ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ପୁରାତନ ରାଜଧାନୀ ଐତିହାସିକ ଜୁନାଗଡ଼ ସହରର ହୀରାସାଗରଠାରେ ମିଳିଥିବା ୩.୫ ଫୁଟ୍ର ଚଉଡ଼ା ଓ ୫ ଫୁଟ୍ ଉଚ୍ଚତାର ଏକ ହିରୋଷ୍ଟୋନ୍ରେ ପ୍ରତ୍ନ ଓଡ଼ିଆ ଲିପିରେ ଲେଖାଯାଇଥିବା ନେଇ ଲିପିତତ୍ତ୍ବବିଦ୍ ବିଷ୍ଣୁମୋହନ ଅଧିକାରୀ ସ୍ପଷ୍ଟ କରିବା ପରେ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ପ୍ରକାଶ ଯେ, ୨୦୨୨ ମସିହା ଫେବ୍ରୁଆରି ମାସରେ ଖରିଆର ସ୍ବୟଂଶାସିତ କଲେଜ ଇତିହାସ ବିଭାଗ ଅଧ୍ୟାପକ ରାଜକୁମାର ରତେ ଜୁନାଗଡ଼ ସହରରେ କ୍ଷେତ୍ର ଅନୁସନ୍ଧାନ ବେଳେ ୩ଟି ହିରୋଷ୍ଟୋନ୍ (ବୀରଶିଳା) ମୂର୍ତ୍ତି ଉଦ୍ଧାର କରିଥିଲେ। ଏନେଇ ସେ ଗବେଷଣା ମଧ୍ୟ ଜାରି ରଖିଛନ୍ତି। ଅନ୍ୟପକ୍ଷରେ ପାରଳାଖେମୁଣ୍ଡିର ଲିପିତତ୍ତ୍ବବିଦ୍ ତଥା ଯୁବ ଗବେଷକ ବିଷ୍ଣୁ ମୋହନ ଅଧିକାରୀ ଏହି ମୂର୍ତ୍ତିରେ ଥିବା ଶିଳାଲିପିକୁ ଅଧ୍ୟୟନ କରିଥିଲେ। ଏହି ଶିଳାଲିପିରେ ୩ ଧାଡ଼ିର ଲେଖାଥିବା ସେ ଜାଣିବାକୁ ପାଇଛନ୍ତି। ଏଥିରେ ଏ ପୁଅକ, ମର୍ଦ୍ଧନ/ମଦନ, ଦମନ ବୋଲି ଲେଖାଯାଇଛି। ଏହା ମଦନ ନାମକ ବୀର ଯୋଦ୍ଧାଙ୍କ ବୋଲି ଅନୁମାନ କରାଯାଉଛି। ଏହି ଲିପି ପ୍ରାୟ ଦ୍ବାଦଶ ଶତାବ୍ଦୀରୁ ଚତୁର୍ଦ୍ଦଶ ଶତାବ୍ଦୀର ଓଡ଼ିଆ ଲିପି ସହିତ ସାମଞ୍ଜସ୍ୟ ଥିବା ଅନୁମାନ କରିଛନ୍ତି। ଏହି ସମୟରେ କଳାହାଣ୍ଡି ଅଞ୍ଚଳରୁ ୨ଟି ଶିଳାଲେଖ ମିଳି ସାରିଛି। ଯାହା ପୂର୍ବ ଗଙ୍ଗବଂଶୀ ରାଜା ଭାନୁଦେବଙ୍କ ସମୟର ବୋଲି ଜଣାପଡ଼ିଛି। ନର୍ଲା ଓ ଭବାନୀପାଟଣା ଠାରେ ଏହି ସମୟର ଗଙ୍ଗବଂଶୀ ଶିଳାଲେଖ ମିଳିଛି।
ପ୍ରତ୍ନ ଓଡ଼ିଆ ଲିପିରେ ଲେଖାଥିବା ସୂଚନା
ଶିଳାଲେଖରେ ରହିଛି ଗଙ୍ଗବଂଶୀ ବୀରଯୋଦ୍ଧାଙ୍କ ବୀରତ୍ବର ଗାଥା
ଇତିହାସ ଅନୁସାରେ, କଳାହାଣ୍ଡି ଦଣ୍ଡପାଟରୁ ଗଙ୍ଗବଂଶୀ ରାଜାମାନେ କାଳଚୁରୀ ରାଜାମାନଙ୍କ ସହିତ ଯୁଦ୍ଧ କରୁଥିଲେ। ହୁଏତ ଏହି ମଦନ ବୀରଯୋଦ୍ଧା ଗଙ୍ଗବଂଶୀ ସହିତ ସମ୍ପୃକ୍ତ ଥିବା ଅନୁମାନ କରାଯାଉଛି। ଜୁନାଗଡ଼ ସହରରେ ୧୭ଟି ବୀର ଏବଂ ସତୀ ଶିଳା ଉଦ୍ଧାର ହୋଇଥିବା ଜଣାପଡ଼ିଛି। ଏଥିମଧ୍ୟରୁ ୧୧ଟି ସତୀ ଶିଳା ଓ ୬ଟି ବୀରଶିଳା ଥିବା ଜଣାପଡ଼ିଥିଲା। ଏହି ବୀରଶିଳା ଓ ସତୀଶିଳାମାନଙ୍କରେ ଅଭୟ ମୁଦ୍ରାଥିବା ହାତଚିହ୍ନ, ସୂର୍ଯ୍ୟ, ଚନ୍ଦ୍ରଙ୍କ ଚିହ୍ନ, ଚରଣ ଚିହ୍ନ ଓ ଏହାସହିତ ଶିବ ଲିଙ୍ଗକୁ ପୂଜା କରୁଥିବା ପୁରୁଷ ଏବଂ ମହିଳାଙ୍କ ପ୍ରତିମୂର୍ତ୍ତି ଖୋଦିତ ଥିବା ଦେଖିବାକୁ ମିଳିଛି। ସେହିଭଳି ଜୁନାଗଡ଼ ସହରର ତାଳବନ୍ଧ ପଡ଼ାଠାରେ ମଧ୍ୟ ଏକ ଅଭିଲେଖ ଥିବା ହିରୋଷ୍ଟୋନ ମିଳିଥିବା ଜଣାପଡ଼ିଛି। ଏନେଇ ଅଧିକ ଗବେଷଣା କରାଗଲେ ବହୁ ଐତିହାସିକ ତଥ୍ୟ ଲୋକଲୋଚନକୁ ଆସିପାରିବ ବୋଲି ଗବେଷକମାନେ ମତ ପ୍ରକାଶ କରିଛନ୍ତି। ଏନେଇ ଖରିଆର ସ୍ବୟଂଶାସିତ କଲେଜ ଇତିହାସ ବିଭାଗର ଅଧ୍ୟାପକ ରାଜକୁମାର ରତେଙ୍କୁ ପଚାରିବାରୁ କଳାହାଣ୍ଡି ଜିଲ୍ଲାରେ ଏଭଳି ବହୁ ଶିଳାଲେଖ ଉଦ୍ଧାର ହୋଇଥିବା ବେଳେ ଏହା ଉପରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି। ରାଜ୍ୟ ସରକାର ଓ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ଏନେଇ ଉଦ୍ୟମ କରାଗଲେ ବହୁ ଐତିହାସିକ ତଥ୍ୟ ଉନ୍ମୋଚିତ ହୋଇପାରନ୍ତା। ଏହି ଶିଳାଲେଖ ଓ ମୂର୍ତ୍ତିଗୁଡ଼ିକର ସଂରକ୍ଷଣ ଆବଶ୍ୟକତା ରହିଛି ବୋଲି କହିଛନ୍ତି।