ଭୁବନେଶ୍ୱର: ଭିଡ଼ ଭିତରେ ବି ବେଳେ ବେଳେ ଜିଇଁବାକୁ ହୁଏ ଏକା ଏକା। ସବୁ ସମ୍ପର୍କ, ସବୁ ଆବେଗ, ସବୁ ଆପଣାର ଯେମିତି ଦୂରେଇ ଯାଆନ୍ତି ନିଜ ନିଜ ରାସ୍ତାରେ। କେବେ କର୍ତ୍ତବ୍ୟର ଭୟରେ, କେବେ ଭବିଷ୍ୟତର ଯୋଜନାରେ ଆଉ କେବେ ସ୍ବାର୍ଥପରତାର ନିହାଣ ମୁଁହରେ। ଅବିଚଳିତ ମନ ବିଚଳିତ ହୋଇ ଉଠେ ଏକାକିତ୍ବର ଅସହ୍ୟ ଯନ୍ତ୍ରଣାରେ। ସାତ ଦରିଆର ଲୁଣିଆ ପାଣି ସବୁ ଯେମିତି ବୋହିଯାଆନ୍ତି ଧାର ଧାର ହୋଇ ଅବିଶ୍ରାନ୍ତ ଭାବେ ଲୁହ ହୋଇ, ଧୋଇବାକୁ ଚେଷ୍ଟା କରନ୍ତି ମୁଗ୍ଧ ବିଭୋର ଆଉ ଯନ୍ତ୍ରଣାସିକ୍ତ ଅତୀତକୁ ଏକା ଏକା। ସବୁ ଆପଣାର ସତେ ଯେମିତି ପର ହୋଇଯାଇଛନ୍ତି କାଳର ରାତିରେ, ଆଉ ଛାଡ଼ି ଦେଇ ଯାଇଛନ୍ତି ଚାଲିବାକୁ ଏକା ଏକା ଜୀବନ ବାଟରେ। ବେଳେ ବେଳେ ଝଡ଼ ପୂର୍ବର ନିରବତା ପରି ରହିଯାଏ ଏକଦମ୍ ଚୁପଚାପ୍, ମଜଭୁତ କରୁଥାଏ ମନ ଭିତରର ମନକୁ, ବାକି ଜୀବନ କଟେଇ ଦେବାକୁ। ନିଜକୁ ସମ୍ଭାଳି ନିଏ ଆଉ ବୁଝି ଯାଏ, ଏକା ଏକାର ଜୀବନରେ ଏକା ଏକା ବାଟ ଚାଲିବା ଏକ ପ୍ରକାର ଭଲ। ଏକଲାପଣର ଯନ୍ତ୍ରଣାସିକ୍ତ ଜୀବନ କାହାଣୀକୁ ନେଇ ଆଜି ଭଞ୍ଜ କଳାମଣ୍ଡପରେ ମଞ୍ଚସ୍ଥ ହୋଇଥିଲା ନାଟକ ‘ଏକା’।

Advertisment

ପଞ୍ଚମବେଦ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଶେଷ ସନ୍ଧ୍ୟାରେ ମଞ୍ଚସ୍ଥ ‘ଏକା’ ନାଟକକୁ ଡ. ମାୟା ଦାସ ରଚନା କରିଥିବାବେଳେ ପରିକଳ୍ପନା, ଆଲୋକ, ଓ ନିର୍ଦ୍ଦେଶନା ଦେଇଥିଲେ ଅମନ୍। ଅଜିତ୍‌ ନାଟ୍ୟାନୁଷ୍ଠାନର କଳାକାର କିଶୋର ଖଣ୍ଡୁଆଳ, ଉପେନ୍ଦ୍ର ପତି, କେ.ପି, ଦୀପକ, ପ୍ରଜ୍ଞା, ବିଭୁ, ଦେବୁ, ନିର, ସିଦ୍ଧାର୍ଥ, ବିଜୟ, ଆୟୁଷ୍ମାନ, ସଂଗ୍ରାମ, ହିମାଂଶୁ , ଜ୍ୟୋତି, ଜଗା ଅଭିନୟ କରିଥିଲେ। ମଞ୍ଚ ସଜାରେ ପ୍ରଜ୍ଞା ଦତ୍ତ ସାହୁ, ରୂପସଜା ସମରେଶ ପାଲ୍, ପୋଷାକରେ ମାମା, ସଙ୍ଗୀତରେ କୈଳାସ ସେନାପତି, ମଞ୍ଚ ପରିଚାଳନାରେ ସାଗର ପଟ୍ଟନାୟକ ଓ ହିମାଂଶୁ ପ୍ରମୁଖ ସହଯୋଗ କରିଥିଲେ ସନ୍ଧ୍ୟାରେ ଅତିଥି ଭାବେ ବିଧାୟକ ପ୍ରଫୁଲ୍ଲ ସାମଲ, ନାଟ୍ୟକାର ରମେଶ ପ୍ରସାଦ ପାଣିଗ୍ରାହୀ, ସଙ୍ଗୀତ ନାଟକ ଏମାଡେମୀର ସଚିବ ପ୍ରବୋଧ ରଥ ଓ ସଭାପତି ହରେନ୍‌ ସାହୁ ଯୋଗ ଦେଇଥି‌ଲେ। ଏହି ଅବସରରେ ‘ସମ୍ବାଦ’ର ସଂପାଦକ ତନୟା ପଟ୍ଟନାୟକଙ୍କୁ ‘ଅମୀୟ ପଟ୍ଟନାୟକ ସ୍ମୃତି ସମ୍ମାନ’, ସଙ୍ଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ ରଥ, ଅଭିନେତା ଅନ୍ତର୍ଯ୍ୟାମୀ ପଣ୍ଡା, ନାଟ୍ୟ ନିର୍ଦ୍ଦେଶକ ଲାଲା ବୀରେନ୍‌ ପ୍ରସାଦ ରାୟ, ନାଟ୍ୟ ନିର୍ଦ୍ଦେଶକ ଶ୍ରୀମନ୍‌ ନାରାୟଣ ମିଶ୍ର ଓ ବ୍ରଜେନ୍ଦ୍ର ନାୟକଙ୍କୁ ‘ପଞ୍ଚମବେଦ ସମ୍ମାନ‌’ରେ ସମ୍ମାନିତ କରାଯାଇଥିଲା।