ଜମି କ୍ଷତିପୂରଣ ପାଇଁ ୮୦ ବର୍ଷର ବୃଦ୍ଧଙ୍କ ଲଢ଼େଇ, ଦିନ ଗଡ଼ାଉଛି ସୁନ୍ଦରଗଡ଼ ପ୍ରଶାସନ

ସୁନ୍ଦରଗଡ଼ : ୨୦ ବର୍ଷ ତଳେ କେବଳ ଏମସିଏଲର କୋଇଲା ପରିବହନ ପାଇଁ ତିଆରି ହୋଇଥିବା ସୁନ୍ଦରଗଡ଼ କଲେଜ ଛକ- ଶଙ୍କରା ବାଏପାସ୍ ୫.୫ କିଲୋମିଟର ରାସ୍ତା ନିର୍ମାଣ ପାଇଁ ଡିଏମଏଫ ୫୫ କୋଟି ଅନୁଦାନ ଯୋଗାଇ ଦେଇଛି। ଯାହା ପାଣ୍ଠିର ଅପବ୍ୟୟ ବୋଲି ଚର୍ଚ୍ଚା ହେଉଛି। ଏବେ ରାସ୍ତା ସହ ଜଡ଼ିତ ଆଉ ଏକ ସମ୍ବେଦନଶୀଳ ଅଭିଯୋଗ ସାମ୍ନାକୁ ଆସିଛି। ରାସ୍ତା ସମ୍ପ୍ରସାରଣରେ ସ୍ଥାନୀୟ ଅଧିବାସୀଙ୍କ ପ୍ରାୟ ୫ ଏକର ରୟତି ଜମି ଯାଇଥିଲେ ମଧ୍ୟ ଏଯାଏ ତାର କ୍ଷତିପୂରଣ ଦିଆଯାଇ ନାହିଁ। ଏହା ମଧ୍ୟରେ କ୍ଷତିପୂରଣ ପାଇବା ପାଇଁ ଜଣେ ୮୦ ବର୍ଷର ବୃଦ୍ଧ ଜୟନନ୍ଦ କାଲୋଙ୍କ ଲଢ଼େଇ ଚର୍ଚ୍ଚାକୁ ଆସିଛି। ଦୀର୍ଘ ୧୩ ବର୍ଷ ହେଲା, ନିଜ ହକ୍ ପ୍ରାପ୍ୟ ପାଇଁ ସେ କିପରି ଏ ବୟସରେ ସ୍ଥାନୀୟ ତହସିଲଦାରଙ୍କ ଠାରୁ ଭୂଅର୍ଜନ ବିଭାଗ, ଜିଲ୍ଲାପାଳ, ଏମସିଏଲ ଅଫିସ, କୋର୍ଟ ଯାଏ ଦୌଡ଼ୁଛନ୍ତି ଓ ପ୍ରଶାସନ କେମିତି ଜଣେ ଅଶୀ ବର୍ଷର ବୃଦ୍ଧଙ୍କ ପ୍ରତି ସମ୍ବେଦନଶୀଳ ନହୋଇ ବିଭିନ୍ନ ଆଳରେ ଦିନ ଗଡ଼ାଇ ନେଉଛି, ତାକୁ ନେଇ ଉଠିଛି ପ୍ରଶ୍ନ।

ସୁନ୍ଦରଗଡ଼ ରଙ୍ଗାଢିପାରେ ରହୁଥିବା ବୃଦ୍ଧ ଜୟନନ୍ଦ କାଲୋଙ୍କ ଅଭିଯୋଗ ଅନୁସାରେ, ୧୯୯୭ରେ ଏମସିଏଲ କୋଇଲା ପରିବହନ ପାଇଁ କଲେଜ ଛକ- ଶଙ୍କରା ବାଏପାସ ରାସ୍ତା ତିଆରି ହୋଇଥିଲା। ସେଥିରେ ତାଙ୍କର ଚିତାଭଙ୍ଗା ମୌଜା ୧୩୫ ଖାତାର ୧୯/୩୨୫୧ ପ୍ଲଟର ୪୩ ଡିସିମିଲ ଜମି ଯାଇଛି। ସେହିପରି ପ୍ଲଟ ନଂ ୧୮ରୁ ମାଟି ନେଇ ରାସ୍ତା ନିର୍ମାଣରେ ବ୍ୟବହାର କରାଯାଇଥିଲା। କିନ୍ତୁ ସେତେବେଳେ ସେ ଗୁରୁତର ଭାବେ ଅସୁସ୍ଥ ଥିବାରୁ ଏ ସମ୍ପର୍କରେ ଜାଣି ପାରି ନଥିଲେ। ଜାଣିଲା ବେଳକୁ ରାସ୍ତା ତିଆରି ହୋଇ ସାରିଥିଲା। ଏହା ବିରୋଧରେ ଜମି ହରାଇଥିବା ଅନ୍ୟମାନଙ୍କ ସହ ସେ ପ୍ରଶାସନର ଦ୍ବାରସ୍ଥ ହୋଇ ନ୍ୟାୟ ମାଗିଥିଲେ। କିନ୍ତୁ ପ୍ରଶାସନ ସେମାନଙ୍କ କଥା ଶୁଣି ନଥିଲା। ଏ ଅଫିସରୁ ସେ ଅଫିସ ଧାଇଁ ଧାଇଁ ନୟାନ୍ତ ହେବା ପରେ ଶ୍ରୀ କାଲୋ ୨୦୦୮ରେ ହାଇକୋର୍ଟରେ ରିଟ୍ ପିଟସନ୍ ୧୪୫୩୬/୨୦୦୮ ଦାଏର କରିଥିଲେ। କୋର୍ଟ ଆଦେଶରେ ଏକ ସର୍ଭେ ଟିମ୍ ଆସି ସରଜମିନ ତଦନ୍ତ କରି ରିପୋର୍ଟ ଦେଇଥିଲେ। ଏହା ପରେ ୨୦୧୭ ଜୁଲାଇ ୨୫ରେ କୋର୍ଟ ଜୟନନ୍ଦ କାଲୋଙ୍କ ସପକ୍ଷରେ ରାୟ ଦେଇ ତିନି ମାସ ମଧ୍ୟରେ ତାଙ୍କ ନ୍ୟାୟପୂର୍ଣ୍ଣ ବିଚାର କରିବାକୁ ରାଜସ୍ବ ବିଭାଗକୁ ଆଦେଶ କରିଥିଲେ।

ଏହି ଆଦେଶକ୍ରମେ ଓଡ଼ିଶା ରାଜସ୍ବ ବିଭାଗ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ତୁରନ୍ତ ପଦକ୍ଷେପ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଜୟନନ୍ଦଙ୍କୁ ନ୍ୟାୟ ଦେବାରେ ଜିଲ୍ଲା ପ୍ରଶାସନ ଟାଳଟୁଳ ନୀତି ଅବଲମ୍ବନ କରି ଚାଲିଲେ। ଏହା ମଧ୍ୟରେ ଜୟନନ୍ଦ ଗୁରୁତର ଅସୁସ୍ଥ ହୋଇ ଶଯ୍ୟାଶାୟୀ ହୋଇପଡ଼ିବାରୁ ସେ ମାମଲା ସେମିତି ପଡ଼ି ରହିଲା। ଅନ୍ୟ ଜମି ମାଲିକମାନେ ବାରମ୍ବାର ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହେବା ପରେ ୨୦୨୦ ନଭେମ୍ବର ୧୮ରେ ଜିଲ୍ଲା ପ୍ରଶାସନ ସରକାରୀ ମୂଲ୍ୟରେ ଉକ୍ତ ଜମିକୁ କ୍ରୟ କରିବାକୁ ଏକ ବିଜ୍ଞପ୍ତି ଜାରି କରିଥିଲେ। କିନ୍ତୁ ତାହା ମଧ୍ୟ ସେହି ବିଜ୍ଞପ୍ତି ମଧ୍ୟରେ ଅଟକି ରହିଲା। ଜୟନନ୍ଦ ସାମାନ୍ୟ ସୁସ୍ଥ ହେବା ପରେ ଜମି ହରାଉଥିବା ଲୋକଙ୍କ ସହ ଗତ ଅପ୍ରେଲ ୧୨ ତାରିଖରେ ଜିଲ୍ଲାପାଳଙ୍କୁ ପୁଣି ଅଭିଯୋଗ କରି ତୁରନ୍ତ କ୍ଷତିପୂରଣ ଦେବାକୁ ଅନୁରୋଧ କରିଥିଲେ। କିନ୍ତୁ ପ୍ରଶାସନ ଏଯାଏ କ୍ଷତିପୂରଣ ପ୍ରଦାନ ନେଇ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ। ତେବେ ବୃଦ୍ଧ ଜୟନନ୍ଦ ଏବେ ବି ତାଙ୍କ ଲଢ଼େଇ ଜାରି ରଖିଛନ୍ତି। ୫.୫ କିଲୋମିଟର ରାସ୍ତା ପାଇଁ ବିନା ଦ୍ବିଧାରେ ୫୫ କୋଟି ଅନୁଦାନ ଯୋଗାଇ ଦେଉଥିବା ପ୍ରଶାସନ ବୃଦ୍ଧଙ୍କ ସମେତ ଅନ୍ୟ ଜମିହରାଙ୍କୁ କ୍ଷତିପୂରଣ ବେଳକୁ ପଛଘୁଞ୍ଚା କାହିଁକି ବୋଲି ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର