ମା’ କୋଳକୁ ଫେରିଲା ଅପହୃତା ଶିଶୁକନ୍ୟା

କଳାବାଡ଼ିଆ: ଗତ ୨୪ ତାରିଖ ରାତିରେ ବାଙ୍ଗିରିପୋଷି ତହସିଲ ସମ୍ମୁଖ ଚାଳିଆରେ ଶୋଇଥିବା ଦମ୍ପତ୍ତିଙ୍କ କୋଳରୁ ଅପହୃତା ୨ ବର୍ଷର ଶିଶୁକନ୍ୟା ଶେଷରେ ମା’ ପାଖକୁ ଫେରିଛି। ଶିଶୁଟିକୁ ଝାଡ଼ଖଣ୍ଡରେ ଠାବ କରାଯିବା ପରେ ପୁଲିସ ସହଯୋଗରେ ବୁଧବାର ବାପା ବାଚୁ ଦାସ ଓ ମା’ ସୁରୁ ମୁଖିଙ୍କୁ ହସ୍ତାନ୍ତର କରାଯାଇଛି। ପ୍ରାୟ ୧୩ ଦିନ ପରେ ଝିଅକୁ ଫେରି ପାଇବା ପରେ ଦମ୍ପତ୍ତିଙ୍କ ଆଖିରୁ ଧାରଧାର ଲୁହ ବୋହି ଚାଲିଥିଲା। ପିଲାଟି ମଧ୍ୟ ବାପା, ମା’ ଓ ୮ ବର୍ଷର ଭାଇକୁ ଦେଖି ଦୌଡ଼ି ଆସି ଜାବୁଡ଼ି ଧରିଥିଲା।

ବାଙ୍ଗିରିପୋଷି ଥାନା ଅଧିକାରୀ ଅଧିକାରୀ ସଂଜୀବ ପରିଡ଼ାଙ୍କ କହିବା ଅନୁଯାୟୀ କେହି ଅଭିଯୁକ୍ତ ପିଲାଟିକୁ ଏଠାରୁ ଅପହରଣ କରିନେଇ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡକୁ ପଳାଇଥିଲା। ତେବେ ସେଠାକାର ଶ୍ୟାମସୁନ୍ଦରପୁର ଥାନା ଅଧୀନ ଚନ୍ଦନପୁର ମେଳାରେ ପିଲାଟିକୁ ଛାଡ଼ି ଫେରାର୍‌ ହୋଇ ଯାଇଥିଲା। ସେଠାରୁ ସ୍ଥାନୀୟ ସିଡବ୍ଳୁସି ଟିମ୍‌ ପିଲାଟିକୁ ଉଦ୍ଧାର କରି ଜାମସେଦପୁର ଶାଖାକୁ ହସ୍ତାନ୍ତର କରିଥିଲେ ଓ ବାଙ୍ଗିରିପୋଷି ପୁଲିସକୁ ଏ ନେଇ ଖବର ଦେଇଥିଲେ।

ସମ୍ବନ୍ଧିତ ଖବର