହଜାର ଟଙ୍କା ଅର୍ଥରାଶିର ପୁରସ୍କାର

ଭୁବନେଶ୍ବର : ଓଡ଼ିଆ ଭାଷା, ସଂସ୍କୃତି ଓ ସାହିତ୍ୟକୁ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରିବା ଉଦ୍ଦେଶ୍ୟ ନେଇ ନୂଆଦିଲ୍ଲୀସ୍ଥିତ ପ୍ରବାସୀ ଓଡ଼ିଆ ବୁଦ୍ଧିଜୀବୀ ମଞ୍ଚ ‘ଦି ଇଣ୍ଟେଲେକ୍ଟ୍‌ସ’ ପକ୍ଷରୁ ୫ମ ଅନ୍ତର୍ଜାତୀୟ ମାତୃଭାଷା ସମ୍ମିଳନୀ ‘ଆମରି ଭାଷା ପଥେ’ ଅନୁଷ୍ଠିତ ହେବ। ୨୦୧୯ ଫେବ୍ରୁଆରି ୨୦ ଓ ୨୧ ତାରିଖ ବିଶ୍ବ ମାତୃଭାଷା ଦିବସ ଅବସରରେ ନୂଆଦିଲ୍ଲୀସ୍ଥିତ ଭାରତୀୟ ଅନ୍ତର୍ଜାତୀୟ କେନ୍ଦ୍ରରେ ଏହା ଆୟୋଜିତ ହେବ। ସମସ୍ତ ଭାରତୀୟ ଭାଷାର ଭାଷାବିତ୍‌, ଶାସ୍ତ୍ରୀୟ ଭାଷା ବିଷାରଦ ଏବଂ ଆଞ୍ଚଳିକ ଭାଷା ବିଜ୍ଞାନୀମାନେ ଏହି ମାତୃଭାଷା ମହାକୁମ୍ଭରେ ‌ଅଂଶଗ୍ରହଣ କରି ମାତୃଭାଷାର ଆବଶ୍ୟକତା, ସମସ୍ୟା, ପରିସୀମା ଓ ପ୍ରଗତି ବାବଦରେ ଆଲୋଚନା କରିବେ। ଏହି ଅବସରରେ ‘ପ୍ରବାସୀ ଭାଷା ସମ୍ମାନ’ ପ୍ରଦାନ କରାଯିବ।

ଚଳିତ ବର୍ଷ ଏହି କାର୍ଯ୍ୟକ୍ରମ ସହ ଆଉ ଏକ କାର୍ଯ୍ୟକ୍ରମ ଯୋଡ଼ି ହୋଇଛି। ସଂଗଠନ ପକ୍ଷରୁ ଚଳିତ ବର୍ଷ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ‘ମାତୃଭାଷା ହିଁ ପ୍ରଗତି ଓ ସ୍ବାଭିମାନର ମାଧ୍ୟମ’ ଶୀର୍ଷକ ଓଡ଼ିଆ ଭାଷା ପ୍ରବନ୍ଧ ପ୍ରତିଯୋଗିତା ଆୟୋଜନ କରାଯାଉଛି। ପ୍ରବନ୍ଧ ପ୍ରତିଯୋଗିତାର ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ୫୦ ହଜାର ଟଙ୍କା ଅର୍ଥରାଶି ସହ ଟ୍ରଫି ଓ ମାନପତ୍ର ଦେଇ ସମ୍ବର୍ଧିତ କରାଯିବ ବୋଲି ସଂଗଠନର ଅଧ୍ୟକ୍ଷ ଦେବେନ୍ଦ୍ରନାଥ ରାଉତ ଏକ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି। ଓଡ଼ିଆ ଭାଷା ପ୍ରତି ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକଙ୍କ ମଧ୍ୟରେ ପ୍ରୀତି ଜନ୍ମାଇବା ପାଇଁ ଏହିଭଳି ପ୍ରତିଯୋଗିତାର ଆୟୋଜନ କରାଯିବ ବୋଲି ଶ୍ରୀ ରାଉତ କହିଛନ୍ତି। ୮ମରୁ ୧୦ମ ଶ୍ରେଣୀର ପଢ଼ୁଥିବା ଯେକୌଣସି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିପାରିବ‌େ। ଛାତ୍ରଛାତ୍ରୀମାନେ ୧୫ଶହ ଶବ୍ଦ ମଧ୍ୟରେ ଏକ ମୌଳିକ ପ୍ରବନ୍ଧ ୨୦୧୯ ଜାନୁଆରି ୧୦ ତାରିଖ ମଧ୍ୟରେ (ଡି-୨୨/ଏ, ରାଜପୁର ଖୁର୍ଦ, ଛତରପୁର, ନୂଆଦିଲ୍ଲୀ, ପିନ୍‌ ନଂ: ୧୧୦୦୬୮) ଠିକଣାରେ ପଠାଇପାରିବେ। ନଚେତ୍‌ [email protected] କିମ୍ବା ହ୍ବାଟ୍‌ସ ଆପ୍‌ ନଂ:୯୩୫୦୧୨୭୩୭୦ ରେ ମଧ୍ୟ ପଠାଇପାରିବେ। ଏହା ହାତଲେଖା ନଚେତ୍‌ କମ୍ପ୍ୟୁଟରୀକୃତ ହୋଇପାରିବ। କୃତୀ ପ୍ରତିଯୋଗୀଙ୍କୁ ଫେବ୍ରୁଆରି ୨୦ ତାରିଖରେ ଅନ୍ତର୍ଜାତୀୟ ମାତୃଭାଷା ସମ୍ମିଳନୀ ଅବସରରେ ପୁରସ୍କୃତ କରାଯିବ। ଏଥିସହ ୨୦ଟି ପ୍ରବନ୍ଧକୁ ଏକ ପୁସ୍ତିକା ଆକାରରେ ପ୍ରକାଶ କରିବା ପାଇଁ ପ୍ରୟାସ କରାଯିବ ବୋଲି ଶ୍ରୀ ରାଉତ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର